Advertisment

ଚୁଡ଼ଙ୍ଗ ଗଡ଼ରେ ରାଜ୍ୟ ସରକାରଙ୍କ ବେଆଇନ ନିର୍ମାଣ, ଏତଲା ଦେଲା ଏଏସଆଇ

ଏକାଦଶ ଶତାବ୍ଦୀର ସଂରକ୍ଷିତ ଚୁଡ଼ଙ୍ଗ ଗଡ଼ ଦୁର୍ଗର ସଂରକ୍ଷିତ ଅଂଚଳକୁ ଜବରଦଖଲ କରି ରାଜ୍ୟ ସରକାର କରୁଥିବା ହଷ୍ଟେଲ ଓ ପ୍ରଶାସନିକ କୋଠା ନିର୍ମାଣକୁ ତୁରନ୍ତ ବନ୍ଦ ନିମନ୍ତେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ପରାମର୍ଶ ଦେଇଛି ।

Illegal construction

Illegal construction

Advertisment

ଏକାଦଶ ଶତାବ୍ଦୀର ସଂରକ୍ଷିତ ଚୁଡ଼ଙ୍ଗ ଗଡ଼ ଦୁର୍ଗର ସଂରକ୍ଷିତ ଅଂଚଳକୁ ଜବରଦଖଲ କରି ରାଜ୍ୟ ସରକାର କରୁଥିବା ହଷ୍ଟେଲ ଓ ପ୍ରଶାସନିକ କୋଠା ନିର୍ମାଣକୁ ତୁରନ୍ତ ବନ୍ଦ ନିମନ୍ତେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ପରାମର୍ଶ ଦେଇଛି । ଯଦି ଏହି ଜବରଦଖଲ ଓ ବେଆଇନ ନିର୍ମାଣ ତୁରନ୍ତ ବନ୍ଦ ନହୁଏ ତା’ହେଲେ ଆମସାର ଆକ୍ଟ-୧୯୫୮ ଏବଂ ପବ୍ଲିକ ପ୍ରିମିସେସ୍ ଆକ୍ଟ-୧୯୭୧ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଏସଆଇ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି । ଏଏସଆଇ ଦ୍ୱାରା ସଂରକ୍ଷିତ ‘ଚୁଡ଼ଙ୍ଗଗଡ଼ ଦୁର୍ଗ’ରେ ବେଆଇନ ନିର୍ମାଣକୁ ତୁରନ୍ତ ବନ୍ଦ ପାଇଁ ଏଏସଆଇ କର୍ତ୍ତୃପକ୍ଷ ଗତ ମେ’ ୨ତାରିଖରେ ଚିଠି ଲେଖି ପରାମର୍ଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ସେଥିପ୍ରତି କର୍ଣ୍ଣପାତ ନକରିବାରୁ ଗତକାଲି ଦ୍ୱିତୀୟଥର ପାଇଁ ଏଭଳି ଚିଠି ଲେଖିଛନ୍ତି ।

Advertisment

କିନ୍ତୁ କାମ ବନ୍ଦ ବଦଳରେ ଏବେ ଅଧିକ ଦୃତ ଗତିରେ ଚାଲୁଥିବା ଲକ୍ଷ୍ୟ କରି ଗତ ୧୮ ତାରିଖରେ ବିଭାଗୀୟ ଶାସନ ସଚିବଙ୍କୁ ପୁଣି ଏକ ଚିଠି ଲେଖିଛି ASI। ଯେଉଁଥିରେ ରାଜ୍ୟ ସରକାରଙ୍କ ଏ ନିର୍ମାଣ କାର୍ଯ୍ୟକୁ ଆମସାର ଆକ୍ଟର ଖୋଲା ଉଲ୍ଲଂଘନ ବୋଲି ଦର୍ଶାଯାଇଛି। ତା ସହ ସଂପୃକ୍ତ ଜମି ମାଫିଆ ଓ ରାଜ୍ୟ ସରକାରଙ୍କ SSEPD ବିଭାଗ ବିରୋଧରେ ନିକଟରେ ଚନ୍ଦକା ଥାନାରେ ଏତଲା ଦିଆଯାଇଥିବା ସୂଚନା ଦେଇଛନ୍ତି ASI ଅଧିକାରୀ।

ମିଳିଥିବା ସୂଚନା ଅନୁସାରେ, ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ଭୁବନେଶ୍ୱରସ୍ଥିତ ପୁରୀ ସର୍କଲର ଅଧୀକ୍ଷକ ଗତ ୧୮ତାରିଖରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଦିଲ୍ଲୀପ କୁମାର ରାୟଙ୍କୁ ଚିଠି ଲେଖି ବାରଙ୍ଗ ନିକଟସ୍ଥ ଚୁଡ଼ଙ୍ଗଗଡ଼ ଦୁର୍ଗର ସଂରକ୍ଷିତ ଐତିହ୍ୟ ଅଂଚଳରେ ଚାଲିଥିବା ପ୍ରଶାସନିକ  କୋଠା ଓ ହଷ୍ଟେଲ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ କହିଛନ୍ତି । ଏଏସଆଇ ସଂରକ୍ଷିତ ଅଂଚଳରେ ଏହି ବେଆଇନ ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଛି । ସ୍ଥାନୀୟ ଗ୍ରାମବାସୀମାନଙ୍କ ଅଭିଯୋଗରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସଂରକ୍ଷିତ ଅଂଚଳରେ ନିର୍ମାଣ କାର୍ଯ୍ୟ ବନ୍ଦ ହେବା ପରିବର୍ତ୍ତେ ଜୋରସୋରରେ ଚାଲିଛି ।

Advertisment

ଆମସାର ଆକ୍ଟ-୧୯୫୮ର ଧାରା ୧୯(୧) ଅନୁସାରେ ସଂରକ୍ଷିତ ଐତିହ୍ୟ ଅଂଚଳରେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ କେହି ବ୍ୟକ୍ତି ଏପରିକି ସଂରକ୍ଷିତ ଅଂଚଳର ମାଲିକ ଅବା ଦଖଲକାରୀ କୌଣସି ପ୍ରକାରର କୋଠା ନିର୍ମାଣ, ଖଣି ଖନନ, ବିସ୍ଫୋରଣ, ଖନନ କିମ୍ବା କୌଣସି ଗତିବିଧି କରିପାରିବେ ନାହିଁ । ଆମସାର ଆକ୍ଟ-୧୯୫୮ର ଧାରା ୧୯(୨) ଅନୁସାରେ ସଂରକ୍ଷିତ ଐତିହ୍ୟ ଅଂଚଳରେ ଯଦି କୌଣସି ବ୍ୟକ୍ତିଙ୍କ ଦ୍ୱାରା କିଛି କୋଠା ନିର୍ମାଣ କରାଯାଇଥାଏ ତା’ହେଲେ ତାକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇପାରିବେ । ଯଦି ସମ୍ପୃକ୍ତ ବ୍ୟକ୍ତି ଏହି ନିର୍ଦ୍ଦେଶକୁ ପାଳନ ନକରିବେ ତା’ହେଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏହି କୋଠାକୁ ଉଚ୍ଛେଦ କରିବେ ଓ ସେହି ବ୍ୟକ୍ତିଙ୍କଠୁ ଉକ୍ତ ଖର୍ଚ୍ଚ ଭରଣା କରିବାର ପ୍ରାବଧାନ ରହିଛି ।

ଏସବୁ ଦୃଷ୍ଟିରୁ ଏଏସଆଇ ସଂରକ୍ଷିତ ଅଂଚଳର ଜବରଦଖଲ ଓ ବେଆଇନ କୋଠା ନିର୍ମାଣକୁ ତୁରନ୍ତ ବନ୍ଦ କରିବାକୁ ଏଏସଆଇ ଅଧୀକ୍ଷକ ଅନୁରୋଧ କରିବା ସହ ଆବଶ୍ୟକ ପଡ଼ିଲେ ଆମସାର ଆକ୍ଟ-୧୯୫୮ ଓ ପବ୍ଲିକ ପ୍ରିମିସେସ୍ ଆକ୍ଟ-୧୯୭୧ ଧାରାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି । ଏହାସହିତ ଏଏସଆଇ ଅଧୀକ୍ଷକ ମଧ୍ୟ କଟକ ଜିଲ୍ଲାପାଳ ଓ ବାରଙ୍ଗ ତହସିଲଦାରଙ୍କୁ ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଆଉ କଟକସ୍ଥିତ ଏଏସଆଇ ଉପସର୍କଲର ଆସିଷ୍ଟାଣ୍ଟ କଞ୍ଜେରଭେଟର ସୁମନ୍ତ ବିଶ୍ୱାସକୁ ତୁରନ୍ତ ଘଟଣାସ୍ଥଳକୁ ଯାଇ ସବିଶେଷ ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ(ଫଟୋ ପ୍ରମାଣ ସହ) ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଏସଆଇ କର୍ତ୍ତୃପକ୍ଷ ଏହି ଚିଠିର ଏକ ନକଲ ମଧ୍ୟ ଅଭିଯୋଗକାରୀ ନିରଞ୍ଜନ ସାହୁ ଓ ଅନ୍ୟମାନଙ୍କ(ଜୁଲାଇ ୩ତାରିଖର ଅଭିଯୋଗ) ଅବଗତି ନିମନ୍ତେ ପଠାଇଥିବା ଜଣାପଡ଼ିଛି ।

ତେବେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Bhubaneswar ASI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe