‘ଏଏସଓଙ୍କୁ ମାଡ଼ ଘଟଣା, ନ୍ୟାୟ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟପାଳ’

ରଥଯାତ୍ରା ଡ୍ୟୁଟିରେ ଯାଇଥିବା ତାଙ୍କ ସ୍ୱାମୀଙ୍କୁ ପୁରୀ ରାଜଭବନ ପରିସରରେ ରାଜ୍ୟପାଳଙ୍କ ପୁଅ କିଭଳି ମାଡ଼ ମାରିଥିଲେ ସେସମସ୍ତ ଘଟଣା ସମ୍ପର୍କରେ ଅବଗତ ହେଲେ । ତାଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବୈକୁଣ୍ଠନାଥ ପ୍ରଧାନଙ୍କ ପତ୍ନୀ

  • Published: Saturday, 13 July 2024
  • , Updated: 13 July 2024, 10:43 PM IST

କର୍ତ୍ତବ୍ୟରତ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ପୁରୀ ରାଜଭବନ ପରିସରରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ମାଡ଼ ମାରିବା ଘଟଣା ନୂଆମୋଡ଼ ନେଇଛି। ରାଜ୍ୟପାଳ ଶ୍ରୀ ଦାସ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ପୀଡ଼ିତ ଶ୍ରୀ ପ୍ରଧାନ ଓ ତାଙ୍କ ପତ୍ନୀଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାସହିତ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ୭ଦିନ ମଧ୍ୟରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କ ପତ୍ନୀ ସାୟୋଜୀ କୁମାରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟପାଳ ତାଙ୍କୁ ଆଜି ଡାକି ତାଙ୍କର କଥା ସବୁ ଶୁଣିଛନ୍ତି । ରଥଯାତ୍ରା ଡ୍ୟୁଟିରେ ଯାଇଥିବା ତାଙ୍କ ସ୍ୱାମୀଙ୍କୁ ପୁରୀ ରାଜଭବନ ପରିସରରେ ରାଜ୍ୟପାଳଙ୍କ ପୁଅ କିଭଳି ମାଡ଼ ମାରିଥିଲେ ସେସମସ୍ତ ଘଟଣା ସମ୍ପର୍କରେ ଅବଗତ ହେଲେ । ତାଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଲଳିତଙ୍କ ବିରୁଦ୍ଧରେ କେଉଁଭଳି କାର୍ଯ୍ୟାନୁଷ୍ଠାନ ଚାହୁଁଛନ୍ତି ବୋଲି ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ପ୍ରଧାନ କହିଛନ୍ତି ଯେ, ଆମେ ଧେର୍ଯ୍ୟର ସହ ଅପେକ୍ଷା କରିଛୁ, ଆମକୁ ନ୍ୟାୟ ଦେବା ପାଇଁ ରାଜ୍ୟପାଳ କ’ଣ ପଦକ୍ଷେପ ନେଉଛନ୍ତି । ତା’ପରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ ।

ଏହାପୂର୍ବରୁ ଶ୍ରୀମତୀ ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ସହ ଘଟିଥିବା ସମସ୍ତ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ଘଟଣା ଶୁଣିବା ପରେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀମତୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ।

ସୂଚନାଯୋଗ୍ୟ, ପୁରୀ ରାଜଭବନ ପରିସରରେ ଜୁଲାଇ ୭ତାରିଖ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କର ୫ଜଣ ସହଯୋଗୀ ମିଳିତ ଭାବେ ସେଠାରେ କାର୍ଯ୍ୟରତ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଶ୍ରୀ ପ୍ରଧାନ ନିଜେ ଏନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଲିଖିତ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା । ଲଳିତ ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଶ୍ରୀ ପ୍ରଧାନ ମଧ୍ୟ ପୁରୀ ସମୁଦ୍ରକୂଳ ଥାନାରେ ଗତକାଲି ଏକ ମାମଲା ମଧ୍ୟ ରୁଜୁ କରିଥିବା ଜଣାପଡ଼ିଛି ।

Related story