Advertisment

ଅସନ୍ତୋଷ ଝାଡ଼ିଲେ ଜଗୁନି; କହିଲେ- ଜାଣିଶୁଣି ମନ୍ଦିରକୁ ଭାଙ୍ଗି ଦେଲେ

ମହାପ୍ରଭୁଙ୍କ ମେଘନାଦ ପାଚେରୀରେ ଫାଟ ନେଇ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବେଳେ ଜେସିବି ଲଗାଇ ଭାଙ୍ଗିଲେ। ଚାରିକଡ଼ ମଠ, ମନ୍ଦିର, ଘର ସବୁ ଜେସିବିରେ ଭାଙ୍ଗିଦେଲେ। ଏହାଦ୍ୱାରା ମନ୍ଦିର ଚାରିକଡୁ ସପୋର୍ଟ କମିଗଲା।

ଅଦ୍ୟତନ ହୋଇଛି
Puri

Puri

Advertisment

କୋଟି ଓଡ଼ିଆ ଆରାଧ୍ୟ ମହାପ୍ରଭୁଙ୍କ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଛି। ଏହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି। ଏହି ବୟାନବାଜି ଭିତରେ ଆଜି ମୁହଁ ଖୋଲିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି। ଆଉ ନାଁ ନନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅସନ୍ତୋଷ ଝାଡ଼ି ସେ କହିଛନ୍ତି ଜାଣିଶୁଣି ମନ୍ଦିରକୁ ଭାଙ୍ଗିଦେଲେ। ଜଗୁନିଙ୍କ ସହିତ ସ୍ୱର ମିଳାଇଛି ବିଜେପି। ଏହାର ଜବାବ ରଖିଛି ବିଜେଡି।

Advertisment

ମହାପ୍ରଭୁଙ୍କ ମେଘନାଦ ପାଚେରୀରେ ଫାଟ ନେଇ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବେଳେ ଜେସିବି ଲଗାଇ ଭାଙ୍ଗିଲେ। ଚାରିକଡ଼ ମଠ, ମନ୍ଦିର, ଘର ସବୁ ଜେସିବିରେ ଭାଙ୍ଗିଦେଲେ। ଏହାଦ୍ୱାରା ମନ୍ଦିର ଚାରିକଡୁ ସପୋର୍ଟ କମିଗଲା। ଯେଉଁଥିପାଇଁ ପାଚେରୀ ଚାରିଆଡ଼େ ଫାଟିଗଲା। ଏହାକୁ ସଂପୂର୍ଣ୍ଣ ମରାମତି ନକଲେ ଏହା ପୂରା ଭାଙ୍ଗିଯିବ। ବର୍ତ୍ତମାନ ସ୍ଥିତି ଯାହା ଏଏସ୍‌ଆଇ ଏହାକୁ ସ୍ୱତନ୍ତ୍ର ଭାବେ କାମ କରୁ। ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କଲେ ପୂରା କାମ ହେବ ବୋଲି ଜଗୁନି କହିଛନ୍ତି।

ସେପଟେ ଜଗୁନିଙ୍କ ସ୍ୱରରେ ସ୍ୱର ମିଳାଇଛି ଶାସକ ବିଜେପି। ପୂର୍ବ ବିଜେଡି ସରକାରକୁ କଡ଼ା ନିଶାନା କରିଛନ୍ତି ବିଜେପି ମୁଖ୍ୟପାତ୍ର ଅନୀଲ ବିଶ୍ୱାଳ। ସେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ତାଙ୍କ ସହଯୋଗୀ ଭିକେ ପାଣ୍ଡିଆନ ଏମିତି କିଛି ଭୁଲ କରିକି ଯାଇଛନ୍ତି, ଯାହାର ମୂଲ୍ୟ ଏବେ ଓଡ଼ିଶାବାସୀଙ୍କୁ ଦେବାକୁ ପଡୁଛି। ନିଜର ରାଜନୈତିକ ଫାଇଦା ପାଇଁ ସେମାନେ କିଭଳି ଏକ ପୁରାତନ ଐତିହ୍ୟକୁ ବିପଦକୁ ଠେଲି ଦେଇଛନ୍ତି, ତାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି।

Advertisment

ଶ୍ରୀ ବିଶ୍ୱାଳ ଆହୁରି କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ମନ୍ଦିରର ମେଘନାଦ ପାଚେରୀରେ ଯେଉଁ ଫାଟ ବାହାରିଛି, ତାହା ମେଲିବା ଆରମ୍ଭ କରୁଛି। ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି। ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଯେଭଳି ବଡ଼ ବଡ଼ ମେସିନ ଲଗାଇ ଶ୍ରୀମନ୍ଦିର ଚାରିପଟେ ଓ ଅତି ନିକଟରେ ବଡ଼ ବଡ଼ ଗାତ କରାଗଲା, ତାହା ମେଘନାଦ ପାଚେରୀ ଉପରେ ପ୍ରଭାବ ପକାଇଲା। ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ନ୍ୟାସନାଲ ମନୁମେଣ୍ଟ ଅଥରିଟିର ବିନା ଅନୁମତିରେ ପ୍ରଥମେ ମେସିନ ଲଗାଇ ଖୋଳାଗଲା। ବିନା କୌଣସି ହେରିଟେଜ ଇଂପାକ୍ଟ ଷ୍ଟଡି ନକରାଯାଇ ଏହି ଖୋଳାଖୋଳି କାମ କେଉଁ ପରିସ୍ଥିତିରେ କରାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ୯୦୦ ବର୍ଷର ଏକ ପ୍ରାଚୀନ ମନ୍ଦିର ଚାରିପଟେ ଯେଉଁଭଳି ଭାବରେ ବିଶାଳ ମେସିନ ଲଗେଇ ବୃହତ ଗର୍ତ୍ତ କରାଯାଇ ଏହାର ସ୍ଥାୟୀତ୍ୱକୁ ବିଗାଡ଼ି ଦିଆଗଲା, ଏହାର ପ୍ରଭାବ ବର୍ତ୍ତମାନ ମେଘନାଦ ପାଚିରୀ ଉପରେ ପଡ଼ିଲାଣି। ଆଗାମୀ ଦିନରେ ମନ୍ଦିର ଉପରେ ଏହା ଯେ ନପଡିବ ତାହା କିଏ କହିବ ବୋଲି ଅନୀଲ ବିଶ୍ୱାଳ ପ୍ରଶ୍ନ କରିଛନ୍ତି।

ବିଜେପିର ଆକ୍ଷେପ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା। ସେ କହିଛନ୍ତି, ବିଜେପି ନେତା କଣ ବୈଷୟିକ ବିଶେଷଜ୍ଞ? ବିଜେପି ନେତାଙ୍କୁ ମୋର ପରାମର୍ଶ ଯାହା କହୁଛନ୍ତି ଭାବିଚିନ୍ତି କୁହନ୍ତୁ। ଯିଏ ଏତେ ବଡ଼ ପରିକ୍ରମା ପ୍ରକଳ୍ପ କଲେ ସେ କଣ ମନ୍ଦିରର କ୍ଷତି କରିବା ପାଇଁ କରିଛନ୍ତି? ଏମିତି ଯିଏ ଭାବୁଛନ୍ତି ସେମାନେ ତାଙ୍କ ଭାବନା ସଂଶୋଧନ କରନ୍ତୁ। ବିଜେପି ନେତାମାନେ ସୁସ୍ଥ ମାନସିକତାରେ ନିଜ ବିବୃତ୍ତି ରଖନ୍ତୁ ବୋଲି ଶ୍ରୀ ବେହେରା କହିଛନ୍ତି।

Puri Shreemandir Sri Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe