ରାଜ୍ୟର ୮ଟି ଏୟାରଷ୍ଟ୍ରିପକୁ ଲିଜ୍‌ରେ ଦେବେ ସରକାର, ଡାକିଲେ ଟେଣ୍ଡର

ରାଜ୍ୟର ୮ଟି ଏୟାରଷ୍ଟ୍ରିପକୁ ଅଧିକ ବ୍ୟବହାର୍ଯ୍ୟ କରିବା ନିମନ୍ତେ ରାଜ୍ୟ ବେସାମରିକ ବିମାନ ଚଳାଚଳ ନୀତି-୨୦୨୦ ଆଧାରରେ ଏଫଟିଓ ସ୍ଥାପନ ନିମନ୍ତେ ପଦକ୍ଷେପ ନେଇଛନ୍ତି ।

Representative Image

  • Published: Monday, 28 October 2024
  • , Updated: 28 October 2024, 10:48 PM IST

ରାଜ୍ୟର ୮ଟି ଏୟାରଷ୍ଟ୍ରିପକୁ ୫ବର୍ଷିଆ ଲିଜରେ ଦେବେ ସରକାର । ଏହି ଏୟାରଷ୍ଟ୍ରିପଗୁଡ଼ିକ ଅଧିକ ବ୍ୟବସାୟିକ ଉପଯୋଗୀକୁ ଦୃଷ୍ଟିରେ ରଖି ତଥା ଓଡ଼ିଶା ବେସାମରିକ ବିମାନ ଚଳାଚଳ ନୀତି-୨୦୨୨ ଅନ୍ତର୍ଗତ ପ୍ରାବଧାନ ଆଧାରରେ ରାଜ୍ୟ ସରକାର ୮ଟି ଏୟାରଷ୍ଟ୍ରିପରେ ଫ୍ଲାଇଟ୍ ଟ୍ରେନିଂ ଅର୍ଗାନାଇଜେସନ (ଏଫଟିଓ) ସ୍ଥାପନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ବିଧିବଦ୍ଧ ଟେଣ୍ଡର ମଧ୍ୟ ଆହ୍ୱାନ କରିଛନ୍ତି ।

ରାଜ୍ୟର ୮ଟି ଏୟାରଷ୍ଟ୍ରିପକୁ ଅଧିକ ବ୍ୟବହାର୍ଯ୍ୟ କରିବା ନିମନ୍ତେ ରାଜ୍ୟ ବେସାମରିକ ବିମାନ ଚଳାଚଳ ନୀତି-୨୦୨୦ ଆଧାରରେ ଏଫଟିଓ ସ୍ଥାପନ ନିମନ୍ତେ ପଦକ୍ଷେପ ନେଇଛନ୍ତି । ବଲାଙ୍ଗୀରର ତୁଷୁରା, ସମ୍ବଲପୁରର ଜମାଦାରପଲ୍ଲୀ, ନୂଆପଡ଼ାର ଗୋଟମା, ବରଗଡ଼ର ପଦମପୁର ନିକଟସ୍ଥ ସତୀଭଟ୍ଟା, ଫୁଲବାଣୀର ଗୁଡାରୀ, ରାଇରଙ୍ଗପୁରର ଦାଣ୍ଡବୋଷ, କେନ୍ଦୁଝର ଜିଲ୍ଲାର ରାଇସୁଁଆ ଓ ବଡ଼ବିଲଠାରେ ଥିବା ଏୟାରଷ୍ଟ୍ରିପକୁ ଲିଜରେ ଦେବା ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି ।

ଟେଣ୍ଡର ସର୍ତ୍ତାବଳୀ ଅନୁସାରେ ଯୋଗ୍ୟ ବିବେଚିତ ନିଲାମଧାରୀମାନଙ୍କୁ  ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଦ୍ୱାରା ନିର୍ଦ୍ଧାରିତ ଗାଇଡଲାଇନ ଓ ନିର୍ଦ୍ଦେଶ ଅନୁସାରେ ପରିଚାଳିତ ହେବାକୁ ପଡ଼ିବ । ନିଲାମରେ ବିଜେତା ସଂସ୍ଥାକୁ ୫ବର୍ଷ ପାଇଁ ଲିଜ୍ ପ୍ରଦାନ କରାଯିବ । ନିଲାମରେ ଯୋଗ୍ୟବିବେଚିତ ସଂସ୍ଥା ନିଜସ୍ୱ ଖର୍ଚ୍ଚରେ ଏୟାରଷ୍ଟ୍ରିପର ଡିଜାଇନ୍‌, ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ କରିବେ । ଏହାସହିତ ୫ବର୍ଷ ପାଇଁ ଭିତ୍ତିଭୂମି ବିକାଶ କରିବେ ଓ ପରବର୍ତ୍ତୀ ସମୟରେ ଏହି ଲିଜ୍ ଅବଧି ଅଧିକ ୫ବର୍ଷ ବୃଦ୍ଧି କରାଯାଇପାରିବ । ରନୱେରେ ପ୍ରତ୍ୟେକ ବର୍ଗମିଟର ପାଇଁ ତାଙ୍କୁ ବାର୍ଷିକ ୩୦ଟଙ୍କା ହିସାବରେ ଦେୟ ଦେବାକୁ ପଡ଼ିବ ।

ଏହି ଏୟାରଷ୍ଟ୍ରିପଗୁଡ଼ିକୁ ଅଧିକ ବ୍ୟବହାର ଉପଯୋଗୀ କରିବା ନିମନ୍ତେ ଓ ଏହାର ରନୱେଗୁଡ଼ିକର ଉଚିତ୍ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ଏବେ ଘରୋଇ ସଂସ୍ଥାଠୁ ଟେଣ୍ଡର ଆହ୍ୱାନ କରିଛନ୍ତି । ଡିସେମ୍ବର ୧୦ତାରିଖ ଏହି ଟେଣ୍ଡର ଦାଖଲର ଶେଷ ଦିନ ରହିଛି ।

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ଏହି ଟେଣ୍ଡର ଦସ୍ତାବିଜ ଅନୁସାରେ, ଯେଉଁ ୮ଟି ଏୟାରଷ୍ଟ୍ରିପର ରନୱେକୁ ଲିଜ୍ ଆକାରରେ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ତା’ର ରନୱେ ଏରିଆ ମଧ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଛି ।

ବଲାଙ୍ଗୀରର ତୁଷୁରାରେ ୧୨୮୫ ମିଟର ଲମ୍ବ ଓ ୩୦ମିଟର ଚଉଡ଼ାର ରନୱେ ରହିଛି । ସେହିପରି ଜମାଦାରପଲ୍ଲୀରେ ୧୨୮୦ମିଟର ଲମ୍ବ ଓ ୧୮ମିଟର ଚଉଡ଼ା, ନୂଆପଡ଼ାରେ ୯୮୫ମିଟର ଲମ୍ବ ଓ ୧୫ମିଟର ଚଉଡ଼ା, ସତୀଭଟାରେ ୧୫୮୦ମିଟର ଲମ୍ବ ଓ ୩୦ମିଟର ଚଉଡ଼ା, ଗୁଡ଼ାରୀରେ ୧୫୦୦ମିଟର ଲମ୍ବ ଓ ୧୫ମିଟର ଚଉଡ଼ା, ରାଇରଙ୍ଗପୁରର ଦାଣ୍ଡବୋଷରେ ୮୮୪ମିଟର ଲମ୍ବ ଓ ୧୫.୨୪ମିଟର ଚଉଡ଼ା, ରାଇସୁଁଆରେ ୯୧୪.୪ମିଟର ଲମ୍ବ ଓ ୩୦.୪୮ମିଟର ଚଉଡ଼ା ଏବଂ ବଡ଼ବିଲରେ ୧୦୩୬ମିଟର ଲମ୍ବ ଓ ୧୫.୨୪ମିଟର ଚଉଡ଼ା ରନୱେ ରହିଛି । ଏହି ରନୱେଗୁଡ଼ିକୁ ବାର୍ଷିକ ବର୍ଗମିଟର ପିଛା ୩୦ଟଙ୍କା ହିସାବରେ ଲିଜ୍ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

Related story