Governor
ଗୁହାରୀ ଶୁଣିଲେ ରାଜ୍ୟପାଳ ରଘୁବର ଦାସ। ଥାଲାସେମିଆ ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ଲକ୍ଷେ ଟଙ୍କା। ଖାଲି ଟଙ୍କା ଦେଲେନି, ଛୁଆର ସୁସ୍ଥ ଜୀବନ ପାଇଁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରା ତାରିଣୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଆଜି ଗଞ୍ଜମ ଗସ୍ତରେ ଯାଇଥିଲେ। ସେ ମାଆ ତାରାତାରିଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ ମାଆଙ୍କ ବେଢ଼ା ପରିକ୍ରମା କରି ମନ୍ଦିର ପୂଜକ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମାଆଙ୍କ ଆଶୀର୍ବାଦ ନେଇ ଫେରୁଥିବା ବେଳେ ପୁରୁଷୋତ୍ତମପୁରଠାରେ ତାଙ୍କ ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦର୍ଶନ ବେହେରା ଓ ଥାଲାସେମିଆରେ ପୀଡ଼ିତ ତାଙ୍କ ପୁଅ ତନ୍ମୟ।
ଗାଡ଼ି ଅଟକିବା ପରେ କୁନି ପୁଅର ଚିକିତ୍ସା ପାଇଁ ଆର୍ଥର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳଙ୍କୁ ଗୁହାରୀ କରିଥିଲେ। ଏପରିକି ତନ୍ମୟଙ୍କ ସବୁ ରିପୋର୍ଟ ଓ ପ୍ରେସ୍ସ୍କ୍ରିପସନ୍ ରାଜ୍ୟପାଳଙ୍କୁ ଦେଇଥିଲେ। ସବୁ ରିପୋର୍ଟ ଦେଖି ଚିକିତ୍ସା ପାଇଁ ସରକାରଙ୍କ ତରଫରୁ କ’ଣ ଟଙ୍କା ମିଳୁନି କି ବୋଲି ରାଜ୍ୟପାଳ ପଚାରିଥିଲେ। ତା’ପରେ ନିଜର ଦୁଃଖ ଜଣାଇଥିଲେ ସୁଦର୍ଶନ ବେହେରା। ତାଙ୍କଠାରୁ ସବୁ ଶୁଣିବା ଛୁଆର ଚିକିତ୍ସା ପାଇଁ ଲକ୍ଷେ ଟଙ୍କା ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସେପଟେ ରାଜ୍ୟପାଳ ଆଜି ଖଲ୍ଲିକୋଟ ବ୍ଲକ୍ ଡିମିରିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ। ଦୀର୍ଘ ସମୟ ଧରି ପିଲାଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ବେଳେ ଭବିଷ୍ୟତରେ କ’ଣ ହେବ ବୋଲି ଜଣେ ପରେ ଜଣେ ଛାତ୍ରଛାତ୍ରୀଙ୍କୁ ପଚାରିଥିଲେ। ସବୁ ପିଲା ନିଜ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ କହିଥିଲେ। ପିଲାଙ୍କଠାରୁ ସବୁ କଥା ଶୁଣିବା ପରେ ବଡ଼ ସ୍ୱପ୍ନ ଦେଖିବା ପାଇଁ ପରାମର୍ଶ ଦେଇଥିଲେ ରାଜ୍ୟପାଳ। ଏଥିସହ ନୂଆ ଜାତୀୟ ଶିକ୍ଷାନୀତି କେମିତି ଭବିଷ୍ୟତ ଗଠନରେ ସହାୟକ ହେବ ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ସ୍କୁଲରେ ପଢ଼ୁଥିବା କିଛି ଆଦିବାସୀ ଛାତ୍ରୀଙ୍କ ସହ କଥା ହେବା ବେଳେ ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଉଦାହରଣ ଦେଇ ଅନେକ କିଛି କଥା କହିଥିଲେ ରାଜ୍ୟପାଳ।
ରିପୋର୍ଟ- ଖଲ୍ଲିକୋଟରୁ ଶିଲୁ ବିଶ୍ୱଳ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Governor_1704991127.jpg)