ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ହୋଇଥିଲେ ଓ ବୀମା ସହାୟତା ପାଇବାକୁ ଚାହୁଁଥିଲେ ‘କୃଷି ରକ୍ଷକ’ ହେଲପଲାଇନ ନମ୍ବରକୁ ଫୋନ୍ କରି ଜଣାଅ । ରାଜ୍ୟ ସରକାର ଆଜି ଚାଷୀମାନଙ୍କୁ ଆଜି ଏଭଳି ପରାମର୍ଶ ଦେଇଛନ୍ତି । ବୀମା ସହାୟତା ପାଇଁ କ୍ଷୟକ୍ଷତିର ୭୨ଘଣ୍ଟା ମଧ୍ୟରେ ‘କୃଷିରକ୍ଷକ’ ପୋର୍ଟାଲ ନଚେତ୍ ହେଲପଲାଇନ୍ ନମ୍ବର-୧୪୪୪୭’କୁ ଫୋନ୍ କରି ଜଣାଇବାକୁ ରାଜ୍ୟ ସରକାର ପରାମର୍ଶ ଦେବା ସହ ଉଚିତ୍ କ୍ଷତିପୂରଣ ପ୍ରଦାନ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, ସମସ୍ତ ବୀମାଭୁକ୍ତ ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ଦେବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିୟମ ଅନୁସାରେ ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତି ପାଇଁ ମଧ୍ୟ ବୀମା ସହାୟତା ପ୍ରଦାନ କରାଯିବ ।
ଯଦି ଅମଳ ହୋଇଥିବା ଫସଲ କ୍ଷେତରେ ବିଡ଼ା ବନ୍ଧା ଅବସ୍ଥାରେ କିମ୍ବା ଖଳାରେ ଶୁଖାଯାଇଥିବା ଅବସ୍ଥାରେ ଅମଳର ୧୪ଦିନ ମଧ୍ୟରେ ଅଦିନିଆ ବର୍ଷା ଯୋଗୁ କ୍ଷୟକ୍ଷତି ହୋଇଛି ତା’ହେଲେ ବୀମା ସହାୟତା ପାଇବାକୁ ଚାଷୀମାନେ ଯୋଗ୍ୟ ଅଟନ୍ତି । ଏଥିପାଇଁ କ୍ଷତି ହେବାର ୭୨ଘଣ୍ଟା ମଧ୍ୟରେ ଚାଷୀମାନେ ହେଲପଲାଇନ୍ ନମ୍ବରକୁ ଫୋନ୍ କରି ଜଣାଇପାରିବେ।
ଅଧିକ ସହାୟତା ପାଇଁ ଚାଷୀମାନେ ନିକଟସ୍ଥ ସ୍ଥାନୀୟ କୃଷି ଅଧିକାରୀ ଓ ସମବାୟ ଅଧିକାରୀମାନଙ୍କୁ ଯୋଗାଯୋଗ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।
ସେହିପରି ଆଜି ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅଦିନିଆ ବର୍ଷାଜନିତ ଫସଲ ହାନିକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।
ସୂଚନାଯୋଗ୍ୟ , ବିଗତ କିଛିଦିନ ମଧ୍ୟରେ ଅନୁଗୁଳ,ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ, ରାୟଗଡ଼ା ଓ ଦେବଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ଚାଷୀମାନେ ଫସଲ କ୍ଷୟକ୍ଷତିର ଶିକାର ହୋଇଛନ୍ତି । ଏହି ସମସ୍ତ ଜିଲ୍ଲାରେ ପ୍ରାୟ ୧୫ଲକ୍ଷରୁ ଅଧିକ ଚାଷୀ ଫସଲ ବୀମା ଯୋଜନାରେ ପଞ୍ଜିକୃତ ହୋଇଛନ୍ତି ।