Advertisment

ହାଇକୋର୍ଟରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିୟମିତ ନିର୍ଦ୍ଦେଶକ ପଦବୀ ପୂରଣ ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ଗତ ଅଗଷ୍ଟ ୩୧ ତାରିଖରେ ରାଜ୍ୟ ସରକାର ଏବଂ କର୍କଟ କେନ୍ଦ୍ରକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

author-image
Jitendra Garnayak
High Court

High Court

କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ନିର୍ଦ୍ଦେଶକ ପଦବୀ ପୂରଣ ସମ୍ପର୍କିତ ଅଦାଲତ ଅବମାନନା ମାମଲାରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ସରୋଜ ମିଶ୍ର ଆଜି ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିୟମିତ ନିର୍ଦ୍ଦେଶକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଖୁବଶୀଘ୍ର ଏହା କାର୍ଯ୍ୟକାରୀ କରିବାର ପ୍ରତିଶ୍ରୁତି ଦେଇ ସେ କ୍ଷମା ପ୍ରାର୍ଥନା କରିଥିଲେ।

Advertisment

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିୟମିତ ନିର୍ଦ୍ଦେଶକ ପଦବୀ ପୂରଣ ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ଗତ ଅଗଷ୍ଟ ୩୧ ତାରିଖରେ ରାଜ୍ୟ ସରକାର ଏବଂ କର୍କଟ କେନ୍ଦ୍ରକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବାଇ- ଲରେ ସଂଶୋଧନ ଆବଶ୍ୟକ ହେଲେ ପ୍ରକ୍ରିୟା ଆରମ୍ଭ ପୂର୍ବରୁ କରିବା ସହ ସମସ୍ତ ପ୍ରକ୍ରିୟା ଦୁଇ ମାସ ମଧ୍ୟରେ ଶେଷ କରିବାକୁ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ।

ହାଇକୋର୍ଟଙ୍କ ଏହି ରାୟକୁ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ କର୍କଟ କେନ୍ଦ୍ର କର୍ତ୍ତୃପକ୍ଷ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଯାହା ଅକ୍ଟୋବର ୬ ତାରିଖରେ ଖାରଜ ହୋଇଯାଇଥିଲା। ମାମଲା ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ସତ୍ତ୍ୱେ କେନ୍ଦ୍ରର ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ ଅନ୍ୟାଦେଶ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ସେପ୍ଟେମ୍ବର ୨୦ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Advertisment

ସଚିବଙ୍କ ଏହି ବିଜ୍ଞପ୍ତି ହାଇକୋର୍ଟ ଏବଂ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରୁଥିବା ଅଭିଯୋଗ କରିଥିଲେ ଆବେଦନକାରୀ ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତି। ତାଙ୍କ ଅଭିଯୋଗ ଆଧାରରେ ଆଜି ବ୍ୟକ୍ତିଗତ ଭାବେ ହାଜର ହୋଇ ଅଦାଲତ ଅବମାନନା ମାମଲାରେ ପକ୍ଷ ରଖିବାକୁ କୋର୍ଟ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ସରୋଜ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବା ପରେ ଅଦାଲତ ଅବମାନନା ମାମଲାକୁ ହାଇକୋର୍ଟ ପ୍ରତ୍ୟାହାର କରିଛନ୍ତି।

Odisha High Court Acharya Harihar Cancer Hospital