Advertisment

ସରପଞ୍ଚଙ୍କ ବଦଳରେ ଆସିଲେ ସ୍ୱାମୀ, ଅସନ୍ତୋଷ ପ୍ରକାଶ କଲେ ରାଜ୍ୟପାଳ

ଆଜି ରାଜ୍ୟପାଳ ରଘୁବର ଦାସ ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଇଥିଲେ। ସଦର ବ୍ଲକ ତାଲପଟିଆ ଗାଁକୁ ଯାଇ ସେ ଲୋକଙ୍କ ସହ କଥା ହୋଇଥିଲେ।

author-image
Hemant Lenka
Odisha

Odisha

ଲୋକଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ପ୍ରଥମେ ଆଲୋଚନା କଲେ। ଏହାପରେ ସମସ୍ୟାର ସାମାଧାନ ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ଡାକିଲେ। କିନ୍ତୁ ସରପଞ୍ଚଙ୍କ ବଦଳରେ ରାଜ୍ୟପାଳ ରଘୁବର ଦାସଙ୍କ ପାଖକୁ ତାଙ୍କ ସ୍ୱାମୀ ଆସି ପହଞ୍ଚି ଯାଇଥିଲେ। ବାସ୍‌ ମହିଳା ସରପଞ୍ଚଙ୍କ ବଦଳରେ ତାଙ୍କ ସ୍ୱାମୀଙ୍କୁ ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟପାଳ ଦାସ। ଏନେଇ ସେ ମହିଳା ସରପଞ୍ଚଙ୍କ ସ୍ୱୀମୀଙ୍କୁ ତାଗିଦ କରିଛନ୍ତି। ଏଥିସହ ଲୋକମାନେ ତାଙ୍କ ପତ୍ନୀଙ୍କୁ ଭୋଟ ଦେଇ ସରପଞ୍ଚ କରାଇଥିବାରୁ ସେମାନଙ୍କ ସମସ୍ୟା ସେ ହିଁ ବୁଝିବେ ବୋଲି ମଧ୍ୟ ରାଜ୍ୟପାଳ ପରୋକ୍ଷରେ କହିଛନ୍ତି। 

Advertisment

ଆଜି ରାଜ୍ୟପାଳ ରଘୁବର ଦାସ ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଇଥିଲେ। ସଦର ବ୍ଲକ ତାଲପଟିଆ ଗାଁକୁ ଯାଇ ସେ ଲୋକଙ୍କ ସହ କଥା ହୋଇଥିଲେ। ଲୋକଙ୍କ ଭଲମନ୍ଦ ଶୁଣିବାଥିଲେ। ଏହି ସମୟରେ ଜଣେ ଚାଷୀ ତାଙ୍କୁ କହିଥିଲେ ଯେ ସେ ଜଣେ ଛୋଟ ଚାଷୀ। ତେଣୁ ବୀହନର କିଣା ମୂଲ୍ୟ କମ ହେଲେ ତାଙ୍କ ଭଳି ଛୋଟ ଚାଷୀମାନ ଉପକୃତ ହୋଇ ପାଇବେ ବୋଲି ସେ ରାଜ୍ୟପାଳଙ୍କୁ କହିଥିଲେ।

ଏହା ଶୁଣିବା ପରେ ପରେ ରାଜ୍ୟପାଳ ଦାସ ସ୍ଥାନୀୟ ସରପଞ୍ଚଙ୍କୁ ଡକାଇଥିଲେ। କିନ୍ତୁ ମହିଳା ସରପଞ୍ଚ ଗାଁରେ ନଥିଲେ। ତାଙ୍କ ସ୍ୱାମୀ ରାଜ୍ୟପାଳଙ୍କ ସମ୍ମୁଖକୁ ଆସିଥିଲେ। ଏହାକୁ ନେଇ ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିବା ସହ ସରପଞ୍ଚଙ୍କ କାମରେ ହସ୍ତକ୍ଷେପ ନକରିବାକୁ ସରପଞ୍ଚଙ୍କ ସ୍ୱାମୀଙ୍କୁ ତାଗିତ କରିଛନ୍ତି। ଏଥିସହ ତାଙ୍କୁ ମହିଳା ସଶକ୍ତିକରଣ ସମ୍ପର୍କରେ ମଧ୍ୟ ବୁଝାଇଛନ୍ତି। ସେ କହିଥିଲେ, ଆପଣ ସରପଞ୍ଚଙ୍କ ସ୍ୱାମୀ। ତାଙ୍କୁ କାମ କରିବାକୁ ଦେଉଛନ୍ତି ନା ନିଜ କାମ କରୁଛନ୍ତି? ମହିଳାଙ୍କୁ କାମ କରିବାକୁ ଦିଅନ୍ତି। ମହିଳା ସଶକ୍ତିକରଣ କରାନ୍ତୁ ବୋଲି ସେ କହି‌ଥିଲେ। ସରପଞ୍ଚଙ୍କ ସ୍ୱାମୀ ମଧ୍ୟ ଏଥିରେ ହଁ ଭରିଛନ୍ତି। 

Advertisment

ଆଜି ସକାଳ ୧୦.୪୫ରେ ରାଜ୍ୟପାଳ ଝାରସୁଗୁଡା OMP ସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଜିଲ୍ଲା ପୁଲିସ ତାଙ୍କୁ ଗାର୍ଡ ଅଫ ଅନର ଦେଇଥିଲା। ଏହାପରେ ରାଜ୍ୟପାଳ ଦ୍ୱିତୀୟ ବାଟାଲିୟନ OMP ଅଙ୍ଗନବାଡି କେନ୍ଦ୍ରରେ ଛୋଟ ଛୋଟ ଛୁଆ ଓ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲେ।

ପୋଷଣ ଯୋଜନା ଓ ଅଙ୍ଗନବାଡି ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ବିଷୟରେ ରାଜ୍ୟପାଳ ପଚାରି ବୁଝିଥିଲେ। ଏହି ସମୟରେ ଅଙ୍ଗନବାଡି କାର୍ମୀଙ୍କ ଦରମା ବୃଦ୍ଧି କରିବାକୁ ଅଭିଭାବକମାନେ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି।

ଆଜିର ଏହି ଦିନିକିଆ ଗସ୍ତରେ ରାଜ୍ୟପାଳ ଦାସ ଦୁର୍ଲଗା ଗସ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ହିତାଧିକାରୀଙ୍କସହ ଆଲୋଚନା କରିଛନ୍ତି। ତାଳପଟିଆ, ଦୁଲର୍ଗା , କଟାପାଲି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଓ ଡାକ୍ତର ମାନଙ୍କସହ ବି ସେ ଆଲୋଚନା କରିଛନ୍ତି।

Odisha Jharsuguda Governor Raghubar Das