/odisha-reporter/media/post_attachments/uploadimage/library/16_9/16_9_0/IMAGE_1748343958.jpg)
Bijay surrenders before Rayagada SP
ବଂଶଧାରା-ଘୁମୁସର-ନାଗାବଳି (BGN) ଡିଭିଜନର ଘୁମସର ଏରିଆ କମିଟିର ଦୁର୍ଦ୍ଦାନ୍ତ ନକ୍ସଲ ବିଜୟ ପୁନେମ ଓରଫ ଅଜୟ ମଙ୍ଗଳବାର ରାୟଗଡ଼ା ଜିଲ୍ଲା ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲା ହୁସୁର ଥାନା ଅଞ୍ଚଳର ନିବାସୀ ବିଜୟ ଗୋଟିଏ ପିସ୍ତଲ୍ ଓ ୮ ରାଉଣ୍ଡ ଗୁଳି ସହିତ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁରେ ଓଡ଼ିଶା ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।
ବିଜୟ ପୁନେମ କନ୍ଧମାଳ ଜିଲ୍ଲା ଓ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଏକାଧିକ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଘଟିଥିବା ଗୁଳି ବିନିମୟ ଘଟଣାରେ ଜଡ଼ିତ ଥିଲେ ଏବଂ ତାଙ୍କ ବିରୋଧରେ ୭ରୁ ଅଧିକ ମାମଲା ରହିଛି। କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ, ରାଇକିଆ, ଗୋଛାପଡା, କୋଠଗଡ଼ ଏବଂ ଛତିଶଗଡର ଗରିଆବନ୍ଧ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ସହିତ ଗୁଳି ବିନିମୟ ଘଟଣାରେ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିଲା।
ବିଜୟ ୨୦୦୯ରେ ସିପିଆଇ (ମାଓବାଦୀ)ରେ ଯୋଗ ଦେଇଥିଲେ। ପ୍ରାରମ୍ଭିକ ତାଲିମ ଗ୍ରହଣ କରିବା ପରେ ସେ ମୋଡେମ ବାଲକ୍ରିଷ୍ଣା ଓରଫ ମନୋଜଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ୨୦୧୪ରେ ପାର୍ଟି ମେମ୍ବରରୁ ACMକୁ ପଦୋନ୍ନତି ପାଇ BGN ଡିଭିଜନ ପାଇଁ କାର୍ଯ୍ୟ କରୁଥିଲେ। ପରେ ସେ ୨୦୨୪ରେ ଓଡ଼ିଶା ଆସି BGN ଡିଭିଜନର ଘୁମସର ଏରିଆ କମିଟିର ନେତୃତ୍ୱ ନେଉଥିଲେ।
ଦଳର ବରିଷ୍ଠ କ୍ୟାଡରମାନଙ୍କ ପାଖରୁ ନିଜ କ୍ୟାଡରମାନଙ୍କ ଉପରେ ହେଉଥିବା ମାନସିକ ନିର୍ଯାତନା, ଖାଦ୍ୟ ପାନୀୟର ଅଭାବ, ସୁରକ୍ଷା କର୍ମୀଙ୍କ ଦ୍ୱାରା ନିୟମିତ ଅପେରସନ, ମାଓବାଦୀ ଶିବିରରେ ଭେଦଭାବ ଓ ଭାଷା ଗତ ସମସ୍ୟା ଆଦି ବିଭିନ୍ନ ଅସୁବିଧା ନିମନ୍ତେ ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ।
ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ଆତ୍ମ ସମର୍ପଣ ଏବଂ ପୁନର୍ବାସ ଥଇଥାନ ନୀତି ଦେଶରେ ସର୍ବୋତ୍ତମ। ଆତ୍ମ ସମର୍ପଣ କରୁଥିବା ନକ୍ସଲମାନଙ୍କୁ ଆର୍ଥିକ ସହାୟତା ସମେତ ଗୃହ ନିର୍ମାଣ, ପାଠପଢ଼ା ଓ ନିଜ ପସନ୍ଦର ବୃତ୍ତିକୁ ଆପଣାଇ ସ୍ୱାବଲମ୍ବୀ ହେବାକୁ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରାଯାଉଛି।
ସୁକମାରେ ୧୮ ଦୁର୍ଦ୍ଦାନ୍ତ ନକ୍ସଲଙ୍କ ଆତ୍ମସମର୍ପଣ
ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ସୁକମା ଏସ୍ପି କିରଣ ଚୌହାନଙ୍କ ୧୮ ଜଣ ଦୁର୍ଦ୍ଦାନ୍ତ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ନାଁରେ ୩୯ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ସୁକମା-ବିଜାପୁର ଅଞ୍ଚଳରେ ଅନେକ ବଡ଼ ବଡ଼ ହିଂସାକାଣ୍ଡରେ ଜଡ଼ିତ ଥିଲେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନକ୍ସଲମାନଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସୁକମା ଏସ୍ପି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
