Advertisment

ଡର କାହାକୁ? ନବୀନ ନିବାସ ଆସୁଥିବା ବେଳେ ସେବାୟତଙ୍କୁ ବୁଝାଇ ନେଇଗଲେ ଜିଲ୍ଲାପାଳ ଓ ଏସ୍‌ପି

ଆଜି ସକାଳେ ସେବାୟତମାନେ ମହାପ୍ରଭୁଙ୍କ ପାଖରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇ ପଦଯାତ୍ରାରେ ବାହାରିଥିଲେ।

ଅଦ୍ୟତନ ହୋଇଛି
Baripada

Baripada

Advertisment

ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିବେ। ସେଥିପାଇଁ ନବୀନ ନିବାସ ଅଭିମୁଖେ ଚାଲି ଚାଲି ଯାଉଥିଲେ ବାରିପଦା ଜଗନ୍ନାଥ ମନ୍ଦିର ସେବାୟତ। ହେଲେ ବୁଝାଇବାକୁ ଆସି ପାରିଲେ ନାହିଁ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍‌ପି। ପ୍ରାୟ ୨୦ କିମି ଚାଲିବା ପରେ ସହ କର୍ମୀଙ୍କ ସହ ଅଧା ବାଟରେ ପହଞ୍ଚିଲେ ଜିଲ୍ଲାପାଳ ଓ ଏସ୍‌ପି। ଆଉ ସେବାୟତଙ୍କ ଅଭିଯୋଗ ଶୁଣିଲେ ଓ ପ୍ରତିଶ୍ରୁତି ଦେଲେ। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିବାକୁ ଆସୁଥିବା ସେବାୟତମାନେ ଫେରି ଯାଇଥିବା ଜଣାପଡ଼ିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ସେବାୟତଙ୍କୁ ପ୍ରାରମ୍ଭରୁ କାହିଁକି ବୁଝାଇଲା ନାହିଁ ପ୍ରଶାସନ? ପ୍ରଥମରୁ କାହିଁକି ସେମାନଙ୍କୁ ଅଟକାଇଲେ ନାହିଁ ଜିଲ୍ଲାପାଳ? ୨୦ କିମି ଚାଲିବା ପରେ କାହିଁକି ବୁଝାଇବାକୁ ଗଲେ? ଉପରୁ କିଛି ନିର୍ଦ୍ଦେଶ ଗଲା କି? ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନାନା ଚର୍ଚ୍ଚା ହେଉଛି।

Advertisment

ପୂରା ଘଟଣା ଦେଖିବାକୁ ଗଲେ, ବାରିପଦା ଜଗନ୍ନାଥ ମନ୍ଦିର ହେଉଛି ବହୁ ପୁରାତନ। ରାଜରାଜୁଡ଼ା ଅମଳରୁ ନିର୍ମାଣ ହୋଇଛି। ଉତ୍ତର ଓଡ଼ିଶାରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ। ହେଲେ ମହାପ୍ରଭୁଙ୍କ ଏହି ପୀଠ ପ୍ରତି ରାଜ୍ୟ ସରକାର ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ମନ୍ଦିରର ଉନ୍ନତି କରଣ, ଜଗନ୍ନାଥଙ୍କ ଜମି ପୁନଃ ଉଦ୍ଧାର, ଜଗନ୍ନାଥଙ୍କ ସମ୍ପତ୍ତି ପୁନଃ ଉଦ୍ଧାର, ଠାକୁରଙ୍କ ଗହଣା ଉଦ୍ଧାର ଓ ସେବାୟତଙ୍କ ମାସିକ ଭତ୍ତା ବୃଦ୍ଧି ପରି ଅନେକ ଦାବି ନେଇ ସେବାୟତମାନେ ବହୁବାର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତ ସମୟରେ ସେବାୟତମାନେ ସେମାନଙ୍କ ଦାବି ଜଣାଇଥିଲେ। ହେଲେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ସେବାୟତଙ୍କ ଦାବି ପୂରଣ କଲେ ନାହିଁ। ଏପରିକି ସେମାନଙ୍କ ସହିତ ଆଲୋଚନା କଲେ ନାହିଁ।

ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ ଜଣାଇବା ପାଇଁ ଆଜି ପଦଯାତ୍ରାରେ ବାହାରିଥିଲେ ସେବାୟତ। ଆଜି ସକାଳେ ସେବାୟତମାନେ ମହାପ୍ରଭୁଙ୍କ ପାଖରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇ ପଦଯାତ୍ରାରେ ବାହାରିଥିଲେ। ପ୍ରାୟ ୨୦ ଜଣ ସେବାୟତ ପଦଯାତ୍ରାରେ ବାରିପଦାରୁ ବାହାରିଥିଲେ।

Advertisment

ସେବାୟତଙ୍କ ପଦଯାତ୍ରା ସମ୍ପର୍କରେ ଖବର ପାଇ ବାରିପଦା ଡେପୁଟି କଲେକ୍ଟର ଓ ଅନ୍ୟ ଅଧିକାରୀମାନେ ମନ୍ଦିର ପାଖରେ ପହଞ୍ଚିଥିଲେ। ସେବାୟତମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ହେଲେ ସବୁ ଉଦ୍ୟମ ଫେଲ୍ ମାରିଲା। ସେବାୟତମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ ଓ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ।

ବାରିପଦା ଜଗନ୍ନାଥ ମନ୍ଦିରଠାରୁ ପ୍ରାୟ ୨୦ କିମି ଚାଲିବା ପରେ ସେବାୟତମାନେ ବୁଢ଼ି ଖମାରୀ ଛକରେ ପହଞ୍ଚିଥିଲେ। ଡେପୁଟି କଲେକ୍ଟରଙ୍କଠାରୁ ସବୁ ତଥ୍ୟ ସଂଗ୍ରହ କରି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସ୍‌ପି ବି.ଙ୍ଗାଧର ଓ ଅନ୍ୟ ପଦାଧିକାରୀମାନେ ବୁଢ଼ି ଖମାରୀ ଛକରେ ପହଞ୍ଚି ସେବାୟତଙ୍କ ସହିତ ଆଲୋଚନା କରିଥିଲେ। ଦୀର୍ଘ ସମୟ ଧରି ରାସ୍ତାରେ ଆଲୋଚନା ହୋଇଥିଲା। ଶେଷରେ ପ୍ରତିଶ୍ରୁତି ମିଳିବା ପରେ ସେବାୟତମାନେ ଫେରିଥିବା ଜଣାପଡ଼ିଛି।

ସେବାୟତଙ୍କ ଦୀର୍ଘ ଦିନର ଦାବି କ’ଣ ପାଇଁ ଶୁଣୁନଥିଲା ଜିଲ୍ଲା ପ୍ରଶାସନ? ଜିଲ୍ଲାପାଳ ଚାହିଁଥିଲେ କ’ଣ ଆଜି ସକାଳେ ସେବାୟତଙ୍କ ସହିତ ଆଲୋଚନା କରିପାରିନଥାଆନ୍ତେ? ହେଲେ ତାହା ହେଲା ନାହିଁ। ୨୦ କିମି ଚାଲିବା ପରେ ଜିଲ୍ଲାପାଳ ଓ ଏସ୍‌ପି ହଠାତ୍‌ କାହିଁକି ଭେଟିବାକୁ ଗଲେ? ତାହାର କାହା ପାଖରେ ନାହିଁ। ତେବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି, ଆଗାମୀ କିଛି ଦିନ ଭିତରେ 5-T ସଚିବ ମୟୂରଭଞ୍ଜ ଗସ୍ତରେ ଆସିବେ। 5-T ସଚିବଙ୍କ ଗସ୍ତ ପୂର୍ବରୁ ଜିଲ୍ଲାରେ ଯେପରି କୌଣସି ବିଶୃଙ୍ଖଳା ନଘଟେ, ସେଥିପାଇଁ ପ୍ରଶାସନ ଏପରି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।

ରିପୋର୍ଟ-ବାରିପଦାରୁ ମାଣିକଲାଲ୍‌ ପାଣି

Sri Jagannath Lord Jagannath Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe