Wine
ପୂର୍ବ ବିଜେଡି ସରକାର ଭଳି ରାଜ୍ୟର ମୋହନ ମାଝୀ ସରକାର ଏବେ ଅବକାରୀ ରାଜସ୍ୱ ସଂଗ୍ରହ ନିଶାରେ ମସଗୁଲ । ନିଜସ୍ୱ ରାଜସ୍ୱର ପ୍ରାୟ ୧୪.୭% ଅର୍ଥ କେବଳ ଅବକାରୀ ରାଜସ୍ୱରୁ ପାଇବାକୁ ଲକ୍ଷ୍ୟ ରଖିଥିବା ସରକାର ଏବେ ମଦ ଦୋକାନକୁ ବନ୍ଦ କରିବା ମୁଡରେ ନାହାନ୍ତି । ଓଲଟା ଦୀର୍ଘଦିନ ଧରି ବନ୍ଦ ପଡ଼ିଥିବା ୭୦ଟି ମଦ ଦୋକାନକୁ ଖୋଲିବାକୁ ଅନୁମତି ଦେଇଛନ୍ତି । ଓଡ଼ିଶାକୁ ‘ନିଶାମୁକ୍ତ ରାଜ୍ୟ’ ଘୋଷଣା କରିବାର କୌଣସି ପ୍ରସ୍ତାବ ସରକାରଙ୍କ ନାହିଁ ବୋଲି ଆଜି ବିଧାନସଭାରେ ରୋକଠୋକ୍ ସୂଚନା ଦେଇଛନ୍ତି ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଉ ନିଶାସେବନ ଆଦିର ସଚେତନତା ପାଇଁ ୧୦୦କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିବା ପାଇଁ ଅବକାରୀ ନୀତିରେ ଗତ ଏକବର୍ଷରୁ ଅଧିକ ସମୟ ହେବ ଘୋଷଣା କରିଥିବା ରାଜ୍ୟ ସରକାର ତାହା ଏବେବି ବିଚାରାଧୀନ ଥିବା କହିଛନ୍ତି । ରାଜ୍ୟରେ ମଦର ବ୍ୟାପାକ ପ୍ରସାରକୁ ନେଇ ସରକାରଙ୍କ ଏଭଳି ୟୁଟର୍ଣ୍ଣକୁ ନେଇ ଏବେ ବିରୋଧୀ ଦଳ ଓ ବୁଦ୍ଧୀଜୀବ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ରାଜସ୍ୱ ସଂଗ୍ରହରେ ଅଭୂତପୂର୍ବ ବୃଦ୍ଧି, ଶୀତଳଭଣ୍ଡାରରେ ୧୦୦କୋଟିର ପାଣ୍ଠି
ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ଦେଇଥିବା ଲିଖିତ ଉତ୍ତରରେ କହିଛନ୍ତି ଯେ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟରେ ୮୬୮୦ କୋଟି ଟଙ୍କାର ଅବକାରୀ ରାଜସ୍ୱର ଆକଳନ କରାଯାଇଥିଲା । ଯାହାକି ରାଜ୍ୟର ମୋଟ ନିଜସ୍ୱ ଟିକସ ୫୯ହଜାର କୋଟି ଟଙ୍କାର ପ୍ରାୟ ୧୪.୭% ଥିଲା । ୨୦୨୩-୨୪ରେ ଅବକାରୀ ରାଜସ୍ୱ ୭୨୧୭ କୋଟି ଟଙ୍କା ଥିଲା । ସେହିପରି ନିଶା ସେବନକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ୧୦୦କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ ପ୍ରସ୍ତାବ ଏବେବି ବିଚରାଧୀନ ଥିବା ମନ୍ତ୍ରୀ କହିଛନ୍ତି । ଗତବର୍ଷ ଅବକାରୀ ନୀତିରେ ଏହି ୧୦୦କୋଟି ଟଙ୍କା ପାଣ୍ଠି କଥା ସରକାର ସୂଚନା ଦେଇଥିଲେ । ବିଧାୟକ ସାଗର ଦାସଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ଏହି ଲିଖିତ ଉତ୍ତର ଦେବା ସହ ୨୦୨୫ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ୩୨୩୨କୋଟି ଟଙ୍କା ଅବକାରୀ ଟିକସ ମଧ୍ୟ ପାଇଥିବା କହିଛନ୍ତି । ରାଜ୍ୟରେ ବିଜେପି ସରକାର ଆସିବା ପରେ ୨୦୨୪ ଜୁନରୁ ଏପର୍ଯ୍ୟନ୍ତ ବିଭାଗ ମୋଟ ୧୨୧୫୫କୋଟି ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ କରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ନିଶା ସାମଗ୍ରୀର ପ୍ରଚାରପ୍ରସାରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପୂର୍ବରୁ କରିଥିବା ଘୋଷଣା ଓ ବୟାନ ଏବଂ ଏପର୍ଯ୍ୟନ୍ତ କରିଥିବା କାର୍ଯ୍ୟ ମଧ୍ୟରେ ବିରାଟ ତଫାତ୍ ଥିବା ପ୍ରମାଣିତ ହୋଇଛି ।
ବରଗଡ଼ ଓ ସମ୍ବଲପୁରରୁ ମିଳୁଛି ଅଧିକ ଅବକାରୀ ଟିକସ
ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ପଶ୍ଚିମ ଓଡ଼ିଶାର ବରଗଡ଼ ଓ ସମ୍ବଲପୁରରୁ ସର୍ବାଧିକ ଅବକାରୀ ରାଜସ୍ୱ ସଂଗ୍ରହ ହୋଇଛି । ସର୍ବାଧିକ ରାଜସ୍ୱ ବରଗଡ଼ ଜିଲ୍ଲାରୁ ୧୫୧.୫୭ କୋଟି ଟଙ୍କା ଓ ସମ୍ବଲପୁରରୁ ୧୪୬.୬୩କୋଟି ଟଙ୍କା ରାଜସ୍ୱ ସଂଗୃହୀତ ହୋଇଛି । ବଲାଙ୍ଗୀର ଜିଲ୍ଲାରୁ ୮୬.୭୬ କୋଟି ଟଙ୍କା ଓ ଝାରସୁଗୁଡ଼ା ଜିଲ୍ଲାରୁ ୮୧.୫୮କୋଟି ଓ କଳାହାଣ୍ଡି ଜିଲ୍ଲାରୁ ୮୪.୮୭କୋଟି ଟଙ୍କାର ଅବକାରୀ ରାଜସ୍ୱ ମିଳିଛି ।
ନୀତିଗତ ବିରୋଧାଭାସ: ୭୦ଟି ବନ୍ଦ ଦୋକାନକୁ ପୁନଃ ଖୋଲିବାକୁ ଅନୁମତି
ବିଜେଡି ବିଧାୟକ ଶାରଦା ପ୍ରସାଦ ନାୟକ ଓ ଯୋଗେଶ କୁମାର ସିଂଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରୋକଠୋକ୍ ଓଡ଼ିଶାକୁ "ନିଶାମୁକ୍ତ ରାଜ୍ୟ’ ଘୋଷଣା କରିବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏକ ଚିନ୍ତାଜନକ ତଥ୍ୟ ପଦାକୁ ଆସିଛି । ପୂର୍ବରୁ ବନ୍ଦ ଥିବା ୭୦ଟି ମଦ ଦୋକାନକୁ ପୁନଃ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି ବୋଲି ଗୃହକୁ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଦୋକାନଗୁଡ଼ିକ ମଧ୍ୟରେ ବାଲେଶ୍ୱରରେ ୧୭ଟି, କଟକରେ ୭ଟି, ଗଞ୍ଜାମରେ ୧୦ଟି, କେନ୍ଦୁଝରରେ ୩ଟି, ମୟୂରଭଞ୍ଜରେ ୮ଟି, ନୟାଗଡ଼ରେ ୯ଟି ଏବଂ ରାଉରକେଲାରେ ୫ଟି ଦୋକାନ ସାମିଲ ରହିଛି । ଏହାବ୍ୟତୀତ ନୂଆ ମଦ ଦୋକାନ ଏବଂ ମଦ କାରଖାନା ଖୋଲିବା ପାଇଁ ମଧ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ରହିଛି ବୋଲି ମନ୍ତ୍ରୀ ସୂଚନା ଦେବା ସିଧାସଳଖ ରାଜ୍ୟରେ ମଦ ବ୍ୟବସାୟକୁ ଅଧିକ ପ୍ରୋତ୍ସାହିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ଚର୍ଚ୍ଚା ହେଉଛି ।
ଦୁର୍ବଳ କାର୍ଯ୍ୟକାରିତା ଏବଂ ଆଇନଗତ ବିଫଳତା
ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, \"ନିଶାର ପ୍ରସାର ଯୋଗୁଁ ଅପରାଧ’ ଘଟୁଥିବାର ଖବର ତାଙ୍କ ବିଭାଗର ନଜରକୁ ଆସିନାହିଁ । ତେବେ ଗତ ୫ ବର୍ଷ ମଧ୍ୟରେ ବାଲେଶ୍ୱର ଏବଂ ବରଗଡ଼ ଜିଲ୍ଲାରେ ଯଥାକ୍ରମେ ୧୧୨୭୩ ଏବଂ ୨୨୭୫୧ ଅବକାରୀ ମାମଲା ଅଦାଲତରେ ବିଚାରାଧୀନ ଥିବାବେଳେ, ଏହି ଦୁଇ ଜିଲ୍ଲାରେ ଦୋଷୀ ସାବ୍ୟସ୍ତ ହାର ଶୂନ୍ୟ ରହିଛି । ମନ୍ତ୍ରୀ ଦେଇଥିବା ଉତ୍ତରରୁ ଏହି ତଥ୍ୟ ପଦାକୁ ଆସିଥିବାବେଳେ ଆଇନ କାର୍ଯ୍ୟକାରୀ କରାଇବାରେ ସରକାରଙ୍କ କଠୋର ଆଭିମୁଖ୍ୟ ନଥିବା ଯୋଗୁ ଦୋଷୀ ସହଜରେ ଖସିଯାଉଥିବା ଜଣାପଡ଼ିଛି ।
ଆନ୍ଦୋଳନକାରୀଙ୍କ ପ୍ରତି ଦମନମୂଳକ ନୀତି
ସରକାର ମଦ ବିରୋଧୀ ଆନ୍ଦୋଳନକାରୀଙ୍କ ପ୍ରତି ମଧ୍ୟ ଦମନମୂଳକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିଧାୟକ ପବିତ୍ର ସାଉଁତା ଓ ସୋଫିଆ ଫିର୍ଦ୍ଦୋଷଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଉତ୍ତରରୁ ଏହା ଜଣାପଡ଼ିଛି । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ମଦ ଦୋକାନର ବିରୋଧ କରୁଥିବା ଜଣେ ବିଧାୟକଙ୍କ ସମେତ ୪୦୦ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ପୁଲିସ ମାମଲା ରୁଜୁ କରାଯାଇଛି । ଏହା ସରକାରଙ୍କ ବିରୋଧାତ୍ମକ ସ୍ୱରକୁ ଦମନ କରିବା ଏବଂ ଜନ ଭାବନାକୁ ଅଣଦେଖା କରିବାର ନୀତିକୁ ଦର୍ଶାଉଛି । ତେବେ ଅବକାରୀ ମନ୍ତ୍ରୀ ଏନେଇ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି । ସେହିପରି ରାଜ୍ୟର ବିଭିନ୍ନ ମଦ ଦୋକାନ ବିରୁଦ୍ଧରେ ମୋଟ ୨୩୭ଟି ଅଭିଯୋଗ ମିଳିଛି । ଏଥିରୁ ୩୩ଟି ଅଭିଯୋଗ ବିଶେଷକରି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ପାଖର ମଦଦୋକାନ ସହ ଜଡ଼ିତ । ଅବଶ୍ୟ ଏସବୁ ଅଭିଯୋଗ ସତ୍ତ୍ୱେ କେବଳ ୮ଟି ଦୋକାନକୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟରେ ଏବେବି ୩୭୪ଟି ଦୋକାନ ଶିକ୍ଷାନୁଷ୍ଠାନ ଓ ଧାର୍ମିକ ପୀଠର ୫୦୦ମିଟର ପରିସରରେ ରହିଥିବା ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସ୍ୱୀକାର କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Wine_1722702887.jpg)