AI
ଓଡ଼ିଶା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପଲିସି ବା ‘ଏଆଇ ପଲିସି’କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେବାର ୧୦ଦିନ ବିତିଲାଣି । କିନ୍ତୁ ଏହି ପଲିସିକୁ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଦ୍ୱାରା ସାର୍ବଜନୀନ କରାଯାଇନଥିବା ଜଣାପଡ଼ିଛି । ଏପଟେ ପ୍ରତ୍ୟେକ ବିଭାଗରେ ଚଳିତମାସ ୧୬ତାରିଖ ସୁଦ୍ଧା ‘ଏଆଇ ଡେସ୍କ’ ଖୋଲି ଜଣେ ବରିଷ୍ଠ ଅଧିକାରୀଙ୍କୁ ‘ଏଆଇ’ ଅଫିସର ଓ ତାଙ୍କୁ ସହଯୋଗ ପାଇଁ ଟେକନିକାଲ ଜ୍ଞାନ ଥିବା ଦୁଇଜଣ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବା ସେକ୍ସନ ଅଫିସରଙ୍କୁ ନିଯୁକ୍ତି ଦେବାକୁ ମୁଖ୍ୟ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଏଆଇ ଉପଯୋଗ ନିମନ୍ତେ ରୋଡମ୍ୟାପ୍ ଓ ଏଆଇ ଅଧ୍ୟୟନ ଦିଗରେ ଏହି ଡେସ୍କକୁ କାର୍ଯ୍ୟ କରିବାକୁ କୁହାଯାଇଛି ।
ସବୁ ବିଭାଗରେ ରହିବେ ‘ଏଆଇ’ ଅଫିସର
ସୂଚନା ଅନୁସାରେ, ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସବୁ ବିଭାଗରେ ‘ଏଆଇ’ ବ୍ୟବହାରକୁ ଅଧିକ ଫଳପ୍ରଦ ଓ ସଂଗଠିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ପ୍ରତ୍ୟେକ ବିଭାଗ ଜଣେ ଲେଖାଏଁ ‘ଏଆଇ ଅଫିସର’ ନିଯୁକ୍ତି ଦେବେ ଓ ତାଙ୍କୁ ସହଯୋଗ କରିବାକୁ ପ୍ରଯୁକ୍ତିବିଦ୍ୟା ଜ୍ଞାନକୌଶଳ ସମ୍ପନ୍ନ ଦୁଇଜଣ ଏସଓ କିମ୍ବା ଏଏସଓଙ୍କୁ ମୁତୟନ କରିବେ ।
ଏହି ଏଆଇ ଅଫିସରମାନେ ମିଳିତ ଭାବେ ‘ଏଆଇ ପ୍ରଯୁକ୍ତିବିଦ୍ୟାର ଅଧ୍ୟୟନ’ ଓ ବିଭାଗୀୟ କାର୍ଯ୍ୟରେ ଏହାର ପ୍ରୟୋଗ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବେ । କେବଳ ସେତିକି ନୁହେଁ ‘ୱସ୍ୱାସ୍’ ସିଷ୍ଟମରେ ଏଆଇକୁ ସାମିଲ କରାଯିବ ଓ ତଥ୍ୟ ସମ୍ପୃକ୍ତ ବିଭାଗୀୟ ସ୍ତରରେ ରହିବ । ସେହିପରି ରାଜ୍ୟ ସରକାରଙ୍କ ‘ଦି ସେଂଟର ଫର ମଡର୍ଣ୍ଣାଇନାଇଜିଂ ଗଭର୍ଣ୍ଣମେଂଟ ଇନସିଏଟିଭି(ସିଏମଜିଆଇ)ରେ ଏଆଇର ପ୍ରୟୋଗକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରଯୁକ୍ତିବିଦ୍ୟା ଜ୍ଞାନସମ୍ପନ୍ନ ୬ଜଣ କର୍ମଚାରୀଙ୍କୁ ନିୟୋଜନ ନିମନ୍ତେ କୁହାଯାଇଛି । ଏହି ସମସ୍ତ କାର୍ଯ୍ୟ ଜୁନ୍ ୧୬ତାରିଖ ସୁଦ୍ଧା ଆରମ୍ଭ କରିବାକୁ ମୁଖ୍ୟ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।
କ୍ୟାବିନେଟ୍ ମଞ୍ଜୁରୀ ସତ୍ତ୍ୱେ ସାର୍ବଜନୀନ ହେଉନି ପଲିସି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମେ’ ୨୮ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ଏଆଇ ପଲିସି’କୁ ଅନୁମୋଦନ ମିଳିଲା । ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଏଆଇ ପଲିସି ସଂକ୍ରାନ୍ତ ପ୍ରେସ୍ ରିଲିଜ୍ ମଧ୍ୟ ଜାରି ହେଲା । କିନ୍ତୁ ଏଆଇ ପଲିସି ପ୍ରସ୍ତୁତ କରିଥିବା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ ପକ୍ଷରୁ ଖବର ଲେଖା ହେବାପର୍ଯ୍ୟନ୍ତ ଏଆଇ ପଲିସିକୁ ସାର୍ବଜନୀନ କରାଯାଇନାହିଁ । ବିଭାଗର ୱେବସାଇଟରେ ଏହି ‘ପଲିସି’ ସଂକ୍ରାନ୍ତରେ କୌଣସି ତଥ୍ୟ ମଧ୍ୟ ନାହିଁ । ଏହି ଏଆଇ ପଲିସକ୍ୁ ନେଇ ସରକାରୀ ଅଫିସର ଓ କର୍ମଚାରୀଙ୍କ ସମେତ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉତ୍ସୁକତା ରହିଥିଲେ ମଧ୍ୟ ବିଭାଗ ସେହି ପଲିସିକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରିନଥିବା ଜଣାପଡ଼ିଛି ।
ୱସ୍ୱାସରେ ଏଆଇ ସଂଯୋଜନ ଓ ଡାଟା ସୁରକ୍ଷା
ଓଡ଼ିଶା ସେକ୍ରେଟାରିଆଟ ୱାର୍କଫ୍ଲୋ ଅଟୋମେସନ ସିଷ୍ଟମ (ୱସ୍ୱାସ୍)ରେ ‘ଏଆଇ’କୁ ସଂଯୋଜନ କରିବାକୁ ସରକାର ଯୋଜନା କରିଛନ୍ତି । ଯାହାକି ୱସ୍ୱାସ୍ର ଓପନ୍ ସୋର୍ସ-ଏଆଇ ସିଷ୍ଟମ ସହ ସଂଯୋଜନ କରିବ । ଯାହା ଡାଟାକୁ ବିଭାଗୀୟ ସ୍ତରରେ ରଖି ସୁରକ୍ଷା ଓ ଗୋପନୀୟତାକୁ ନିଶ୍ଚିତ କରିବ । ଜୁନ୍ ୧୬ତାରିଖ ସୁଦ୍ଧା ସବୁ ବିଭାଗରେ ଏଆଇ ଡେସ୍କ ଖୋଲି ରାଜ୍ୟ ସରକାର ନିଜର ତତ୍ପରତା ଦେଖାଇବା ସହ ଡିଜିଟାଲ ଗଭର୍ଣ୍ଣାନ୍ସକୁ ଅଧିକ ପ୍ରଭାବଶାଳୀ ଓ ଏଆଇ ଆଧାରିତ କରିବା ପାଇଁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।
ଏଆଇ ପଲିସିକୁ ପାରଦର୍ଶୀ ଓ ଲୋକଙ୍କ ବୁଝିବା ଭଳି କରାନ୍ତୁ: ବିଶେଷଜ୍ଞ
ଆଇଟି ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି ଯେ “ ରାଜ୍ୟ ସରକାରଙ୍କ ଏଆଇ ପଲିସି କ’ଣ ତାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ଆସିନାହିଁ । ଏହି ‘ଏଆଇ’ କେଉଁ କ୍ଷେତ୍ରରେ କାର୍ଯ୍ୟକାରୀ ହେବ, ତା’ର କାମ କ’ଣ ରହିବ ତାହା ମଧ୍ୟ କେହି ଜାଣନ୍ତି ନାହିଁ । ସରକାରଙ୍କ ବିଭାଗଗୁଡ଼ିକରେ ‘ଏଆଇ’ କେଉଁସବୁ କାମ କରିବ ତାହା ସାଧାରଣ ଲୋକ ଜାଣିବାର ଆବଶ୍ୟକତା ରହିଛି ।
କ୍ୟାବିନେଟରେ ‘ଏଆଇ ପଲିସି’କୁ ଅନୁମୋଦନ ମିଳିଲା, ସେହି ପଲିସିରେ କ’ଣ ଅଧିକ ରହିଛି ତାହା ଗୁଗଲରେ ଖୋଜିଲେ ମଧ୍ୟ କେଉଁଠି ମିଳୁନି । ‘ଏଆଇ’କୁ ଯାହା କମାଣ୍ଡ ଦେବେ ସେ ତାହା କରିବ । କିନ୍ତୁ କିଭଳି କରିବ ଓ ତାକୁ କିଏ କମାଣ୍ଡ ଦେବ ଏବଂ ଏହା କିଭଳି ସରକାରଙ୍କ ଜନସେବାରେ ଉପଯୋଗ ହେବ ତାକୁ ଜାଣିଲା ପରେ ହିଁ କିଛି ମତାମତ ଦେଇହେବ ବୋଲି ଶ୍ରୀ ସାହୁ କହିଛନ୍ତି ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/AI_1749308339.jpg)