/odisha-reporter/media/post_attachments/uploadimage/library/16_9/16_9_0/IAS_1749480746.jpg)
IAS
ଆକ୍ସନମୋଡରେ ମୋହନ ମାଝୀ ସରକାର । ଦୁର୍ନୀତି ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଯୋଗୁ ୨୦୨୧ ବ୍ୟାଚ୍ ଆଇଏଏସ୍ ଅଫିସର ଧିମନ ଚକମାଙ୍କୁ ଜେଲ୍ ଯିବାକୁ ପଡ଼ିଛି । ଲାଂଚ ନେବା ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରି ସୋମବାର ଜେଲ୍ ହାଜତକୁ ପଠାଇ ଦେଇଛି । ତାଙ୍କଠୁ ୫୭.୪୭ଲକ୍ଷ ଟଙ୍କା ଜବତ ହୋଇଛି। ଏପଟେ ଲାଂଚ ମାମଲାରେ ବିବାଦୀୟ ଆଉ ଜଣେ ଆଇଏଏସ୍ ବିଷ୍ଣୁପଦ ସେଠୀ ଏବେ କୋର୍ଟଙ୍କ ଅନ୍ତରୀଣ ସୁରକ୍ଷାରେ ରହିଛନ୍ତି।
କୋର୍ଟରେ ତାଙ୍କ ମାମଲା ଶୁଣାଣି ଶେଷ ହୋଇ ସାରିଥିବାବେଳେ ରାୟ ସଂରକ୍ଷିତ ରହିଥିବା ଜଣାପଡ଼ିଛି । ତେବେ ମୋହନ ସରକାର ଯେଭଳି ଭାବେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଜଣକ ପରେ ଜଣେ ବରିଷ୍ଠ ପାହ୍ୟାର ଦୁର୍ନୀତିଗ୍ରସ୍ତ ଅଫିସରମାନଙ୍କୁ ଜେଲକୁ ପଠାଉଛନ୍ତି ତାହା ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ଆଇଏଏସ୍ ଧିମନଙ୍କଠୁ ୫୭ଲକ୍ଷ ଟଙ୍କା ଜବତ
ଜଣେ କ୍ରସର ମାଲିକଙ୍କଠୁ ଲାଂଚ ନେବା ଘଟଣାରେ ଧର୍ମଗଡ଼ର ଉପଜିଲ୍ଲାପାଳ ତଥା ୨୦୨୧ ବ୍ୟାଚ୍ ଆଇଏଏସ୍ ଧିମନ ଚକମାଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ବିରୁଦ୍ଧରେ ପ୍ରମାଣ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭିଜିଲାନ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଲୋଡ଼ାଯାଇଥିଲା । ଯାହାକୁ ମୁଖ୍ୟମନ୍ତ୍ରୀ ତତ୍କାଳ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ତାଙ୍କ ଅଫିସ୍ ଓ ସରକାରୀ ବାସଭବନ ଚଢ଼ଉ କରି ମୋଟ ୫୭.୪୭ଲକ୍ଷ ଟଙ୍କା ଜବତ କରିଛି ।
ଭିଜିଲାନ୍ସ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ସହ ତାଙ୍କୁ ଗିରଫ କରି ଜେଲ୍ ପଠାଇଛି । ୨୦୨୧ ବ୍ୟାଚର ଆଇଏଏସ୍ ଧିମନ ହେଉଛନ୍ତି ସିକିମର ବାସିନ୍ଦା। ସେ ୨୦୧୯ ମସିହାରେ ଭାରତୀୟ ଜଙ୍ଗଲ ସେବାର ଅଧିକାରୀ ଭାବେ ବାରିପଦାରେ ଯୋଗ ଦେଇଥିଲେ । କିନ୍ତୁ ପରେ ବର୍ଷକ ପରେ ଆଇଏଏସ୍ ସେବାରେ ଯୋଗ ଦେଇ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ । ଧିମନ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ସେନେଇ କୌଣସି ସନ୍ତୋଷଜନକ ଉତ୍ତର ଭିଜିଲାନ୍ସକୁ ଦେଇପାରିନଥିବା ଭିଜିଲାନ୍ସ ଏସପି ଏମ. ରାଧାକ୍ରିଷ୍ଣନ କହିଛନ୍ତି ।
ଦୁର୍ନୀତି ଯିଏ କରିବ ବନ୍ଧା ହେବ : ରାଜସ୍ୱ ମନ୍ତ୍ରୀ
ଦୁର୍ନୀତିର ମୂଳପୋଛ କରିବା ପାଇଁ ଆମ ସରକାର ଅଭିଯାନ ଆରମ୍ଭ କରିଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । “କେହି ବର୍ତ୍ତିବେ ନାହିଁ । ପୁଣିଥରେ କହୁଛୁ ଏବେବି ସମୟ ଅଛି ସମସ୍ତେ ସତର୍କ ହୋଇଯାଆନ୍ତୁ । ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲେରାନ୍ସ ନୀତି ଆମ ସରକାରଙ୍କ ସଂକଳ୍ପ । ଦୁର୍ନୀତି ଯିଏ କରିବ ସିଏ ଜେଲ ଯିବ । ଯେଉଁଠି ଥିଲେ ବି ବନ୍ଧା ହେବ।
ଲୋକମାନେ ଏଥିରେ ଆମକୁ ସହଯୋଗ କରନ୍ତୁ । କେହିବି ଲାଂଚ ଦିଅନ୍ତୁ ନାହିଁ । ଲାଂଚ ନେବା ଯେତେବଡ଼ ଅପରାଧ ଦେବା ମଧ୍ୟ ସମପରିମାଣରେ ଅପରାଧ । ଏହା ଭିତରେ ଅନେକ ସରକାରୀ ଅଧିକାରୀ ଅସାଧୁ କାର୍ଯ୍ୟ ପାଇଁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଅନେକ ଅଧିକାରୀ ଗିରଫ ହୋଇ ଜେଲରେ ଅଛନ୍ତି । ୪-୫ତାରିଖରେ ସମସ୍ତ ଅଧିକାରୀଙ୍କୁ ଡାକି ଦୁର୍ନୀତି ବନ୍ଦ କରିବାକୁ ଚେତାବନୀ ଦେଇଥିଲୁ । ଆଉ ଗତକାଲି ଜଣେ ଆଇଏଏସଙ୍କ ଘରୁ ୪୭ଲକ୍ଷ ଟଙ୍କା ଜବତ ହୋଇଛି । ସେ ଜଣେ କ୍ରସର ବେପାରୀଙ୍କୁ ଧମକ ଦେଇ ୧୦ଲକ୍ଷ ଟଙ୍କା ମାଗିଥିଲେ ବୋଲି ଶ୍ରୀ ପୂଜାରୀ କହିଛନ୍ତି।”
ଓଡ଼ିଶାର ଚର୍ଚ୍ଚିତ ଆଇଏଏସ୍
ବିଷ୍ଣୁପଦ ସେଠୀ: ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଏକ ଲାଂଚ ମାମଲାରେ ସିବିଆଇ ନୋଟିସ୍ କରିବା ସହ ତାଙ୍କ ଘରେ ଚଢ଼ାଉ କରିଥିଲା । ଶ୍ରୀ ସେଠୀ ଏବେ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷାରେ ଅଛନ୍ତି । ହାଇକୋର୍ଟ ତାଙ୍କ ମାମଲାର ଶୁଣାଣି ଶେଷ କରିଛନ୍ତି ଓ ରାୟ ସଂରକ୍ଷିତ ରଖିଛନ୍ତି । ରାଜ୍ୟ ସରକାର ତାଙ୍କୁ ବିଭାଗୀୟ ସଚିବ ପଦରୁ ହଟାଇ ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି ।
୨୦୨୫ ଫେବୃୟାରୀ ମାସରେ ସିବିଆଇ ଚଢ଼ଉବେଳେ ସେ ତାଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଆଣି ମୁଖ୍ୟ ସଚିବଙ୍କୁ ହାତଲେଖା ଚିଠି ମାଧ୍ୟମରେ ଚାକିରିରୁ ଇସ୍ତଫା ଦେବା ନେଇ ଜଣାଇଥିଲେ । ଯାହାକି ସେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଚିଠିର ସତ୍ୟତା ଜଣାପଡ଼ିନଥିଲା । ଯାହାକି ଏବେବି ରହସ୍ୟମୟ ରହିଛି । ସିବିଆଇ ଚଢ଼ଉକୁ ବିରୋଧ କରି ଶ୍ରୀ ସେଠୀ, ତାଙ୍କ ପତ୍ନୀ ଓ ଝିଅ ମଧ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଜେଡି ସରକାର ସମୟରେ ମଧ୍ୟ ଉଚ୍ଚଶିକ୍ଷା ବିଭାଗରେ ଅନିୟମିତତା ଅଭିଯୋଗରେ ବିଭାଗୀୟ ମନ୍ତ୍ରୀଙ୍କ ସମେତ ଶ୍ରୀ ସେଠୀଙ୍କୁ ମଧ୍ୟ ସଚିବ ପଦରୁ ବିଦା ହେବାକୁ ପଡ଼ିଥିଲା ବୋଲି ଚର୍ଚ୍ଚା ହୁଏ।
ବିଜୟ କେତନ ଉପାଧ୍ୟାୟ : ଆଇଏଏସ୍ ଶ୍ରୀ ଉପାଧ୍ୟାୟ ଏବେ ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୯ ଡିସେମ୍ବର ୩୧ତାରିଖରେ ଲାଂଚ ମାମଲାରେ ଭିଜିଲାନ୍ସ ତାଙ୍କ ଘରେ ଚଢ଼ଉ କରିଥିଲା । ତାଙ୍କୁ ଲାଂଚ ମାମଲାରେ ଗିରଫ କରି ଜେଲ୍ ପଠାଇଥିଲା । ପରେ ସେ ୨୦୨୦ରେ ଜେଲରୁ ମୁକୁଳି ସରକାରରେ ପୁନଃନିଯୁକ୍ତି ପାଇଥିଲେ । ତାଙ୍କ ମାମଲା ଏବେବି ଭିଜିଲାନ୍ସରେ ବିଚାରାଧୀନ ରହିଛି । ଏହି ଘଟଣା ପରଠୁ ଶ୍ରୀ ଉପାଧ୍ୟାୟ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି, ଯାହାକି ତାଙ୍କ କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରତିଫଳିତ ହୋଇଥିବା ଜଣାପଡ଼ିଛି ।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର: ଆଇଏଏସ୍ ଶ୍ରୀ ମିଶ୍ର ୨୦୦୪ରେ ଓଡ଼ିଶା ରାଜ୍ୟ ପାନୀୟ ନିଗମରେ ଅନିୟମିତତା ଅଭିଯୋଗରେ ଗିରଫ ହୋଇଥିଲେ । ତାଙ୍କ ବିରୋଧରେ ୧୪.୩୩ କୋଟି ଓ ୧୮.୩୪ କୋଟି ଟଙ୍କାର ଆର୍ଥିକ କ୍ଷତି ଅଭିଯୋଗ ଥିଲା । ତେବେ ୨୦୧୧ ମସିହାରେ ତାଙ୍କୁ ତତକାଳୀନ ସରକାର କ୍ଲିନଚିଟ୍ ଦେଇଥିଲେ ।
ବିନୋଦ କୁମାର: ଶ୍ରୀ କୁମାରଙ୍କ ନାଁରେ ୨ ଡଜନରୁ ଅଧିକ ଦୁର୍ନୀତି ମାମଲା ଭିଜିଲାନ୍ସରେ ପଡ଼ିରହିଛି । ଓଏଚଆରଡିସି ଦୁର୍ନୀତି ମାମଲା ଓ ୩୩.୩୪ କୋଟି ଟଙ୍କାର ଅନିୟମିତତା ଅଭିଯୋଗରେ ସେ ୨୦୨୫ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତାଙ୍କ ବିରୋଧରେ ୨୭ଟି ଦୁର୍ନୀତି ମାମଲା ରୁଜୁ ହୋଇଛି । ଏବେବି ମାମଲା ଭିଜିଲାନ୍ସ କୋର୍ଟଙ୍କ ବିଚାରାଧୀନ ରହିଛି। କୁମାରଙ୍କୁ ରାଜ୍ୟ ସରକାର ଚାକିରିରୁ ବହିଷ୍କାର କରିସାରିଛନ୍ତି ।
ରମେଶ ଚନ୍ଦ୍ର ବେହେରା: ଶ୍ରୀ ବେହେରାଙ୍କ ବିରୁଦ୍ଧରେ ୧୯୯୦ ମସିହାରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ୨୦୨୪ ଡିସେମ୍ବର ମାସରେ ଭିଜିଲାନ୍ସ ସ୍ପେଶାଲ କୋର୍ଟ ତାଙ୍କୁ ୩.୪୮ ଲକ୍ଷ ଟଙ୍କାର ଅଜଣା ସମ୍ପତ୍ତି ଅଭିଯୋଗରେ ୨୦ ମାସ ଜେଲ୍ ଓ ଜୋରିମାନା ଦଣ୍ଡାଦେଶ ଦେଇଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
