ରାଜ୍ୟରେ ଏବେ ଆଇପିଏସ୍ ଅଫିସର ମରୁଡ଼ି ଜଳଜଳ ଦିଶିଲାଣି । ଗତ ୬ତାରିଖରେ ୩ଜଣ ବରିଷ୍ଠ ଆଇପିଏସ୍ ଡିଏସ୍ କୁଟ୍ଟେ, ସତୀଶ ଭି ଗଜଭିଏ ଓ ଆଶୀଷ ସିଂଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିବା ପରେ ଆଉ ପୁଣି ୩ଜଣ ବରିଷ୍ଠ ଆଇପିଏସ ଆଶୀଷ କୁମାର ପାଣିଗ୍ରାହୀ, ଅମିତାଭ ଠାକୁର ଓ ରାଜେଶ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବେ ବୋଲି ଜଣାପଡ଼ିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ୩ଜଣ ବରିଷ୍ଠ ଅଫିସରଙ୍କୁ ଆଇଜି ପାହ୍ୟାରେ ଅବସ୍ଥାପିତ କରିବା ନେଇ ତଥ୍ୟ ମାଗିବା ପରେ ସେମାନେ କେନ୍ଦ୍ରକୁ ଯିବା ଏକରକମ ସ୍ପଷ୍ଟ ହୋଇଛି । ତେବେ ପୂର୍ବରୁ ଆଇପିଏସ୍ ଅଫିସର ସଙ୍କଟକୁ ନେଇ ସମସ୍ୟାରେ ଥିବା ଓଡ଼ିଶାରେ ପୁଲିସ ପ୍ରଶାସନ କିଭଳି ପରିଚାଳିତ ହେବ ତାହା ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ପାଲଟିଛି ।
ସୂଚନା ଅନୁସାରେ, ଚଳିତମାସ ଡିସେମ୍ବର ୬ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ବିବାଦୀୟ ଆଇପିଏସ୍୍ ଡିଏସ୍ କୁଟ୍ଟେଙ୍କୁ ବିଏସଏଫ ଆଇଜି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ୨୦୦୨ ବ୍ୟାଚ୍ ଆଇପିଏସ୍ ସତୀଶ ଗଜଭିଏଙ୍କୁ ସିଆରପିଏଫ ଡିଆଇଜି ଓ ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶୀଷ ସିଂଙ୍କୁ ଆଇଟିବିପି ଆଇଜି ଭାବେ ନିଯୁକ୍ତି ମିଳିଛି । ଏହି ୩ ଅଫିସରଙ୍କୁ ତୁରନ୍ତ ରିଲିଭ୍ କରିବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏବେପୁଣି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୧୯୯୭ ବ୍ୟାଚ୍ ଆଇପିଏସ୍ ଅସିତ୍ କୁମାର ପାଣିଗ୍ରାହୀଙ୍କ ସମେତ ୨୦୦୮ ବ୍ୟାଚ୍ ଆଇପିଏସ୍ ଅମିତାଭ ଠାକୁର ଓ ରାଜେଶ କୁମାରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ନେବା ପାଇଁ ଆବଶ୍ୟକ ତଥ୍ୟ ମାଗିଛନ୍ତି । ଏହି ୩ ଅଫିସରଙ୍କ ବିରୁଦ୍ଧରେ ଭିଜିଲାନ୍ସ,ଏଚଆରପିଏସ୍ ଓ ଅପରାଧିକ ମାମଲା ସମେତ କୌଣସି ବିଭାଗୀୟ ତଦନ୍ତ ବିଚାରାଧୀନ ରହିଛି କି ନାହିଁ ସେନେଇ ତଥ୍ୟ ମାଗିଥିବା ଜଣାପଡ଼ିଛି । ଏହି ୩ ଅଫିସର କେନ୍ଦ୍ରକୁ ଡେପୁଟେସନରେ ଗଲେ ରାଜ୍ୟରେ ଆଇପିଏସ୍ ଅଫିସରଙ୍କ ସଂଖ୍ୟା ମାତ୍ର ୯୯ଜଣ ମଧ୍ୟରେ ସୀମିତ ରହିଯିବ ।
