Advertisment

ପର୍ବପର୍ବାଣୀକୁ ନେଇ ଦ୍ୱନ୍ଦ୍ୱ; ଅସନ୍ତୋଷ ଝାଡ଼ିଲେ ଶଙ୍କରାଚାର୍ଯ୍ୟ

ମୁକ୍ତିମଣ୍ଡପର ପାଣ୍ଡୁଲିପି ଚୟନ ଉପରେ ପ୍ରଶ୍ନ ଉଠାଇ ପଠାଣି ସାମନ୍ତଙ୍କ ସୂକ୍ଷ୍ମ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଆଧାରରେ ଗଣନା ଦାବି କରିଛନ୍ତି ରାଜ୍ୟର ଅନ୍ୟତମ ପୁରାତନ ଓ ଭରସାଯୋଗ୍ୟ ପାଞ୍ଜି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ଗଣନାକାର।

ଅଦ୍ୟତନ ହୋଇଛି
Panji

Panji

Advertisment

“ଜ୍ୟୋତିଷ ଏକ ବିଜ୍ଞାନ। ଜ୍ୟୋତିଷମାନେ ଯେତିକି ପରିଶ୍ରମ କରିବା କଥା ସେତିକି କରୁନାହାନ୍ତି। ଆମେରିକା- ବ୍ରିଟେନ ତଥ୍ୟରେ ତିଆରି କରୁଛନ୍ତି ପାଞ୍ଜି। ଯେଉଁଥିପାଇଁ ପାଞ୍ଜିରେ ଦେଖା ଦେଉଛି ବ୍ୟତିକ୍ରମ। ମେଳଖାଉନି ତିଥି ଓ ନକ୍ଷତ୍ର। ଭୁଲଭାଲ୍‌ ଆସୁଛି ପର୍ବପର୍ବାଣୀ ତାରିଖ।” ପର୍ବପର୍ବାଣୀକୁ ନେଇ ଦେଖାଦେଉଥିବା ଦ୍ୱନ୍ଦ୍ୱକୁ ନେଇ ଆଜି ଏମିତି କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ।

Advertisment

ତେଣୁ ଏଠି ପ୍ରଶ୍ନ ଉଠୁଛି, ପାଞ୍ଜିକାରକୁ ନେଇ କାହିଁକି ଏଭଳି ପ୍ରତିକ୍ରିୟାଶୀଳ ହେଲେ ଶ୍ରୀମନ୍ଦିର ମୁକ୍ତିମଣ୍ଡପର ସ୍ଥାୟୀ ସଭାପତି ତଥା ଜଗଦଗୁରୁ ଶଙ୍କରାଚାର୍ଯ୍ୟ? ତାଙ୍କ ଅସନ୍ତୋଷ ପଛରେ ରହିଛି କି ସତ୍ୟତା ? ଯଦି କେବଳ ଚଳିତବର୍ଷର ତଥ୍ୟକୁ ପ୍ରମାଣ ଭାବେ ନିଆଯାଏ, ତାହାଲେ ଚଳିତବର୍ଷ ଏପ୍ରିଲ ମାସରୁ ନଭେମ୍ବର ଯାଏଁ ଲାଗି ରହିଥିଲା ଓଡ଼ିଆ କ୍ୟାଲେଣ୍ଡରମାନଙ୍କରେ ତାରିଖ ଦ୍ୱନ୍ଦ୍ୱ। ଏମିତିକି ଗତ ଏପ୍ରିଲ ମାସରେ ପଣା ସଂକ୍ରାନ୍ତି ୧୩ ନା ୧୪ ତାରିଖରେ ପଡ଼ିବ, ତାକୁ ନେଇ ସେତେବେଳେ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ଗତ ଅକ୍ଟୋବରରେ ଦିପାବଳୀ, କାଳୀପୂଜା ଓ ପୟାଶ୍ରାଦ୍ଧ ତାରିଖକୁ ନେଇ ବାଉଳା ହୋଇଥିଲେ ରାଜ୍ୟବାସୀ। ଏମିତିକି କିଛି କ୍ୟାଲେଣ୍ଡର ୧ ତାରିଖକୁ କାଳୀପୂଜା ଛୁଟି ବୋଲି ଲେଖି ଦେଇଥିଲେ। ଯେହେତୁ ଓଡ଼ିଆ ଲୋକେ ଶ୍ରୀମନ୍ଦିର ତିଥିକୁ ବିଶ୍ୱାସ ରଖି ଘରେ ଘରେ ପର୍ବପର୍ବାଣୀ ପାଳନ କରନ୍ତି, ତେଣୁ ପାଞ୍ଜିକାରଙ୍କ ମଧ୍ୟରେ ଅସଙ୍ଗତିକୁ ନେଇ ଶଙ୍କରାଚାର୍ଯ୍ୟ ଉଦ୍‌ବେଗ ପ୍ରକାଶ କରିବା ସହ ଏ ନେଇ ତାଙ୍କର କୌଣସି ପରାମର୍ଶ ନିଆଯାଉନଥିବା କହିଛନ୍ତି।

