Odisha
ରାଜ୍ୟ ସରକାରରେ ଅଭିଜ୍ଞସମ୍ପନ୍ନ ଅଫିସରଙ୍କ ଅଭାବ ଓ ନିୟମିତ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବକୁ ଆଳ କରି ପୁଣିଥରେ ରିଟାର୍ଡ ଅଫିସରମାନଙ୍କୁ ଥଇଥାନ ନିମନ୍ତେ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ରିଟାର୍ଡ ଓଏଏସ୍ ଅଫିସରମାନଙ୍କୁ ‘ଓଏସଡି’ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ନିମନ୍ତେ ଆବେଦନ ଆହ୍ୱାନ କରାଯିବା ପରେ ସରକାରଙ୍କ ନୀତିରେ ୟୁ-ଟର୍ଣ୍ଣକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ୨୦୨୪ ସେପ୍ଟେମ୍ବର ୧୨ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ରିଟାର୍ଡ ଅଫିସର ଓ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ କଟକଣା ଜାରି କରିଥିଲେ । ଏପରିକି ବିଜେଡି ସରକାର ଅମଳରେ ଯେଉଁ ରିଟାର୍ଡ କର୍ମଚାରୀମାନେ ପୁନଃନିଯୁକ୍ତି ପାଇଥିଲେ ସେମାନଙ୍କର ନିଯୁକ୍ତି ଅବଧିକୁ ମଧ୍ୟ ବିଜେପି ସରକାର ଆଉ ବୃଦ୍ଧି କରିନଥିଲେ ଓ ଅତ୍ୟନ୍ତ ଜରୁରୀ ନଥିଲେ ଏଭଳି ପୁନଃନିଯୁକ୍ତି ହୋଇପାରିବ ନାହିଁ ବୋଲି ରୋକଠୋକ୍ ଜଣାଇ ଦେଇଥିଲେ ।
ରିଟାର୍ଡ ଓଏଏସ୍ ଅଫିସରଙ୍କଠୁ ଆବେଦନ ପତ୍ର ଆହ୍ୱାନ
ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ଅଫିସରମାନଙ୍କୁ ‘ଓଏସଡି’ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ନିମନ୍ତେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆବେଦନପତ୍ର ଆହ୍ୱାନ କରାଯାଇଛି । ଏହି ନିଯୁକ୍ତି ପ୍ରାରମ୍ଭିକ ଭାବେ ଏକବର୍ଷ ପାଇଁ ହେବ ଓ କାର୍ଯ୍ୟ ସନ୍ତୋଷଜନକ ରହିଲେ ୩ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରିବ । ମୋଟ ଚାରିବର୍ଷ କିମ୍ବା ସର୍ବାଧିକ ୬୫ବର୍ଷ ବୟସ ପର୍ଯ୍ୟନ୍ତ ସମ୍ପୃକ୍ତ କର୍ମଚାରୀ କାର୍ଯ୍ୟ କରିପାରିବେ ବୋଲି ଦର୍ଶାଯାଇଛି ।
ରିଟାର୍ଡ କର୍ମଚାରୀଙ୍କୁ ଥଇଥାନକୁ ବିରୋଧ କରୁଥିଲା ବିଜେପି
ରାଜ୍ୟରେ ବିଜେଡି ସରକାର ସମୟରେ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ହିଁ ରିଟାର୍ଡ କର୍ମଚାରୀଙ୍କୁ ସରକାରରେ ପୁନଃଥଇଥାନକୁ ତୀବ୍ର ବିରୋଧ କରୁଥିଲା । ରାଜ୍ୟରେ ଲକ୍ଷଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିବାବେଳେ ତାକୁ ପୂରଣ ନକରି କାହିଁକି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଥଇଥାନ କରାଯାଉଛି ବୋଲି ପ୍ରଶ୍ନ କରିବା ସହ ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରୁଥିଲା । ତେବେ ଗତବର୍ଷ ଜୁନ୍ ମାସରେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରିଟାର୍ଡ କର୍ମଚାରୀଙ୍କୁ ସରକାରରେ ଥଇଥାନ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଥିଲେ ।
ଏପରିକି ଅତ୍ୟନ୍ତ ଜରୁରୀ ନଥିଲେ ଏଭଳି ନିଯୁକ୍ତି ହୋଇପାରିବ ନାହିଁ ଓ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟାକୁ ଅତ୍ୟନ୍ତ ଜଟିଳ କରିବା ସହ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟସଚିବଙ୍କ କମିଟିର ବିନା ଅନୁମତିରେ କେହି ନିଯୁକ୍ତି ପାଇପାରିବେ ନାହିଁ ବୋଲି ଗତ ୮ମାସ ପୂର୍ବେ ଜାରି ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ନିର୍ଦ୍ଦେଶନାମା ଜାରି ହେଲା । ସରକାରଙ୍କ ଏଭଳି ଆଭିମୁଖ୍ୟ ଯୋଗୁ ରାଜ୍ୟର ବିଭିନ୍ନ ବିଭାଗରେ ପୁନଃନିଯୁକ୍ତି ପାଇଥିବା ଅବସରପ୍ରାପ୍ତ କର୍ମଚାରୀମାନଙ୍କ ନିଯୁକ୍ତି ଅବଧିକୁ ଆଉ ବୃଦ୍ଧି ନକରି ସେମାନଙ୍କର ସେବାକୁ ସମାପ୍ତ କରିଦିଆଗଲା ।
ନିୟମିତ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଓ ଅଭିଜ୍ଞଙ୍କ ଅଭାବ
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଭାଗରେ ଅଭିଜ୍ଞସମ୍ପନ୍ନ ଅଫିସରଙ୍କ ଅଭାବ ଓ ନିୟମିତ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଯୋଗୁ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେଣୁ ରିଟାର୍ଡ ଓଏଏସ୍ ଅଫିସରମାନେ ଯିଏକି ବିଭାଗର କାର୍ଯ୍ୟ ସହ ଜଡ଼ିତ ଥିଲେ ସେମାନଙ୍କୁ ପୁନଃ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ପାଇଁ ଏହି ଆବେଦନପତ୍ର ଆହ୍ୱାନ କରାଯାଇଛି । ସେହିପରି ରାଜ୍ୟ ଆଇନ ବିଭାଗ ମଧ୍ୟ ଅନୁରୂପ ଭାବେ ଦେବୋତ୍ତର କମିଶନରେ ଖାଲି ପଡ଼ିଥିବା ପ୍ରାୟ ୨୦ରୁ ୩୦ଟି ପଦବୀରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି ।
ରାଜ୍ୟର ବିଜେପି ସରକାର ନିଜର ଏକବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବାବେଳେ ନିଜର ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ନେଇ ରିଟାର୍ଡ କର୍ମଚାରୀଙ୍କୁ ଥଇଥାନ କରିବାକୁ ନେଇଥିବା ନିଷ୍ପତ୍ତିକୁ ସାଧାରଣରେ ନାପସନ୍ଦ କରାଯାଇଛି । ତେବେ ବିଭାଗର ଏଭଳି ପଦକ୍ଷେପ ମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ଜାଣତରେ ହୋଇଛି କି ନାହିଁ ତାହା ଜଣାପଡ଼ିନି । ନିୟମିତ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସରକାରୀସ୍ତରରେ ଉଚ୍ଚସ୍ତରୀୟ ସମୀକ୍ଷା କାହିଁକି କରାଯାଉନି ଓ ଯେଉଁଠି କିଛି ସମସ୍ୟା ରହିଛି ତାକୁ ତ୍ୱରିତ୍ ସମାଧାନ କରିବାରେ କିଏ ବାଧକ ସାଜିଛି ବୋଲି ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Odisha_1747404515.jpg)