Advertisment

ବର୍ଷା ଯୋଗୁ ବାଲେଶ୍ୱର ସ୍ଥିତି ବେହାଲ, ମୟୂରଭଞ୍ଜରେ ବି ବଢ଼ୁଛି ନଦୀ ଜଳସ୍ତର

ବାଲେଶ୍ୱର ସହରରେ ପ୍ରାୟ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିବା ବେଳେ ତାହା ନଦୀର ଭ୍ରମ ସୃଷ୍ଟି କରୁଛି । ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱରର ଅବସ୍ଥା ବେହାଲ । ମୁଖ୍ୟ ରାସ୍ତାରେ ପ୍ରବାହିତ ହେଉଛି ଫୁଟେ ଉଚ୍ଚର ପାଣି ।

author-image
Niharika Rout
Rain Water on Road

Rain Water on Road

ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହେଲାଣି। ଜଳକା ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବାଲେଶ୍ୱର ସହରରେ ଲହଡ଼ି ଭାଙ୍ଗୁଛି ପାଣି। ଏଥିସହ ମୟୁରଭଞ୍ଜ ଜିଲ୍ଲାରେ ବି ପ୍ରବଳ ବର୍ଷା ହେତୁ ଦେଓ ନଦୀର ଡ୍ୟାମର କରଞ୍ଜିଆସ୍ଥିତ ଡ୍ୟାମ୍‌ର ୩ ଗେଟ୍ ଖୋଲାଯାଇଛି ।

Advertisment

ବାଲେଶ୍ୱର ସହରରେ ପ୍ରାୟ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିବା ବେଳେ ତାହା ନଦୀର ଭ୍ରମ ସୃଷ୍ଟି କରୁଛି । ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱରର ଅବସ୍ଥା ବେହାଲ । ମୁଖ୍ୟ ରାସ୍ତାରେ ପ୍ରବାହିତ ହେଉଛି ଫୁଟେ ଉଚ୍ଚର ପାଣି ।

ବାଲେଶ୍ୱରର ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ସକାଳୁ ପିଲାଙ୍କ ସ୍କୁଲ ଯିବାଠୁ ଆରମ୍ଭ କରି ଲୋକଙ୍କ ଅଫିସ ଯିବା ପର୍ଯ୍ୟନ୍ତ ସବୁ ଠପ୍‌ ହୋଇ ଯାଇଛି। ଏହି ରାସ୍ତା ଫକୀର ମୋହନ ମେଡିକାଲ କଲେଜକୁ ସଂଯୋଗ କରୁଥିବାରୁ ରୋଗୀଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି। ଏଥିସହ ବାଲେଶ୍ୱରରୁ ରେମୁଣା ଓ ଏନଏଚ୍-୧୬କୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ପ୍ରାଭାବିତ ହୋଇଛି।

Advertisment
water log in balasoreବାଲେଶ୍ୱର ମୁଖ୍ୟ ରାସ୍ତାରେ ପ୍ରବାହିତ ପାଣି।

ଦୀର୍ଘ ସମୟ ଧରି ପାଣି ଖସୁ ନ ଥିବାରୁ ଆଖପାଖ ଅଞ୍ଚଳରେ ଥିବା ଦୋକାନ ତଥା ଘରେ ପାଣି ପଶିଛି । ଏହି ସମସ୍ୟା ଯୋଗୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କର କିନ୍ତୁ ଦେଖାଦର୍ଶନ ନାହିଁ।

 ସୋର ଅଞ୍ଚଳରେ ଲୋକଙ୍କ ନିଦ ହଜାଇଛି ଲଗାଣ ବର୍ଷା। କମାଣପୁର ଓ ଘୁଡାସାହିରେ ରହୁଥିବା ଲୋକେ ଏବେ ପାଣି ଘେରରେ l ଗାଁ ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହିଛି l ଅନେକ ଲୋକଙ୍କ ଘରେ ପଶିଛି ପାଣି l ତେବେ ଦୀର୍ଘଦିନ ହେବ ଏପରି ସମସ୍ୟା ଲାଗିରହିଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନାହିଁ । ଦୁଇଟି ଗାଁର ପାଖାପାଖି ୩୦ ଘରର ଲୋକେ ଏବେ ପାଣିଘେରରେ ରହିଛନ୍ତି । ସୋରରେ ଡ୍ରେନେଜ ସମସ୍ୟା ଥିବାରୁ ବଜାରର ପାଣି ମଧ୍ୟ ଏହି ଗାଁକୁ ପ୍ରବେଶ କରି କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l

ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀର ଜଳସ୍ତର। ଫଳରେ ନଦୀ କୂଳିଆଙ୍କୁ ଘାରିଛି ବନ୍ୟା ଆଶଙ୍କା। ଗ୍ରାମବାସୀମାନେ ବାଲି ବସ୍ତା ବନ୍ଧରେ ପକାଉଛନ୍ତି ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ସତର୍କ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ଜଳକା ନଦୀର ଜଳସ୍ତର ବଢ଼ି ଜଳସ୍ତର ୬.୬୮ ମିଟର ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଗତ ୨ ଦିନ ହେଲା, ଜଳକା ନଦୀ ଅବବାହିକା ସମେତ ଉପରମୁଣ୍ଡ ତଥା ମୟୁରଭଞ୍ଜ ଜିଲ୍ଲାର ସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଫଳରେ ନଦୀର ଜଳସ୍ତର ବି ବଢୁଛି।

ଏଭଳି ବର୍ଷା ଲାଗିରହିଲେ ବନ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଯଦି ବନ୍ୟା ହୁଏ, ତା’ହେଲେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ଟି ପଞ୍ଚାୟତ ପ୍ରଭାବିତ ହେବା ସହ ଚାଷବାସ ଉଜୁଡ଼ିବାର ଆଶଙ୍କା ରହିଛି।

water log in soraସୋରରେ ଜଳବନ୍ଦୀ ପରିସ୍ଥିତି ।

ଅବପାତ ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାରେ ବି ପ୍ରବଳ ବର୍ଷା ହୋଇଛି । ଏଥିଯୋଗୁଁ କରଞ୍ଜିଆ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସେହିପରି ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି ।

Heavy Rain Water ଶିମିଳିପାଳର ଗୁରୁଗାଡ଼ିଆ ରାସ୍ତାରେ ପ୍ରବାହିତ ପାଣି।

ଆଜି ସକାଳ ୬ଟା ସୁଦ୍ଧା ଶିମିଳିପାଳ ବରେଇପାଣି ଅଞ୍ଚଳରେ ୧୮୩ ଦଶମିକ ୮୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳ ଡେପୁଟି ଡାଇରେକଟର ସାଇ କିରଣ । ଏଥିଯୋଗୁଁ ଶିମିଳିପାଳ ଅଭୟାରଣ୍ୟରୁ ବାହାରିଥିବା ବିଭିନ୍ନ ନଦୀ ନାଳର ଜଳସ୍ତର ବୃଦ୍ଧି ପାଇଛି । ଦେଓ ନଦୀର ଜଳସ୍ତର ମଧ୍ୟ ବୃଦ୍ଧିପାଉଥିବାରୁ କରଞ୍ଜିଆରେ ଥିବା ଡ୍ୟାମର ୩ ଗେଟ୍ ଖୋଲାଯାଇଛି ।

rain water from drainକରଞ୍ଜିଆରେ ଥିବା ଡ୍ୟାମ ଗେଟ୍‌ରୁ ନିର୍ଗତ ବର୍ଷା ଜଳ ।

ଡ୍ୟାମର ଜଳଧାରଣ କ୍ଷମତା ୪୧୨ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୪୦୯ ମିଟର ଅତିକ୍ର କରିସାରିଥିବାରୁ ଜଳ ନିଷ୍କାସନ କରାଯାଉଛି । ସେହିପରି ଖଇରୀ ଭଣ୍ଡନ,ସାଳନ୍ଦୀ, ବୁଢାବଳଙ୍ଗ ପ୍ରଭୁତି ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏବେ ବି ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବୃଦ୍ଧି ପାଉଛି।

Heavy Rain Balasore Mayurbhanj