Advertisment

ୱାଇବି ଖୁରାନିଆ ହେବେ ରାଜ୍ୟର ନୂଆ ପୁଲିସ ଡିଜି!

ବିଏସଏଫ ସ୍ପେଶାଲ ଡିଜି ୧୯୯୦ ବ୍ୟାଚ୍ ଆଇପିଏସ୍ ଶ୍ରୀ ଖୁରାନିଆଙ୍କୁ ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେବା ପାଇଁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ କରିଛନ୍ତି।

author-image
Ordigital Desk
ଅଦ୍ୟତନ ହୋଇଛି
YB Khurania

YB Khurania

୧୯୯୦ ବ୍ୟାଚ୍ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି ହେବେ । ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ଆଜି ତାଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡ଼ରକୁ ଫେରାଇ ଦେବାପରେ ସେ ରାଜ୍ୟର ନୂଆ ପୁଲିସ ଡିଜି ହେବେ ବୋଲି ପ୍ରାୟତଃ ସ୍ପଷ୍ଟ ହୋଇଛି । ଏବେ ରାଜ୍ୟରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀ ଅସ୍ଥାୟୀ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି ।

Advertisment

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜୁଲାଇ ୨୬ ତାରିଖର ପ୍ରସ୍ତାବ ଆଧାରରେ ବିଏସଏଫ ସ୍ପେଶାଲ ଡିଜି ୧୯୯୦ ବ୍ୟାଚ୍ ଆଇପିଏସ୍ ଶ୍ରୀ ଖୁରାନିଆଙ୍କୁ ତତ୍କାଳ ପ୍ରଭାବରୁ ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେବା ପାଇଁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ କରିଛନ୍ତି।  ଶ୍ରୀ ଖୁରାନିଆଙ୍କ କେନ୍ଦ୍ରୀୟ ଡେପୁଟେସନକୁ ଆଗୁଆ ସମାପ୍ତ କରି ଓଡ଼ିଶା ଫେରାଇ ଦିଆଯାଇଥିବାରୁ ସେ ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି ।

ଶ୍ରୀ ଖୁରାନିଆ ଗତ ୨୦୨୧ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ଶ୍ରୀ ଖୁରାନିଆ ଭୁବନେଶ୍ୱର-କଟକ କମିଶନରେଟ ପୁଲିସର କମିଶନର ଓ ନୟାଗଡ଼, ରାଉରକେଲା,ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୁଲିସ ଏସପି ଭାବେ କାର୍ଯ୍ୟ କରିଛନ୍ତି । ସେ ଉତ୍ତରାଂଚଳ ଓ ଦକ୍ଷିଣାଂଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ ।

Advertisment

ଉଲ୍ଲେଖଯୋଗ୍ୟ, ଖୁରାନିଆଙ୍କ ବ୍ୟାଚର ଅରୁଣ ଷଡ଼ଙ୍ଗୀଙ୍କୁ ରାଜ୍ୟର ତତକାଳୀନ ବିଜେଡି ସରକାର ଗତ ଡିସେମ୍ବର ୩୧ରୁ ରାଜ୍ୟ ପୁଲସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ । ଏବେ ମୋହନ ମାଝୀଙ୍କ ସରକାର ଦେଢ଼ମାସରୁ ଅଧିକ ଅବଧି ଧରି କ୍ଷମତାସୀନ ଥିଲେ ମଧ୍ୟ ଶ୍ରୀ ଷଡ଼ଙ୍ଗୀଙ୍କ ନିଯୁକ୍ତିକୁ ସ୍ଥାୟୀ କରିବା ଦିଗରେ ଆଗ୍ରହ ଦେଖାଇନଥିଲେ କିମ୍ବା ପୁଲିସ ଡିଜି ଚୟନ ପାଇଁ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ତାଲିକା ୟୁପିଏସସିକୁ ପଠାଇବା ପ୍ରକ୍ରିୟା ଆରମ୍ଭ କରିନଥିଲେ । 

କେନ୍ଦ୍ର ସରକାର ଶ୍ରୀ ଖୁରାନିଆଙ୍କୁ ଓଡ଼ିଶାକୁ ଫେରାଇ ଦେବା ପରେ ରାଜ୍ୟ ସରକାର ପୁଲିସ ଡିଜି ଚୟନ ପାଇଁ ପ୍ରକ୍ରିୟାକୁ ଅନୁସରଣ କରି ଶ୍ରୀ ଖୁରାନିଆଙ୍କୁ ଡିଜି ପଦବୀରେ ଅବସ୍ଥାପିତ କରିବେ ବୋଲି ଜଣାପଡ଼ିଛି ।

Odisha Police Odisha DGP