Rain
ମେଡ଼ିକାଲ୍ରେ ପଶିଲା ପାହାଡ଼ିଆ ପାଣି। ଆଉ ସେହି ପାଣିରେ ଭାସିଗଲା ବହୁ ଔଷଧ। ଏପରି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ। ସେପଟେ ଲଗାତାର ବର୍ଷା ଯୋଗୁ ସିଲେରୁ ଓ ସାବେରୀ ନଦୀ ଫୁଲିଥିବାରୁ ଆନ୍ଧ୍ର ଓ ତେଲେଙ୍ଗାନା ମଧ୍ୟରେ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।
ଲଘୁଚାପ ଯୋଗୁ ଦୁଇ ଦିନ ହେଲା ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ବନ୍ୟା ସ୍ଥିତି ଉପୁଜିଛି। ଆଜି ସକାଳ ପ୍ରାୟ ୮ଟା ହେବ। ସବୁଦିନ ପରି ଆଜି ସ୍ୱାଭିମାନ ଅଞ୍ଚଳର ଯୋଡାମ୍ୱ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଥିଲା। ଠିକ୍ ସେହି ସମୟରେ ପାହାଡ଼ିଆ ପାଣି ମାଡ଼ି ଆସିଥିଲା। ଆଉ ଚାହୁଁଚାହୁଁ ସେହି ପାଣି ମେଡ଼ିକାଲ୍ ଭିତରେ ପଶି ଯାଇଥିଲା। ଆଖି ଆଗରେ ବନ୍ୟାପାଣିରେ ଭାସି ଯାଇଥିଲା ବିଭିନ୍ନ ଔଷଧ, ଯନ୍ତ୍ରାଂଶ, କାଗଜପତ୍ର। ମେଡ଼ିକାଲ୍ର ସବୁ ଆସବାବପତ୍ର ନଷ୍ଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ।
ଲଗାତାର ବର୍ଷା ଯୋଗୁ ସିଲେରୁ ଓ ସାବେରୀ ନଦୀ ଫୁଲିଛି। ଏଥିସହ ପାହାଡିଆ ପାଣି ଆସିବାରୁ ଜୟପୁର-ମୋଟୁ ମଧ୍ୟରେ ୩୨୬ ନମ୍ୱର ଜାତୀୟ ରାଜପଥ(ଏନ୍ଏଚ୍)ରେ ଥିବା ବହୁ ତଳିଆ ବ୍ରିଜ ଗୁଡିକ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି। ଯେଉଁଥିପାଇଁ ଯାନବାହାନ ଚଳାଚଳ ବନ୍ଦ ରହିଛି। ବନ୍ୟା ଯୋଗୁ ଘଣ୍ଟା ଘଣ୍ଟା ଧରି ଦୂରଗାମୀ ଗାଡ଼ି ଗୁଡ଼ିକ ଅଟକି ରହିଛନ୍ତି। ଆନ୍ଧ୍ର ଓ ତେଲେଙ୍ଗାନା ମଧ୍ୟରେ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।
ଜୟୁପରଠାରୁ ମାଲକାନଗିରି ମଧ୍ୟରେ ଥିବା ପାଙ୍ଗାମ ବ୍ରିଜ ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ସେହିପରି ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଥିବା ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି-୯୦ ଓ ଏମଭି-୯୬ ବ୍ରିଜ ଉପରେ ୪ରୁ ୫ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଯାହାଫଳରେ ଯିବାଆସିବା ଠପ୍ ହୋଇଯାଇଛି। ସେହିପରି କାଲିମେଳାଠାରୁ ପଡ଼ିଆ ମଧ୍ୟରେ ରହିଥିବା କନ୍ୟାଶ୍ରମ ବ୍ରିଜ ଉପରେ ମଧ୍ୟ ୫ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।
ରିପୋର୍ଟ- ଚିତ୍ରକୋଣ୍ଡାରୁ ବିକ୍ରମ ପାଢ଼ୀ/ରତ୍ନାକର ପ୍ରଧାନ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Rain_1721490787.jpg)