Advertisment

ଘରେ ଚାଲିଥିଲା ଶୋକସଭା, ଆସି ପହଞ୍ଚିଲେ ମୃତକ

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଚିହ୍ନଟ କରି ସତ୍କାର କରିଦେଲେ ପରିବାର ଲୋକେ। ନିଜ ଶ୍ରଦ୍ଧାଞ୍ଜଳି ସଭାକୁ ଫେରିଲେ ମୃତକ।

Brijesh Suthar Photo

Brijesh Suthar Photo

Advertisment

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଚିହ୍ନଟ କଲେ ପରିବାର। ଶେଷକୃତ୍ୟ ବି ସରିଲା। ଏହାପରେ ନିଜର ଶ୍ରଦ୍ଧାଞ୍ଜଳି ସଭାରେ ନିଜେ ଆସି ପହଞ୍ଚିଗଲେ ନିଖୋଜ ବ୍ୟକ୍ତି। ଏସବୁ ରିଲ୍‌ ଲାଇଫର କାହାଣୀ ଆମେ ଅନେକ ଶୁଣିଛେ। ହେଲେ ଏବେ ରିଅଲ୍ ଲାଇଫରେ ଏଭଳି କିଛି ଘଟିଛି ଗୁଜରାଟର ମେହସାନା ଜିଲ୍ଲାରେ। ଯାହାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରୁଥିଲେ ପରିବାର ଲୋକେ, ସେ ନିଜେ ତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପହଞ୍ଚିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ଖବର ଅନୁଯାୟୀ, ବ୍ରିଜେଶ ସୂତାର ନାମକ ଜଣେ ବ୍ୟକ୍ତି ତାଙ୍କ ଷ୍ଟକ୍ ମାର୍କେଟ ବ୍ୟବସାୟ ସହ ଜଡିତ ଆର୍ଥିକ ସମସ୍ୟା ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ଗତ ଅକ୍ଟୋବର ୨୭ରେ ସେ ଅହମ୍ମଦାବାଦର ନରୋଡାସ୍ଥିତ ନିଜ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ପରିବାର ଲୋକ କିଛିଦିନ ଖୋଜାଖୋଜି କରିବା ପରେ ନପାଇବାରୁ ଶେଷରେ ନାରୋଡା ପୁଲିସ ନିକଟରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ।

ନଭେମ୍ବର ୧୦ରେ, ସାବରମତି ବ୍ରିଜ ନିକଟରେ ପୁଲିସ ଏକ ଅଜଣା ମୃତଦେହ ପାଇଥିଲା। ମୃତଦେହଟି କିଛିଦିନ ପୂର୍ବର ହୋଇଥିବାରୁ ଏହା ନଷ୍ଟ ହୋଇଯାଇଥିଲା। ସମ୍ଭାବ୍ୟ ଚିହ୍ନଟ ପାଇଁ ସୂତାର ପରିବାରକୁ ଡାକିଥିଲା ପୁଲିସ। ଚିହ୍ନିବାରେ କଷ୍ଟ ହେବା ସତ୍ତ୍ୱେ ବ୍ରିଜେଶଙ୍କ ଭିଣୋଇ ଏବଂ ଅନ୍ୟ ସମ୍ପର୍କୀୟମାନେ ଭୁଲରେ ତାଙ୍କୁ ବ୍ରିଜେଶ ବୋଲି ଚିହ୍ନଟ କରିଥିଲେ। ମୃତଦେହକୁ ନେଇ ପରିବାର ଶେଷକୃତ୍ୟ ସମ୍ପନ୍ନ କରିଥିଲେ।

Advertisment

ଏହାପରେ ୧୪ ନଭେମ୍ବରରେ ବିଜାପୁରରେ ବ୍ରିଜେଶଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଯେତେବେଳେ ସମ୍ପର୍କୀୟ ଏବଂ ବନ୍ଧୁମାନେ ବ୍ରିଜେଶଙ୍କ ମୃତ୍ୟୁ ପାଇଁ ଶୋକ କରିବାକୁ ଏକତ୍ରିତ ହୋଇଥିଲେ, ସେଠାରେ ଅପ୍ରତ୍ୟାଶିତ ଭାବରେ ଖୋଦ ବ୍ରିଜେଶ ଜୀବନ୍ତ ଏବଂ ସୁସ୍ଥ ଭାବରେ ଆସି ପହଞ୍ଚିଥିଲେ। ବ୍ରିଜେଶଙ୍କୁ ଦେଖି ତାଙ୍କ ପରିବାର ସଦସ୍ୟଙ୍କ ସମେତ ସେଠାରେ ଉପସ୍ଥିତ ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ବ୍ରିଜେଶଙ୍କ ମୃତଦେହ ଭାବି ଯେଉଁ ମୃତଦେହର ସତ୍କାର କରାଯାଇଛି, ତାହାକୁ ବ୍ରିଜେଶଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ଏହାର ବ୍ୟବଚ୍ଛେଦ କରାଯାଇଥିଲା ବୋଲି ପୁଲିସ କହିଛି। ସେହି ମୃତଦେହକୁ ନେଇ ଏବେ ପୁଲିସ ତଦନ୍ତ ଆରମ୍ଭ କରିଛି। 

Dead Man Found Alive Dead Man Return Home Brijesh Suthar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe