ଆଇଏଏସ୍ ସଂଗ୍ରାମଜିତ୍‌ଙ୍କୁ ଥଇଥାନ କରିଥିଲେ ନଗର ଉନ୍ନୟନ ମନ୍ତ୍ରୀ, ବିଦା କଲେ ମୁଖ୍ୟମନ୍ତ୍ରୀ

୨୦୨୩ ଜୁନ୍ ୩୦ରେ ସରକାରୀ ଚାକିରିରୁ ଅବସର ନେଇଥିବା ଅବସରପ୍ରାପ୍ତ ଆଇଏଏସ୍ ସଂଗ୍ରାମଜିତ୍ ନାୟକଙ୍କର ବର୍ଦ୍ଧିତ କାର୍ଯ୍ୟକାଳ(ନଗର ଉନ୍ନୟନ ବିଭାଗର ଓଏସଡି ଭାବେ ଏକବର୍ଷ) ୨୦୨୪ ଜୁନ୍ ୩୦ତାରିଖରେ ଶେଷ ହୋଇଥିଲା ।

ଲୋକସେବା ଭବନ

  • Published: Monday, 12 August 2024
  • , Updated: 12 August 2024, 10:26 PM IST

ବିଜେଡି ସରକାରର ଗେହ୍ଲାପୁଅ ଅବସରପ୍ରାପ୍ତ ଆଇଏଏସ୍ ସଂଗ୍ରାମଜିତ ନାୟକଙ୍କୁ ଆଜି ହଟହଟା ହୋଇ ଚାକିରିରୁ ବିଦା ହେବାକୁ ପଡ଼ିଛି । ମାତ୍ର ମାସକ ପୂର୍ବରୁ ତାଙ୍କୁ ‘ଜାଗା ମିଶନ’ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଥଇଥାନ କରିଥିଲେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । କିନ୍ତୁ ଶ୍ରୀ ନାୟକଙ୍କ ଏହି ପୁନଃଥଇଥାନ ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଏଭଳି ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇ ନିଜ ଆଡ଼ୁ ଚାକିରିରୁ ଇସ୍ତଫା ଦେଇ ପଳାଇଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ସଂଗ୍ରାମଜିତ୍ ନାୟକ ।

୨୦୨୩ ଜୁନ୍ ୩୦ରେ ସରକାରୀ ଚାକିରିରୁ ଅବସର ନେଇଥିବା ଅବସରପ୍ରାପ୍ତ ଆଇଏଏସ୍ ସଂଗ୍ରାମଜିତ୍ ନାୟକଙ୍କର ବର୍ଦ୍ଧିତ କାର୍ଯ୍ୟକାଳ(ନଗର ଉନ୍ନୟନ ବିଭାଗର ଓଏସଡି ଭାବେ ଏକବର୍ଷ) ୨୦୨୪ ଜୁନ୍ ୩୦ତାରିଖରେ ଶେଷ ହୋଇଥିଲା । ତେବେ ରାଜ୍ୟରେ ଜୁନ୍ ୧୨ତାରିଖରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଅବସରପ୍ରାପ୍ତ ଅଫିସରମାନଙ୍କୁ ଥଇଥାନ କରାଯିବା ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହୋଇଥିଲା । ଏସବୁ ସତ୍ତ୍ୱେ ଶ୍ରୀ ନାୟକ ନିଜର ଚାକିରି ବଂଚାଇବାରେ ସକ୍ଷମ ହୋଇଥିଲେ । ତେବେ ଦୀର୍ଘବର୍ଷ ଧରି ପୌର ପ୍ରଶାସକ ପଦବୀରେ ଥିବା ଶ୍ରୀ ନାୟକଙ୍କୁ ଏହି ପଦ ଛାଡ଼ିବାକୁ ପଡ଼ିଥିଲା ।

ଆଉ ତତକାଳୀନ ବିଭାଗୀୟ ସଚିବ ଜି ମାଥିଭାଥାନନଙ୍କ ପ୍ରସ୍ତାବକୁ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ମହାପାତ୍ର ଅନୁମୋଦନ କରିଥିଲେ ଓ ସେହି ଆଧାରରେ ଜୁଲାଇ ପ୍ରଥମ ସପ୍ତାହରେ ଶ୍ରୀ ନାୟକଙ୍କୁ ‘ଜାଗା ମିଶନ’ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ପୁଣିଥରେ ଅବସ୍ଥାପିତ କରାଯାଇଥିଲା । ଏପରିକି ଶ୍ରୀ ନାୟକ କିଭଳି ପୁଣିଥରେ ଥଇଥାନ ହେଲେ ତାକୁ ନେଇ ମଧ୍ୟ ଗଣମାଧ୍ୟମରେ ପ୍ରଶ୍ନ ଉଠିଥିଲା । ତେବେ ଶ୍ରୀ ନାୟକ ଜଣେ ଆଇଏଏସ୍ ଅଫିସର ହୋଇଥିବାରୁ ତାଙ୍କୁ ପୁନଃଥଇଥାନ ପାଇଁ ମନ୍ତ୍ରୀ ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନର ଆବଶ୍ୟକତା ଥିବା ଦର୍ଶାଇ ବର୍ତ୍ତମାନର ନଗର ଉନ୍ନୟନ ସଚିବ ଉଷା ପାଢ଼ୀ ଏସଂକ୍ରାନ୍ତ ଫାଇଲକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ । କିନ୍ତୁ ଶ୍ରୀ ନାୟକଙ୍କ ପୁଣିଥରେ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରଦ୍ଦ କରିଦେଇଛନ୍ତି । ଆଉ ଏହା ଜାଣିବାପରେ ଶ୍ରୀ ନାୟକ ନିଜ ପଦରୁ ଇସ୍ତଫା ଦେଇ ପଳାଇଥିବା ଜଣାପଡ଼ିଛି ।

ଏପଟେ ରାଜ୍ୟ ସରକାର ‘ପୌର ପ୍ରଶାସକ’ ଭଳି ଗୁରୁତ୍ୱପୂର୍ଣ୍ଣ ବୈଧାନିକ କ୍ଷମତା ପ୍ରାପ୍ତ ପଦବୀକୁ ଦୀର୍ଘଦିନ ଧରି ପଙ୍ଗୁ କରି ପକାଇ ରଖିଛନ୍ତି। ସଂଗ୍ରାମଜିତ ନାୟକ ଜୁନ୍ ୩୦ତାରିଖରେ ଏହି ପୌର ପ୍ରଶାସକ ପଦବୀ ଛାଡ଼ିବା ପରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ପଦବୀରେ କୌଣସି ଅଫିସରଙ୍କୁ ଏପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ଦିଆଯାଇ ନାହିଁ । ପୌର ପ୍ରଶାସକ ଭଳି ପଦବୀରେ କାହିଁକି ସରକାର ଏପର୍ଯ୍ୟନ୍ତ କାହାରିକୁ ସ୍ଥାୟୀ ଭାବେ ଅବସ୍ଥାପିତ କରୁନାହାନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି । ଯଦିଓ ସହରାଂଚଳରେ ବିକାଶମୂଳକ କାର୍ଯ୍ୟ ନିମନ୍ତେ ପୌର ପ୍ରଶାସକଙ୍କ ଅନୁମୋଦନର ଆବଶ୍ୟକତା ରହିଥାଏ । ଅବଶ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜୁଲାଇ ୫ତାରିଖରେ ଜାରି ନିର୍ଦ୍ଦେଶନାମାରେ ବିଭାଗର ସ୍ୱତନ୍ତ୍ର ସଚିବ ଦେବାଶୀଷ ସିଂଙ୍କୁ ତତ୍କାଳ ପ୍ରଭାବରୁ ସଂଗ୍ରାମଜିତ ନାୟକଙ୍କ ପାଖରେ ରହିଥିବା ସମସ୍ତ ଦାୟିତ୍ୱକୁ ତୁଲାଇବା ପାଇ ନିର୍ଦ୍ଦେଶନାମା ଜାରି ହୋଇଥିଲା । ହାଉସିଂ ନିର୍ଦ୍ଦେଶକ ଶ୍ରୀ ସିଂ ନିଜ ଦାୟିତ୍ୱ ସହ ଏସବୁ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । କିନ୍ତୁ ଦକ୍ଷ ଓଡ଼ିଆ ଅଫିସର ଶ୍ରୀ ସିଂଙ୍କୁ ମିଳିଥିବା ଏହି ଦାୟିତ୍ୱକୁ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇନଥିବାରୁ ‘ପୌର ପ୍ରଶାସକ’ ପଦବୀ ପ୍ରାୟ ଦେଢ଼ମାସ ଧରି ପଙ୍ଗୁ ଅବସ୍ଥାରେ ରହିଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ବିଜେଡି ସରକାର ଓ ତୃତୀୟ ମହଲାର ଖାସ୍ ଅନୁଗତ ହୋଇ ଦୀର୍ଘବର୍ଷ ଧରି ରାଜ୍ୟ ପୌର ପ୍ରଶାସକ ପଦବୀକୁ ମାଡ଼ି ବସିଥିବା ଶ୍ରୀ ନାୟକଙ୍କୁ ଜୁନ୍ ୩୦ତାରିଖରେ ଏହି ପଦ ଛାଡ଼ିବାକୁ ପଡ଼ିଥିଲା । ୨୦୨୩ ଜୁନ୍ ୩୦ତାରିଖରେ ସରକାରୀ ଚାକିରିରୁ ଅବସର ନେଇଥିଲେ ମଧ୍ୟ ତତକାଳୀନ ବିଜେଡି ସରକାର ତାଙ୍କୁ ପୁଣିଥରେ ସମାନ ଦାୟିତ୍ୱରେ ଏକବର୍ଷ ପାଇଁ ଓଏସଡି ଭାବେ ନଗର ଉନ୍ନୟନ ବିଭାଗରେ ଥଇଥାନ କରିଥିଲେ । ତାଙ୍କର ଓଏସଡି ଭାବେ କାର୍ଯ୍ୟକାଳ ଚଳିତବର୍ଷ ଜୁନ୍ ୩୦ତାରିଖରେ ଶେଷ ହୋଇଥିଲା । ମାତ୍ର ତିମଧ୍ୟରେ ରାଜ୍ୟରେ ବିଜେଡି ପରିବର୍ତ୍ତେ ବିଜେପି ସରକାର କ୍ଷମତାସୀନ ହୋଇସାରିଥିଲା ଏବଂ ଅବସରପ୍ରାପ୍ତ ଅଫିସରମାନଙ୍କୁ ଥଇଥାନ କରାଯିବା ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ତୀବ୍ର ବିରୋଧ ମଧ୍ୟ ହେଉଥିଲା । ତଥାପି ଶ୍ରୀ ନାୟକ ନିଜର ଚାକିରି ବଂଚାଇବାରେ ସକ୍ଷମ ହୋଇଥିଲେ । ବିଭାଗୀୟ ମନ୍ତ୍ରୀଙ୍କ ଅନୁମୋଦନରେ ଗତମାସରେ ସେ ରାଜ୍ୟ ଜାଗା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଥଇଥାନ ହୋଇଥିଲେ ।

Related story