ସେପଟେ ପାଞ୍ଜିରେ ନୁହେଁ ବରଂ ବିଭିନ୍ନ କ୍ୟାଲେଣ୍ଡରରେ ପର୍ବପର୍ବାଣୀ ତାରିଖରେ ଅସଂଗତି ରହୁଥିବା ମାନିଛନ୍ତି ପାଞ୍ଜିକାର। ଏମିତିକି ମୁକ୍ତିମଣ୍ଡପର ପାଣ୍ଡୁଲିପି ଚୟନ ଉପରେ ପ୍ରଶ୍ନ ଉଠାଇ ପଠାଣି ସାମନ୍ତଙ୍କ ସୂକ୍ଷ୍ମ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଆଧାରରେ ଗଣନା ଦାବି କରିଛନ୍ତି ରାଜ୍ୟର ଅନ୍ୟତମ ପୁରାତନ ଓ ଭରସାଯୋଗ୍ୟ ପାଞ୍ଜି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ଗଣନାକାର।

Advertisment

ସେ କହିଛନ୍ତି, ଏପ୍ରିଲ ୧୪ ପଣା ସଂକ୍ରାନ୍ତିରୁ ଓଡ଼ିଶାରେ ନୂଆବର୍ଷ ଆରମ୍ଭ ହୁଏ। ହେଲେ ଜାନୁଆରୀ ୧ ଇଂରାଜୀ ନବବର୍ଷରୁ କ୍ୟାଲେଣ୍ଡର ଛପା ଯାଉଥିବାରୁ ତିଥି-ବାର ଓ ତାରିଖକୁ ନେଇ ବ୍ୟତିକ୍ରମ ସୃଷ୍ଟି ହେଉଛି। ପୂର୍ବରୁ ରାଜ୍ୟର ବିଭିନ୍ନ ପାଞ୍ଜିକାରମାନେ ଶ୍ରୀମନ୍ଦିର ମୁକ୍ତିମଣ୍ଡପକୁ ସେମାନଙ୍କ ପାଣ୍ଡୁଲିପି ପ୍ରଦାନ କରୁଥିଲେ। ହେଲେ କିଛି ବର୍ଷ ତଳେ ମୁକ୍ତିମଣ୍ଡପ କର୍ତ୍ତୃପକ୍ଷ ଶ୍ରୀମନ୍ଦିର ଗଣନା ସହ ସେମାନଙ୍କୁ ସମାନ ଢଙ୍ଗରେ ପାଣ୍ଡୁଲିପି ପ୍ରସ୍ତୁତ କରିବାକୁ କହିବା ପରଠାରୁ ଏଥିରେ ବ୍ୟତିକ୍ରମ ସୃଷ୍ଟି ହୋଇଛି। ରାଜ୍ୟ ସରକାର ମଧ୍ୟ ଏ ଦିଗରେ ତତ୍ପରତା ଦେଖାଇବାକୁ କିଛି ଗଣନାକାର ଦାବି କରିଛନ୍ତି।

ସେପଟେ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି, ଶ୍ରୀମନ୍ଦିର ବର୍ଷ ସାରା ପାଳିତ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣୀ ଯେପରି ସବୁ କ୍ୟାଲେଣ୍ଡରରେ ସମାନ ଦିନରେ ପଡ଼ିବ, ସେଥିପାଇଁ ସବୁ ପାଞ୍ଜିକାରମାନଙ୍କୁ ପାଣ୍ଡୁଲିପି ଦେବାକୁ କୁହାଯାଇଛି।

ଇଂରାଜୀ ନୂଆବର୍ଷକୁ ଆହୁରି ୨ ମାସ ବାକି ଅଛି। ହେଲେ ଏବେଠୁ ବଜାରକୁ ଆସିଗଲାଣି ୨୦୨୫ ମସିହାର ବିଭିନ୍ନ ଓଡ଼ିଆ କ୍ୟାଲେଣ୍ଡର। ତେଣୁ ଆସନ୍ତାବର୍ଷ ସବୁ ପର୍ବପର୍ବାଣୀ ନିର୍ଭୁଲ୍ ହେବ ତ ବୋଲି ଉଠିଛି ପ୍ରଶ୍ନ।

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe