Advertisment

ପାଣି ଟାଙ୍କିରୁ ବାହାରିଲା ଦୁଇଟି କଂକାଳ

ଆଜି ମଧ୍ୟାହ୍ନରେ ଗାଁର କିଛି ପିଲା ସେହି ପଡ଼ିଆରେ ଖେଳୁଥିଲେ। ସେହି ସମୟରେ କିଛି ପିଲା ପାହାଚ ଦେଇ ପାଣି ଟାଙ୍କି ଉପରକୁ ଚଢ଼ି ଯାଇଥିଲେ। ଆଉ ସେହି ସମୟରେ ଟାଙ୍କି ଭିତରେ ଦୁଇଟି କଂକାଳ ପଡ଼ିଥିବା ଦେଖିବାକୁ ପାଇଥିଲେ।

author-image
Manoranjan Sial
Skeleton

Jajpur

ପାଣି ଟାଙ୍କିରୁ ବାହାରିଲା ଦୁଇଟି କଂକାଳ। ହେଲେ ସେହି କଂକାଳ କାହାର? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଯାଜପୁର ପୁଲିସ୍‌ କଂକାଳ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।

Advertisment

ଯାଜପୁର ସଦର ଥାନା ନିଶ୍ଚନ୍ତା ଗାଁରୁ ଅନତି ଦୂରରେ ପଡ଼ିଆ ମଝିରେ ଗୋଟିଏ ପାଣି ଟାଙ୍କି ନିର୍ମାଣ କରାଯାଇଛି। ସେହି ପାଣି ଟାଙ୍କିର ଉପରେ ଛାତ ପଡ଼ିନାହିଁ। ପାଇପ୍‌ ସଂଯୋଗ ମଧ୍ୟ ଦିଆଯାଇନାହିଁ। କହିବାକୁ ଗଲେ ପାଣି ଟାଙ୍କିଟି ଖାଲି ପଡ଼ିଛି। ସେଠାକୁ ସାଧାରଣତଃ କୌଣସି ଲୋକ ଯିବା ଆସିବା କରନ୍ତିନାହିଁ।

ଆଜି ମଧ୍ୟାହ୍ନରେ ଗାଁର କିଛି ପିଲା ସେହି ପଡ଼ିଆରେ ଖେଳୁଥିଲେ। ସେହି ସମୟରେ କିଛି ପିଲା ପାହାଚ ଦେଇ ପାଣି ଟାଙ୍କି ଉପରକୁ ଚଢ଼ି ଯାଇଥିଲେ। ଆଉ ସେହି ସମୟରେ ଟାଙ୍କି ଭିତରେ ଦୁଇଟି କଂକାଳ ପଡ଼ିଥିବା ଦେଖିବାକୁ ପାଇଥିଲେ। ପିଲାମାନେ ଏନେଇ ପରିବାର ଲୋକଙ୍କୁ କହିଥିଲେ। ଏହା ପରେ ଏହି ଘଟଣା ଗାଁରେ ପ୍ରଚାରିତ ହୋଇଥିଲା। ଗାଁ ଲୋକେ ପୁଲିସ୍‌କୁ ସୂଚନା ଦେଥିଲେ।

Advertisment

ଖବର ପାଇ ଯାଜପୁର ଏସ୍‌ପି ବିନିତ ଅଗ୍ରୱାଲ୍‌ ଓ ଏସ୍‌ଡିପିଓ ଗାଁରେ ପହଞ୍ଚିଥିଲେ। ପୁଲିସ ଦୁଇ କଂକାଳକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କଂକାଳ ଓ ଖପୁରୀ ଗୁଡ଼ିକ କାହାର ଜଣାପଡ଼ିବ? ଯଦି ନର କଂକାଳ ହୋଇଥିବ, ତାହାହେଲେ କାହାର? ପାଣି ଟାଙ୍କି ଭିତରେ କେମିତି ମଲେ? ନା ସେମାନଙ୍କୁ ହତ୍ୟା କରାଯାଇ ସେଠାରେ ଫିଙ୍ଗି ଦିଆଯାଇଛି। ଯାଜପୁର ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ରିପୋର୍ଟ-ଯାଜପୁରରୁ ସଞ୍ଜୀବ ନାୟକ

Jajpur