Advertisment

ଓଡ଼ିଶାରେ ଲୁହାପଥର ଖଣି ଖନନ ଉପରେ ଲାଗିପାରେ ଅଙ୍କୁଶ, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଓଡ଼ିଶାରେ ଲୁହାପଥରର ଖନନ ପାଇଁ କୌଣସି ପରିମାଣ ବା ସୀମା ନିର୍ଦ୍ଧାରଣ କରାଯାଇଛି । ରାଜ୍ୟରେ ସୀମିତ ପରିମାଣର ଗଚ୍ଛିତ ଲୁହାପଥରକୁ ଦୃଷ୍ଟିରେ ରଖି ଲୁହାପଥର ଖନନ ଉପରେ ସୁପ୍ରିମକୋର୍ଟ ଅଙ୍କୁଶ ଲଗାଇବାର ସମ୍ଭାବନା ରହିଛି।

Iron ore

Iron ore

Advertisment

ସୀମିତ ପରିମାଣର ଗଚ୍ଛିତ ଲୁହାପଥରକୁ ଦୃଷ୍ଟିକୁ ରଖି ଓଡ଼ିଶାରେ ଲୁହାପଥର ଖଣି ଖନନ ଉପରେ କୌଣସି ଅଙ୍କୁଶ ଲଗାଯାଇ ପାରିବ କି ନାହିଁ ସେ ନେଇ ୮ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏହାସହିତ ୨୬୨୨କୋଟି ଟଙ୍କାର କ୍ଷତିପୂରଣ(ସୁଧକୁ ଛାଡ଼ି) ଦେଇନଥିବା କମ୍ପାନୀଗୁଡ଼ିକର ସମ୍ପତ୍ତି ବ୍ୟାଜ୍ୟାପ୍ତି କରି ଏହି ଅର୍ଥ ଆଦାୟ କରିବାକୁ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

କର୍ଣ୍ଣାଟକ ଓ ଗୋଆ ଭଳି ଓଡ଼ିଶାରେ ମଧ୍ୟ ଲୁହାପଥର ଖଣି ଖନନର ପରିମାଣ ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ପ୍ରତିପକ୍ଷ ଓକିଲଙ୍କ ଦାବି ପରେ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଯଦିଓ ଓଡ଼ିଶାରେ ଏବେ ୯୨୨୦ ମିଲିୟନ ଟନ୍ ଲୁହାପଥର ରହିଛି ଓ ଏନେଇ ନିୟମିତ ଭାବେ ଜାରି ରହିଥିବା ଅନ୍ୱେଷଣ ଯୋଗୁ ଏହି ପରିମାଣ ବୃଦ୍ଧି ପାଇପାରେ ବୋଲି ରାଜ୍ୟ ସରକାର ସଫେଇ ଦେଇଥିଲେ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ , ଜଷ୍ଟିସ ଜେବି ପାରଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଆଜି ‘ଏନଜିଓ କମନକଜ୍‌’ ଦ୍ୱାରା ଦାଏର ମାମଲାର ଶୁଣାଣି କରି ବେଆଇନ ଖଣି ଖନନ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଲିଜଧାରୀଙ୍କଠୁ ୨୬୨୨କୋଟି ଟଙ୍କା (ସୁଧ ବାଦ) କ୍ଷତିପୂରଣ ରାଶି ଆଦାୟ କରିବା ପାଇଁ ସେମାନଙ୍କର ସମ୍ପତ୍ତିକୁ ବ୍ୟାଜ୍ୟାପ୍ତି କରିବା ନିମନ୍ତେ ସମସ୍ତ ପ୍ରକାରର ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ ଲୁହାପଥରର ଖନନ ପାଇଁ କୌଣସି ପରିମାଣ ବା ସୀମା ନିର୍ଦ୍ଧାରଣ କରାଯାଇଛି । ରାଜ୍ୟରେ ସୀମିତ ପରିମାଣର ଗଚ୍ଛିତ ଲୁହାପଥରକୁ ଦୃଷ୍ଟିରେ ରଖି ଲୁହାପଥର ଖନନ ଉପରେ ସୁପ୍ରିମକୋର୍ଟ ଅଙ୍କୁଶ ଲଗାଇବାର ସମ୍ଭାବନା ରହିଛି।

Advertisment

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ହୋଇ ବରିଷ୍ଠ ଓକିଲ ରାକେଶ ଦ୍ୱିବେଦୀ କହିଥିଲେ ଯେ, ଦୋଷୀ ଖଣି କମ୍ପାନୀଗୁଡ଼ିକଠୁ ଏପର୍ଯ୍ୟନ୍ତ ୨୬୨୨କୋଟି ଟଙ୍କାର ଜୋରିମାନା ଆଦାୟ କରାଯାଇ ପାରିନାହିଁ । କେବଳ ୫ଟି ଖଣି କମ୍ପାନୀଠୁ ପ୍ରାୟ ୨୨୧୫କୋଟି ଟଙ୍କାର କ୍ଷତିପୂରଣ ରାଶି ଆଦାୟ ହେବା ବାକି ରହିଛି । ସେମାନଙ୍କଠୁ ଏହି ଜୋରିମାନା ଅର୍ଥ ଆଦାୟ ସୁନିଶ୍ଚିତ କରିବା ପାଇଁ ସବୁ ପ୍ରକାରର ପଦକ୍ଷେପ ରାଜ୍ୟ ସରକାର ନେବେ ବୋଲି ସେ ଆଜି ଖଣ୍ଡପୀଠଙ୍କୁ ଆଶ୍ୱସ୍ତ କରିଛନ୍ତି । ଓଡ଼ିଶାରେ ଏବେ ୯୨୨୦ ମିଲିୟନ ଟନ୍ ଲୁହାପଥର ରହିଛି ଓ ଏନେଇ ନିୟମିତ ଭାବେ ଜାରି ରହିଥିବା ଅନ୍ୱେଷଣ ଯୋଗୁ ଏହି ଲୁହାପଥର ଗଚ୍ଛିତ ପରିମାଣ ମଧ୍ୟ ବୃଦ୍ଧି ପାଇପାରେ ବୋଲି ରାଜ୍ୟ ସରକାର ସଫେଇ ଦେଇଛନ୍ତି।

ତେବେ ‘ଏନଜିଓ କମନକଜ’ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ପ୍ରଶାନ୍ତ ଭୂଷଣ ଯୁକ୍ତି ବାଢ଼ିଥିଲେ ଯେ, ଯେଉଁ ଖଣି କମ୍ପାନୀ ବା ସେମାନଙ୍କ ମାଲିକମାନେ ବେଆଇନ ଭାବେ ଖନନ କରିଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସେମାନଙ୍କୁ ଭବିଷ୍ୟତରେ ରାଜ୍ୟର ମୂଲ୍ୟବାନ ଖଣିଜ ସମ୍ପଦକୁ ନେଇ ଉଦ୍ଦିଷ୍ଟ ଖଣି ନିଲାମ ପ୍ରକ୍ରିୟାରେ ସାମିଲ ପାଇଁ ଅନୁମତି ଦିଆଯିବା ଉଚିତ୍ ନୁହେଁ । ସେମାନଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି କରି କ୍ଷତିପୂରଣ ରାଶି ଆଦାୟ କରାଯାଉ । ପ୍ରଶାନ୍ତଭୂଷଣଙ୍କ ଯୁକ୍ତିକୁ ଶୁଣିବା ପରେ ଖଣ୍ଡପୀଠ  ଏହି ବେଆଇନ ଖଣି କମ୍ପାନୀଗୁଡ଼ିକଠୁ ବୟୋ କ୍ଷତିପୂରଣ ଆଦାୟ ସୁନିଶ୍ଚିତ କରିବା ନିମନ୍ତେ ଆବଶ୍ୟକ ପଡ଼ିଲେ ସେମାନଙ୍କର ସମ୍ପତ୍ତି ବ୍ୟାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ରାଜ୍ୟ ସରକାର ଓକିଲ କହିଥିଲେ ଯେ, ଏହି ଖିଲାପୀ ଖଣି କମ୍ପାନୀଗୁଡ଼ିକର ଲିଜ୍ ଅବଧି ଶେଷ ହୋଇସାରିଛି ଓ ସେମାନଙ୍କୁ କୌଣସି ନୂଆ ଲିଜ୍ ପ୍ରଦାନ କରାଯାଇ ନାହିଁ । ପ୍ରଶାନ୍ତ ଭୂଷଣ ଆହୁରି ଯୁକ୍ତି ବାଢ଼ିଥିଲେ ଯେ, ସୀମିତ ଗଚ୍ଛିତ ପରିମାଣ ଯୋଗୁ କର୍ଣ୍ଣାଟକ ଓ ଗୋଆରେ ଯେଭଳି ଲୁହାପଥର ଖଣି ଖନନ ଉପରେ ଅଙ୍କୁଶ ରହିଛି ଅନୁରୂପ ଅଙ୍କୁଶ ଓଡ଼ିଶାରେ ଲୁହାପଥର ଖନନ ଉପରେ ଲଗାଯାଉ । ତେବେ ରାଜ୍ୟ ସରକାରଙ୍କ ଓକିଲ ଏଭଳି ଅଙ୍କୁଶ ଉପରେ ଆପତ୍ତି ଉଠାଇ ଓଡ଼ିଶାରେ ଏବେ ପ୍ରାୟ ୯୨୨୦ ମିଲିୟନ ଟନ୍ ଲୁହାପଥର ଗଚ୍ଛିତ ରହିଛି ଏବଂ ବିଭିନ୍ନ ସମୟରେ ଅନ୍ୱେଷଣ ଜାରି ରହିଥିବାରୁ ଏହି ଲୁହାପଥର ପରିମାଣ ବୃଦ୍ଧି ପାଇପାରେ ବୋଲି ସଫେଇ ଦେଇଥିଲେ।

 ଅନ୍ୟପକ୍ଷରେ ଖଣ୍ଡପୀଠ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ  ବିଚାର କରି  ୮ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେବା ସହ ଓଡ଼ିଶାରେ ଲୁହାପଥର ଖଣି ଖନନ ଉପରେ କୌଣସି ସୀମା ଧାର୍ଯ୍ୟ କରାଯିବ କି ନାହିଁ ଜାଣିବାକୁ ଚାହିଁଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ବେଆଇନ ଖଣି ଖନନର ଅଭିଯୋଗ ଆଣି ଏନଜିଓ କମନକଜ୍ ପକ୍ଷରୁ ସୁପ୍ରିମକୋର୍ଟରେ ୨୦୧୪ ମସିହାରେ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା ।

Odisha Supreme Court Illegal Iron Ore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe