‘ରାଜ୍ୟରେ ୨୦୦ ଗୋଶାଳା ନିର୍ମାଣ କରିବେ ସରକାର’

ରାସ୍ତାରେ ଦୁର୍ଘଟଣାର ଶିକାର ହେଉଥିବା ଗାଈଗୋରୁଙ୍କୁ ଠିକ୍ ସମୟରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ମୋବାଇଲ ହସ୍ପିଟାଲ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି ।

Representative Image

  • Published: Saturday, 29 June 2024
  • , Updated: 29 June 2024, 10:43 PM IST

ରାଜ୍ୟର ବିଜେପି ସରକାର  ରାଜ୍ୟବ୍ୟାପୀ ୨୦୦ ଗୋଶାଳା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗାଈଗୋରୁ ଚୋରାଚାଲାଣକୁ ରୋକିବା ଓ ବୁଲା ଗାଈଗୋରୁଙ୍କ ଯତ୍ନ ନେବା ପାଇଁ ଏହି ଗୋଶାଳାକୁ ଉପଯୋଗ କରାଯିବ ବୋଲି ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ରାଜ୍ୟରେ ଗାଈଗୋରୁ ଚୋରାଚାଲାଣକୁ ରୋକିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ଚୋରାଚାଲାଣ କିଭଳି ବନ୍ଦ କରାଯିବ ସେଥିପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି ।  ଗାଈ ଓ ଅନ୍ୟ ଦୁଗ୍ଧ ପ୍ରଦାନକାରୀ ପଶୁସମ୍ପଦକୁ ଅନ୍ୟ ରାଜ୍ୟକୁ ଚୋରାଚାଲାଣକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ।

ଏହାସହିତ ରାସ୍ତାରେ ଦୁର୍ଘଟଣାର ଶିକାର ହେଉଥିବା ଗାଈଗୋରୁଙ୍କୁ ଠିକ୍ ସମୟରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ମୋବାଇଲ ହସ୍ପିଟାଲ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଗାଈଗୋରୁଙ୍କୁ ଉଦ୍ଧାର କରି ଓ ଚୋରାଚାଲାଣବେଳେ ଧରାପଡ଼ିଥିବା ଗାଈଗୋରୁଙ୍କୁ ରାଜ୍ୟରେ ଖୋଲାଯିବାକୁ ଥିବା ପ୍ରାୟ ୨୦୦ଗୋଶାଳା ରଖାଯିବାର ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।

ସେହିପରି ରାଜ୍ୟରେ ମତ୍ସ୍ୟଜୀବୀମାନଙ୍କ ସମସ୍ୟାର ସମାଧାନ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସ୍ୟଜୀବୀଙ୍କ ପାଇଁ ଶୀତଳଭଣ୍ଡାର ଖୋଲିବା ନିମନ୍ତେ ସରକାର ଯୋଜନା କରୁଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ।

Related story