/odisha-reporter/media/post_attachments/uploadimage/library/16_9/16_9_0/IMAGE_1743518016.jpg)
Lok Seva Bhawan
ଅଗଷ୍ଟ ୨୮ (ଗୁରୁବାର) ହେଉଛି ନୂଆଖାଇ। ଏହି ଦିନଟି ସରକାରୀ ଛୁଟି। ତେବେ ନୂଆଖାଇ ପରଦିନଟି ମଧ୍ୟ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେଣୁ ରାଜ୍ୟ ସରକାର ଅଗଷ୍ଟ ୨୯ ତାରିଖ (ଶୁକ୍ରବାର)କୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ନୂଆଖାଇ ପର୍ବ ଉପଲକ୍ଷେ ରାଜ୍ୟ ସରକାର ଆଗ୍ରହର ସହିତ ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ରାଜସ୍ୱ ଓ ମ୍ୟାଜିଷ୍ଟେରିଆଲ କୋର୍ଟଗୁଡ଼ିକ ଛୁଟି ରହିବ।
ସରକାର ଅଗଷ୍ଟ ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା କରିଥିବା ବେଳେ ଆସନ୍ତା ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାରକୁ କାର୍ଯ୍ୟ ଦିବସ ଘୋଷଣା କରିଛନ୍ତି। ପ୍ରତିମାସର ଦ୍ୱିତୀୟ ଶନିବାର ସରକାରୀ ଛୁଟି ରହୁଥିବା ବେଳେ ସେହିଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ଅବସରରେ ପ୍ରତିବର୍ଷ ଛୁଟି ଘୋଷଣା କରାଯାଇଥାଏ। ତେବେ ନୂଆଖାଇ ପରଦିନ ମଧ୍ୟ ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେ ଦିନ ଆତ୍ମୀୟ ସ୍ୱଜନମାନେ ପରସ୍ପର ସହ ସାକ୍ଷାତ କରି ‘ନୂଆଖାଇ ଜୁହାର’ କରନ୍ତି ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି। ପାରିବାରିକ, ସାମାଜିକ ଓ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ କରିବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ଦିନ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ନୂଆଖାଇର ପରଦିନ ଅର୍ଥାତ ୨୯ ତାରିଖ (ଶୁକ୍ରବାର)କୁ ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟେରିଆଲ କୋର୍ଟପାଇଁ ଛୁଟି ଘୋଷଣା କରିଛନ୍ତି। ଏହା ପରିବର୍ତ୍ତେ ସେପ୍ଟେମ୍ବର ୧୩ ତାରିଖ, ଦ୍ୱିତୀୟ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
