Advertisment

IPS ଡିଏସ୍‌ କୁଟ୍ଟେଙ୍କୁ ସସ୍‌ପେଣ୍ଡ କଲେ ଭାରତୀୟ ନିର୍ବାଚନ କମିଶନ

CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ ଡିଏସ୍‌ କୁଟ୍ଟେ।

ଅଦ୍ୟତନ ହୋଇଛି
Kutte

Kutte

Advertisment

ବିଜେଡି ପାଇଁ ରାଜନୀତି କରିବା ଦୁଇ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ମହଙ୍ଗା ପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ଓ ତାଙ୍କୁ ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା ଦିଲ୍ଲୀରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଇଭିଏମ୍ ମେସିନ୍ ଭଙ୍ଗା ଘଟଣାରେ ଫସାଇବା ଡିଏସ୍ କୁଟ୍ଟେଙ୍କୁ ମହଙ୍ଗା ପଡ଼ିଛି। ସେହିପରି ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ କୁମାର ସିଂଙ୍କ ସ୍ୱାସ୍ଥ୍ୟ ଖରାପର ଯାଂଚ ଭୁବନେଶ୍ୱର ଏମସ୍ ଡାକ୍ତର ବୋର୍ଡ କରିବାକୁ ଆଜି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିଶ ଓ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ଆଜି ଆଇପିଏସ୍ ଅଫିସର ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଦୁଇ ଆଇପିଏସ୍ ଅଫିସର ନିର୍ବାଚନୀ ଗତିବିଧିରେ ସମ୍ପୃକ୍ତ ଥିବାର ସିଧାସଳଖ ପ୍ରମାଣ ବାରମ୍ବାର ମିଳିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡିଏସ୍ କୁଟ୍ଟେଙ୍କୁ ଚାକିରିରୁ ତତ୍କାଳ ପ୍ରଭାବରୁ ନିଲମ୍ବନ କରାଯିବା ସହ ତାଙ୍କୁ ନୂଆଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଡିଏସ କୁଟ୍ଟେଙ୍କ ବିରୁଦ୍ଧରେ ଥିବା ଚିଠା ଚାର୍ଜସିଟକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ଦେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିଏସ କୁଟ୍ଟେଙ୍କ ବିରୁଦ୍ଧରେ ଚାକିରି ସର୍ତ୍ତାବଳୀ ଅନୁସାରେ ଆବଶ୍ୟକ ଚାର୍ଜସିଟ୍ ମେ’ ୩୦ତାରିଖ ସୁଦ୍ଧା ପ୍ରସ୍ତୁତ କରିବାକୁ ମଧ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।

Advertisment
Letterଭାରତୀୟ ନିର୍ବାଚନ କମିଶନଙ୍କ ଚିଠି

ସେହିପରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ କୁମାର ସିଂ ଗତ ମେ’ ୪ତାରିଖରୁ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ଛୁଟିରେ ଅଛନ୍ତି । ମାତ୍ର ସେ ନିର୍ବାଚନୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ବାରମ୍ବାର ଖବର ଆସୁଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଯାଂଚ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର ଏମସ ନିର୍ଦ୍ଦେଶକଙ୍କୁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରି ୩୦ତାରିଖ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟ ଯାଂଚ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆବଶ୍ୟକ ପ୍ରକ୍ରିୟା କରିବା ସହ ଶ୍ରୀ ସିଂ କେଉଁ ସବୁ ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି, ତା’ର ବିସ୍ତୃତ ରିପୋର୍ଟ ମେ’ ୩୧ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏସବୁ ବ୍ୟତୀତ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ଇଭିଏମ୍ ମେସିନ୍ ଭଙ୍ଗା ମାମଲାର ଆବଶ୍ୟକ ଯାଂଚ ଆଇନ ଅନୁସାରେ ଜାରି ରଖିବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

‘ଡିଏସ୍‌ କୁଟ୍ଟେ, ଆଶିଷ ସିଂ ବିଜେଡିର ଚାମଚାଗିରି କରୁଛନ୍ତି’

କୁଟ୍ଟେ, ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିଜେପି ସ୍ୱାଗତ କରିଛି। ରାଜ୍ୟ ବିଜେପି ଉପସଭାପତି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖାଯାଇଛି।୨ ମାସ ଭିତରେ ଆମେ ପ୍ରାୟ ୨୦ ଥର ଏନେଇ ଅଭିଯୋଗ କରିଛୁ। ପ୍ରଦୀପ ପାଣିଗ୍ରାହୀଙ୍କୁ ସ୍ବାଧୀନ ପ୍ରାର୍ଥୀ ଜରିଆରେ ମାଡ଼ ମରାଇଲେ। ଖଲ୍ଲିକୋଟ ଓ ବରଗଡ଼ରେ ବିଜେପି କର୍ମୀଙ୍କୁ ହତ୍ୟା କରାଗଲା। କାଲି ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ମରଣାନ୍ତ୍ରକ ଆକ୍ରମଣ ହେଲା। ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂ ବିଜେଡିର ଚାମଚାଗିରି କରୁଛନ୍ତି। CEOଙ୍କ ରିପୋର୍ଟ ଆଧାରରେ ସେମାନଙ୍କୁ ସସ୍‌ପେଣ୍ଡ କରାଯାଇଛି।

IPS DS Kuttey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe