ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଣଚାଷୀ। ପ୍ରକୃତ ଚାଷୀ ଖୋଜିବେ ମୋହନ ସରକାର। ଜାନୁଆରୀରୁ ଆରମ୍ଭ ହେବ ପଞ୍ଜୀକରଣ। ଚାଷୀଙ୍କୁ ମିଳିବ ୧୪ ଟିକିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି। ଡିଜିଟାଲ କୃଷକ କାର୍ଡ ବି ଯୋଗାଇ ଦେବେ ସରକାର। ଏଥିପାଇଁ ଚାଷୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ଆକ୍ସନ ପ୍ଲାନ ଏବଂ ଏସଓପିକୁ ପଠାଇଛି କୃଷି ବିଭାଗ।
ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୧ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଚାଲିବ। ଏଥିପାଇଁ ସବୁ ପଞ୍ଚାୟତରେ ଖୋଲିବ ସ୍ୱତନ୍ତ୍ର ଶିବିର। ଏହି ଶିବିରରେ ୨ଜଣ ଲେଖାଏଁ ଗ୍ରାମ୍ୟ କୃଷି ସେବକ ଓ ଜଣେ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ରହିବେ। ଚାଷୀଙ୍କୁ ଶିବିର ପର୍ଯ୍ୟନ୍ତ ଆଣିବା ପାଇଁ ସ୍ଥାନୀୟ କୃଷକ ସାଥୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ପ୍ରତ୍ୟେକ ଶିବିରର ତଦାରଖ ଦାୟିତ୍ୱରେ କୃଷି ଓଭରସିୟର, ବ୍ଲକ୍ କୃଷି ଅଧିକାରୀ, ଅତିରିକ୍ତ ତହସିଲଦାର କିମ୍ବା ତହସିଲଦାରଙ୍କ ମଧ୍ୟରୁ ଜଣେ ରହିବେ। ଚାଷୀମାନେ ନିଜର ଆଧାର କାର୍ଡ, ଆଧାର ଲିଙ୍କ ଥିବା ମୋବାଇଲ ଫୋନ୍, ଜମି ପଟ୍ଟା ( ଯାହା ଭୂଲେଖରେ ରେକର୍ଡ ଥିବ) ଅବା ଖର୍ଦ୍ଦି ଦଲିଲ ଦାଖଲ କରି ପଞ୍ଜିକରଣ କରିବେ। ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ଏହି ଶିବିରରେ ପିଏମ୍ କିଷାନ, ପ୍ରଧାନମନ୍ତ୍ରୀ ଫସଲବୀମା, କୃଷକ ଓଡ଼ିଶାର ହିତାଧିକାରୀଙ୍କ ପଞ୍ଜିକରଣ ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ମାର୍ଚ୍ଚ ୩୧ରୁ ଆରମ୍ଭ ହେବ, ଯାହା ୩ଟି ମାଧ୍ୟମରେ ବ୍ୟକ୍ତିଗତସ୍ତରରେ ଏଗ୍ରିଷ୍ଟାକ୍ ୱେବସାଇଟ୍ ଅବା ଆପ୍ ଜରିଆରେ, ଜନସେବା କେନ୍ଦ୍ରରେ ଓ ସହାୟକ ମଡେଲକୁ ଉପଯୋଗ କରି ଚାଷୀ ପଞ୍ଜିକରଣ କରାଯିବ।
ମୋହନ ସରକାରଙ୍କ ଏହି ନିଷ୍ପତ୍ତି ପରେ ବେଶ୍ ଖୁସି ଅଛନ୍ତି ସରକାରୀ ଯୋଜନାରୁ ବାଦ୍ ପଡ଼ିଥିବା ଚାଷୀ। ସେମାନଙ୍କ ମଧ୍ୟରେ ଅଛନ୍ତି ଅତାବିରାର ଚାଷୀ ଦଶରଥ ଭୋଇ। ବାପ-ଅଜା ଅମଳରୁ ଚାଷ କରି ଆସୁଛନ୍ତି। କିନ୍ତୁ ଏଯାଏଁ କୌଣସି ସରକାରୀ ଯୋଜନା ପାଇ ନାହାନ୍ତି। କାଳିଆ ଓ ପିଏମ କିଷାନ ଯୋଜନାରୁ ବାଦ୍ ପଡ଼ିଛନ୍ତି ସେ। ସେହିପରି ଆଉ ଜଣେ ଚାଷୀ ହେଉଛନ୍ତି ବରଗଡ଼ର ସୁରେଶ ନିକାଣ୍ଟି। ତାଙ୍କ ନାଁ ବି ସରକାରଙ୍କ ଚାଷୀ ତାଲିକାରେ ନାହିଁ। ତେଣୁ ପ୍ରକୃତ ଚାଷୀଙ୍କୁ ସରକାରୀ ଯୋଜନାରେ ସାମିଲ ପାଇଁ ସରକାର ସର୍ଭେ କରିବାକୁ ଯାଉଥିବା ଖବରରେ ଉଭୟେ ବେଶ୍ ଆଶାବାଦୀ ସରକାରୀ ସୁବିଧା ପାଇବା ପାଇଁ।
ପୁରୁଣା ସରକାରରେ ଅଣଚାଷୀ ଓ ଦଳୀୟ ଭିତ୍ତିରେ ଚାଷୀଙ୍କ ପାଇଁ ସରକାରୀ ଯୋଜନା ବାଣ୍ଟିବା ଏକ ବଡ଼ ପ୍ରସଙ୍ଗ ଥିଲା। ତେଣୁ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଏବଂ କାର୍ଯ୍ୟକ୍ରମ ପ୍ରଦାନ ନିମନ୍ତେ ମୋହନ ସରକାରଙ୍କ ଏ ଡିଜିଟାଲ ଡାଟାବେସ୍ କେତେ ସଫଳ ହେଉଛି ତା’ଉପରେ ରହିଛି ସମସ୍ତଙ୍କ ନଜର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।