Advertisment

୫ ଘଣ୍ଟା ପରେ ମା’ କୋଳକୁ ଫେରିଲା ହାତୀ ଛୁଆ, ଉଭୟ ଜଙ୍ଗଲମୁହାଁ

ପ୍ରାୟ ୫ ଘଣ୍ଟା ପରେ ହାତୀ ଛୁଆଟି ଉଦ୍ଧାର ହୋଇଥିବା ବେଳେ ତା’ ମା’ ମନର ଖୁସି ଆଉ ବନ୍ଧବାଡ଼ ମାନୁନି। ନିଜ ଛୁଆକୁ ଧରି ଜଙ୍ଗଲକୁ ଫେରି ଯାଇଛି ମା’ ହାତୀ।

Elephant

Elephant

Advertisment

ମା’ର ମମତାର ମୂଲ ନାହିଁ। ମଣିଷ ହେଉ କି ପ୍ରାଣୀ ନିଜ ଛୁଆ ପାଇଁ ସବୁବେଳେ ମା’ର ମନ ଉଛନ ହୋଇଥାଏ। ଆଉ ଛୁଆଟି ବିପଦରେ ପଡ଼ିଲେ, ମା’ର ଦୁନିଆ ଅନ୍ଧାର ହୋଇଯାଏ। ଦିନରାତି ଛାଇ ପରି ତା’ ପାଖେପାଖେ ଜଗି ରହେ ମା’ । ଏପରି ଏକ ଘଟଣା ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ଅଞ୍ଚଳରେ ଘଟିଛି।

Advertisment

କୂଅରେ ପଡ଼ି ଯାଇଥିବା ଏକ ହାତୀ ଶାବକକୁ ମରଣମୁହଁରୁ ଉଦ୍ଧାର କରିବାକୁ ତା’ ମା’ ପାଖେପାଖେ ଜଗି ରହିଥିଲା। ଛୁଆଟି ପାଣିରୁ ବାହାରି ପାରୁ ନ ଥିବା ବେଳେ ବାହାରେ ପାଗଳପ୍ରାୟ ଘୂରି ବୁଲୁଥିଲା ମା’ ହାତୀ। ପ୍ରାୟ ୫ ଘଣ୍ଟା ପରେ ହାତୀ ଛୁଆଟି ଉଦ୍ଧାର ହୋଇଥିବା ବେଳେ ତା’ ମା’ ମନର ଖୁସି ଆଉ ବନ୍ଧବାଡ଼ ମାନୁନି। ନିଜ ଛୁଆକୁ ଧରି ଜଙ୍ଗଲକୁ ଫେରି ଯାଇଛି ମା’ ହାତୀ।

ଖାଦ୍ୟ ଅନ୍ୱେଷଣରେ ଏକ ୧୪ ଟିକିଆ ହାତୀପଲ ଆଜି ସକାଳେ ଖଳୀପଶି ଜଙ୍ଗଲ ଅତିକ୍ରମ କରୁଥିଲେ। ଉକ୍ତ ସମୟରେ ଏକ ହାତୀ ଶାବକ ସେଠାରେ ଥିବା ଏକ କୂରେ ପଡିଯାଇଥିଲା । ହାତୀଟି କୂଅରୁ ବାହାରି ପାରି ନ ଥିବା ବେଳେ ହାତୀପଲ କିନ୍ତୁ ସେଠାରୁ ଚାଲି ଯାଇଥିଲେ। ମାତ୍ର ମା’ ହାତୀଟି ନିଜ ଛୁଆକୁ ଛାଡ଼ି ଯାଇ ପାରି ନ ଥିଲା।

Advertisment

ନିଜ ଛୁଆ ମରଣ ମୁହଁରେ ପଡ଼ିଥିବା ବେଳେ ବାହାରେ ଥିବା ମା’ ହାତୀ ଗର୍ଜନ କରିବାକୁ ଲାଗିଲା। ହାତୀ ଗର୍ଜନ ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ହାତୀ ଛୁଆ କୂଅରେ ପଡ଼ିଥିବା ଦେଖିଥିଲେ।

ଏନେଇ ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେବାରୁ ରିଆମାଳ ରେଞ୍ଜ ଅଫିସର ନିରଞ୍ଜନ ଧରୁଆ ସଦଳବଳେ ସେଠାରେ ପହଞ୍ଚିଥିଲେ। ଏହାପରେ ଜେସିବି ମେଶିନ ସାହାଯ୍ୟରେ କୂଅଟିକୁ ଖୋଳିବା ସହ ବାଟ ତିଆରି କରାଯାଇଥିଲା। ଫଳରେ ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ହାତୀ ଶାବକଟି ଆପେ ଆପେ ବାହାରକୁ ଆସିଥିଲା। ଏହାପରେ ନିଜ ମା’ ସହ ଖୁସି ମନରେ ଜଙ୍ଗଲକୁ ଚାଲି ଯାଇଥିଲା।

ମଣିଷ ଛୁଇଁଦେଲେ ଉକ୍ତ ହାତୀକୁ ଆଉ ଦଳରେ ପଶାଇ ନ ଥାନ୍ତି ହାତୀପଲ। ତେଣୁ ବନ କର୍ମଚାରୀ ବହୁ ସତର୍କତାର ସହ କୂଅରୁ ରାସ୍ତା ତିଆରି କରିଥିଲେ, ଯେପରି ଶାବକଟି ଆପେଆପେ ବାହାରି ପୁଣି ଥରେ ନିଜ ମା’ ପାଖକୁ ଫେରିଯିବ । ବନକର୍ମଚାରୀଙ୍କ ସବୁ ଚେଷ୍ଟା ଶେଷରେ ସଫଳ ହୋଇଛି ଓ ମା’ଛୁଆ ଜଙ୍ଗଲମୁହାଁ ହୋଇଛନ୍ତି।

Elephant In Jungle Deogarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe