Advertisment

ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍‌, ଛାଡ଼ିଲା ବର୍ଷର ପ୍ରଥମ ବନ୍ୟାଜଳ

ପ୍ରଥମେ ଡ୍ୟାମ୍‌ର ବାମ ପାର୍ଶ୍ୱର ୭ ନମ୍ବର ସ୍ଲୁଇସ ଗେଟ୍ ଖୋଲା ଯାଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Hirakud Dam

Hirakud Dam

ଆଜି ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଡ୍ୟାମର ୭ଟି ଗେଟ୍ ଖୋଲାଯାଇଛି। ଏହା ସହିତ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଛି ହୀରାକୁଦ ଡ୍ୟାମ୍। 

Advertisment

ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଡ୍ୟାମ୍‌ର ବାମ ପାର୍ଶ୍ୱର ୭ ନମ୍ବର ସ୍ଲୁଇସ ଗେଟ୍ ଖୋଲା ଯାଇଥିଲା। ପରେ ଆଉ ୬ଟି ଗେଟ୍ ଖୋଲା ଯାଇଥିଲା। ଏବେ ବାମ ପାର୍ଶ୍ୱର ୫ଟି ଓ ଦକ୍ଷିଣ ପାର୍ଶ୍ୱର ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। 

ଆଜି ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍ ଖୋଲାଯାଇଥିବା ବେଳେ ଆହୁରି ୧୩ଟି ଗେଟ୍ ଖୋଲାଯିବ। ଦୁଇଟି ପର୍ଯ୍ୟାୟରେ ୧୩ଟି ଗେଟ୍ ଖୋଲାଯିବ। ଦିନ ୧୨ଟା ବେଳକୁ ୭ଟି ଓ ଅପରାହ୍ନ ୨ଟା ପରେ ୬ଟି ଗେଟ୍ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଏତେ ସଂଖ୍ୟକ ଗେଟ୍ ଖୋଲିବାକୁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। 

Advertisment

ଅନ୍ୟପକ୍ଷରେ ହୀରାକୁଦ ଗେଟ୍‌ ଖୋଲିବା ପରେ ସ୍ୱତନ୍ତ୍ର ରିଲିଫ କମିଶନ (SRC)ଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଇବାକୁ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ କୁହାଯାଇଛି। ବନ୍ୟାଜଳ ଛଡ଼ାଯାଇଥିବାରୁ ମହାନଦୀକୁ ନଯିବାକୁ ତଥା ନଦୀ ପାଖରେ ଗାଈଗୋରୁଙ୍କୁ ଚରିବା ପାଇଁ ନଛାଡ଼ିବାକୁ ଲୋକଙ୍କୁ ସଚେତନ କରାଇବାକୁ ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି।  ସ୍ଥିତି ଉପରେ ନଜର ରଖିବା ସହିତ ସତର୍କ ରହିବାକୁ ଏହି ୭ ଜିଲ୍ଲାପାଳଙ୍କୁ କୁହାଯାଇଛି। 

ହୀରାକୁଦରେ ୨୦ଟି ଗେଟ୍ ଖୋଲାଯିବାକୁ ଥିବାରୁ ଆସନ୍ତାକାଲି ସକାଳ ୮ଟାରେ ଖଇରମାଳ ନିକଟରେ ୪ ଲକ୍ଷ ୫୦ ହଜାର ଜଳ ପ୍ରବାହିତ ହେବ। ସେହିଭଳି ୩୦ ତାରିଖ ଦିନ ୧୧ଟା ବେଳେ କଟକର ମୁଣ୍ଡଳୀ ଦେଇ ପ୍ରାୟ ୫ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବ।   

ସୂଚନାଯୋଗ୍ୟ, ଆଜି ହୀରାକୁଦ ଡ୍ୟାମ୍ ଗେଟ୍ ଖୋଲାଯାଇଥିବା ବେଳେ ଗତ ୨ ଦିନ ଧରି ସମ୍ବଲପୁରର ବିଭିନ୍ନ ଅଞ୍ଚଳରେ ପ୍ରଚାର ଗାଡ଼ି ମାଧ୍ୟମରେ ଏନେଇ ଲୋକଙ୍କୁ ସୂଚନା ଦିଆଯାଇଥିଲା ଓ ସତର୍କ କରାଯାଇଥିଲା। ଡ୍ୟାମରୁ ଜଳ ନିଷ୍କାସନ ବେଳେ କେହି ମହାନଦୀକୁ ଶୌଚକର୍ମ ପାଇଁ ତଥା ଗାଧୋଇବାକୁ ନଯିବାକୁ ପରାମର୍ଶ ଦିଆଯାଇଛି। ତା’ସହିତ ଗୃହପାଳିତ ଜୀବମାନଙ୍କୁ ନଛାଡ଼ିବାକୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଥିଲା। 

Hirakud Dam Flood Water