ଗୃହ ବିଭାଗ ସୂତ୍ର ଅନୁସାରେ, ଓଡ଼ିଶାରେ ପଦୋନ୍ନତିଭିତ୍ତିକ ଆଇପିଏସ ପଦବୀ ପୂରଣ ହୋଇପାରୁନଥିବାରୁ ଏବେ ଏଭଳି ସଙ୍କଟ ଉପୁଜିଛି । ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ପଦବୀ ସଂଖ୍ୟା ହେଉଛି ୧୯୫ । ସେଥିରୁ ଏବେ ୬୮ଟି ପଦବୀ ଖାଲିପଡ଼ିଛି । ଅର୍ଥାତ୍ ମୋଟ ୧୨୭ଟି ପଦବୀରେ ଆଇପିଏସ୍ ଅଫିସର କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨୨ଜଣ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ଓ ଡିସେମ୍ବର ୬ତାରିଖରେ ୩ଜଣଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିସାରିଥିବାରୁ ଓଡ଼ିଶାରେ ମାତ୍ର ୧୦୨ଜଣ ଆଇପିଏସ୍ ରହିଛନ୍ତି । ଏବେ ଯଦି ଅସିତ୍, ଅମିତାଭ ଓ ରାଜେଶ ଡେପୁଟେସନରେ ଯିବେ ତେବେ ସେହି ସଂଖ୍ୟା ୯୯କୁ ହ୍ରାସ ପାଇବ ।
ରାଜ୍ୟ ସରକାରଙ୍କ ପ୍ରାବଧାନ ଅନୁସାରେ, ରାଜ୍ୟରେ ୧୦୭ଟି ଆଇପିଏସ୍ ପଦବୀକୁ ସିନିୟର ଡ୍ୟୁଟି ଅଫିସର ଭାବେ ରେଖାଙ୍କିତ କରାଯାଇଛି । ଏଥିରେ ଜିଲ୍ଲା ଏସପିଙ୍କଠୁ ଆରମ୍ଭ କରି ଡିଜି ପାହ୍ୟାର ଅଫିସର ସାମିଲ ଅଛନ୍ତି । ତେବେ ଓଡ଼ିଶାରେ ପୂର୍ବରୁ ଆଇପିଏସ୍ ମରୁଡ଼ି ଥିବାବେଳେ କେନ୍ଦ୍ର ସରକାରକୁ ଆଇପିଏସଙ୍କ ଡେପୁଟେସନ ରାଜ୍ୟରେ ଆଇନଶୃଙ୍ଖଳା ପାଇଁ ମୁଖ୍ୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି ।
ଯଦିଓ ମଞ୍ଜୁରୀପ୍ରାପ୍ତ ମୋଟ ଆଇପିଏସ୍ ପଦବୀ ମଧ୍ୟରୁ ୪୦ ପ୍ରତିଶତ ଅର୍ଥାତ୍ ୪୨ଜଣ କେନ୍ଦ୍ରୀୟ ଡେପୁଟେସନରେ ଯିବାର ପ୍ରାବଧାନ ରହିଛି । ଏବେ ମାତ୍ର ୨୫( ଗତ ସପ୍ତାହର ୩ଜଣଙ୍କୁ ମିଶାଇ)ଜଣ କେନ୍ଦ୍ରୀୟ ଡେପୁଟେସନରେ ଥିବାରୁ କେନ୍ଦ୍ର ସରକାର ଡେପୁଟେସନ ପାଇଁ ଅଫିସରଙ୍କୁ ମାଗିବା ସ୍ୱାଭାବିକ । ମାତ୍ର ଯେହେତୁ ଓଡ଼ିଶାରେ ଆବଶ୍ୟକ ସଂଖ୍ୟକ ଆଇପିଏସ୍ ନାହାନ୍ତି ତେଣୁ ରାଜ୍ୟ ସରକାର ନିଜର ଅଫିସରମାନଙ୍କୁ ଡେପୁଟେସନରେ ପଠାଇବା ପୂର୍ବରୁ ବାସ୍ତବିକ ସ୍ଥିତିକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି ବୋଲି ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ।
ସୂଚନା ଅନୁସାରେ, ପୂର୍ବ ବିଜେଡି ସରକାର ୨୪ବର୍ଷ କ୍ଷମତାରେ ରହିଥିଲେ ମଧ୍ୟ ପଦୋନ୍ନତିଭିତ୍ତିକ ଆଇପିଏସ୍ ପଦବୀକୁ ପୂରଣ ଦିଗରେ ବିଶେଷ କିଛି ପଦକ୍ଷେପ ନେଇପାରିନାହାନ୍ତି । ଯଦିଓ ସିଧାସଳଖ ଡିଏସପି ନିଯୁକ୍ତି ପ୍ରକ୍ରିୟା ବହୁ ବିଳମ୍ବରେ ଆରମ୍ଭ କରିଥିଲେ କିନ୍ତୁ ଆବଶ୍ୟକ ସଂଖ୍ୟକ ଅଫିସର ଏବେ ଆଇପିଏସ୍ ପଦବୀକୁ ପଦୋନ୍ନତି ପାଇବାକୁ ଯୋଗ୍ୟ ବିବେଚିତ ହୋଇନଥିବା ଜଣାପଡ଼ିଛି । ତା’ଛଡ଼ା ପୂର୍ବ ସରକାର ଆଇପିଏସ୍ କ୍ୟାଡ଼ର ମ୍ୟାନେଜମେଂଟକୁ ଅତ୍ୟନ୍ତ ମନମୁଖୀ ଓ ବେପରୁୱା ଢଙ୍ଗରେ ପରିଚାଳନା କରିଥିବାରୁ ତା’ର ପରିଣାମ ଏବେ ରାଜ୍ୟକୁ ଭୋଗିବାକୁ ପଡ଼ୁଛି ବୋଲି ପାୱାର କରିଡ଼ରରେ ଚର୍ଚ୍ଚା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।