Advertisment

ବର୍ଷା ବିତ୍ପାତ: ସବୁ ପୌରାଂଚଳକୁ ହାଇଆଲର୍ଟ, ମାଲକାନଗିରି ଗଲେ ଦୁଇ ବରିଷ୍ଠ ଅଫିସର

ସମ୍ଭାବ୍ୟ ଲଗାଣ ବର୍ଷା ଯୋଗୁ ସହରାଂଚଳର ବିଭିନ୍ନ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ପୌରାଂଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Malkangiri

Malkangiri

Advertisment

ରାଜ୍ୟର ବିଭିନ୍ନ ଭାଗରେ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ସମସ୍ତ ପୌରାଂଚଳକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷା ବିତ୍ପାତ ପରେ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ମାଲକାନଗିରି ଜିଲ୍ଲା ନୋଡାଲ ଅଫିସର ତଥା ଭିନ୍ନକ୍ଷମ ସଶକ୍ତିକରଣ ସଚିବ ବିଷ୍ଣୁପଦ ସେଠୀଙ୍କୁ ମାଲକାନଗିରିରେ ରହି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବର୍ଷାଜନିତ କ୍ଷୟକ୍ଷତି ଓ ସ୍ଥିତି ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଆଲୋଚନା କରିଥିବା ଜଣାପଡ଼ିଛି ।

Advertisment

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଗାମୀ ୨୪ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବାର ଆଶଙ୍କା ଥିବାରୁ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସମ୍ଭାବ୍ୟ ଲଗାଣ ବର୍ଷା ଯୋଗୁ ସହରାଂଚଳର ବିଭିନ୍ନ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ପୌରାଂଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ସମସ୍ତ ମହାନଗର ନିଗମର କମିଶନରଙ୍କ ସମେତ ପୌରା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ହାଇଆଲର୍ଟରେ ରହିବାକୁ କୁହାଯାଇଛି । ତୁରନ୍ତ କଂଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦିଆଯିବା ସହ ଖାଲୁଆ ତଥା ତଳିଆ ଅଂଚଳଗୁଡ଼ିକ ପାଇଁ ପମ୍ପସେଟ୍ ପ୍ରସ୍ତୁତ ରଖିବା, ଜଳବନ୍ଦୀ ଓ ରାସ୍ତା ବିଚ୍ଛିନ୍ନ ହେଲେ ଆବଶ୍ୟକ ପଦକ୍ଷେପ ନେବାକୁ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମାଲକାନଗିରିର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବା ସହ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଓ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କୁ ମାଲକାନଗିରି ଗସ୍ତ କରିଛନ୍ତି । ଦକ୍ଷିଣାଂଚଳ ପୁଲିସ ଡିଆଇଜି ଚରଣ ସିଂ ମୀନା ମଧ୍ୟ ମାଲକାନଗିରିରେ ଡେରା ପକାଇଥିବା ଜଣାପଡ଼ିଛି ।

Advertisment

ଏପଟେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସମ୍ଭାବ୍ୟ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିବା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିଛି ଜିଲ୍ଲାରେ ଓଡ୍ରାଫ ଓ ଏନଡିଆରଏଫ ଟିମକୁ ଷ୍ଟାଣ୍ଡବାଏରେ ରଖାଯାଇଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବାବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କୁ ଭେଟି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଥିଲେ । ଉପକୂଳବର୍ତ୍ତୀ ଜିଲ୍ଲାରେ ସମ୍ଭାବ୍ୟ ବର୍ଷାକୁ ଦେଖି ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି ।

Heavy Rain Rain Alert Flood Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe