/odisha-reporter/media/post_attachments/uploadimage/library/16_9/16_9_0/IMAGE_1753974210.jpg)
Krushna Patra
ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଇ-ସ୍କାନର ମେସିନ୍ ଅଭାବ ଯୋଗୁ ସମସ୍ୟା ସୃଷ୍ଟି ହୋଇଛି । ୧୬ଟି ଜିଲ୍ଲାରେ ଆବଶ୍ୟକ ସ୍କାନର ମେସିନ୍ ନଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି । ତେବେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଏଡ଼ାଇ ଦେଇଛନ୍ତି । ପଞ୍ଜିକରଣ ପ୍ରକ୍ରିୟା ଜୋରସୋରରେ ଚାଲିଛି ଓ କୌଣସି ଅସୁବିଧା ନାହିଁ ବୋଲି କହିବା ସହ ପଞ୍ଜିକରଣ ପ୍ରକ୍ରିୟାକୁ ସରଳୀକୃତ କରାଯାଇଥିବା ଆଶ୍ୱାସନା ଦେଇଛନ୍ତି ।
ଚାଷୀ ପଞ୍ଜିକରଣରେ ଆଇଆରଆଇଏସ୍ ସ୍କାନର ଅଭାବ
ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୬ ଜିଲ୍ଲାରେ ୯୭୯ ଆଇସ୍କାନର ମେସିନ୍ ଆବଶ୍ୟକ ଥିବାବେଳେ ଚାଷୀଙ୍କ ପଞ୍ଜିକରଣ ପାଇଁ ଲାଗୁ ହୋଇଥିବା ଇ-କେୱାଇସି ବ୍ୟବସ୍ଥାରେ ଆଇଆରଆଇଏସ୍ ସ୍କାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଚାଷୀ ଓ ମଧ୍ୟସ୍ଥିଙ୍କୁ ଚିହ୍ନଟ କରି ଦଲାଲି ରୋକିବା ପାଇଁ ସହାୟକ ହେଉଛି । କିନ୍ତୁ ରାଜ୍ୟର ୧୬ଟି ଜିଲ୍ଲାରେ ଆବଶ୍ୟକୀୟ ସ୍କାନର ମେସିନ୍ ଅଭାବ ଦେଖାଦେଇଛି । ରିପୋର୍ଟ ଅନୁସାରେ, ରାଜ୍ୟରେ ମୋଟ ୯୭୯ଟି ମେସିନ୍ ଆବଶ୍ୟକ ରହିଛି । ଏଥିମଧ୍ୟରେ ଯାଜପୁରରେ ୧୪୭, ନବରଙ୍ଗପୁରରେ ୧୧୫, ସୁନ୍ଦରଗଡ଼ରେ ୧୦୪ ଏବଂ ଭଦ୍ରକରେ ୧୦୦ ମେସିନ୍ ଦରକାର । ତେବେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ଲାର୍ଜ ଏରିଆ ମଲ୍ଟିପରପସ କୋ-ଅପରେଟିଭ ସୋସାଇଟି (ଲ୍ୟାମ୍ପସ) ମାଧ୍ୟମରେ ତୁରନ୍ତ ମେସିନ୍ ଯୋଗାଇ ଦିଆଯିବ । ଚାଷୀମାନେ ପଞ୍ଜିକରଣରେ କୌଣସି ଅସୁବିଧା ହେଲେ ନିର୍ଦ୍ଧିଷ୍ଟ ଫୋନ୍ ନମ୍ବରରେ ଯୋଗାଯୋଗ କରିବାକୁ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି ।
ସରଳୀକୃତ ହେଲା ପଞ୍ଜିକରଣ ପ୍ରକ୍ରିୟା: ସେଲ୍ଫ ଡିକ୍ଲାରେସନ୍ ଫର୍ମ ଦାଖଲ
ଚାଷୀ ପଞ୍ଜିକରଣ ପ୍ରକ୍ରିୟାକୁ ଆହୁରି ସହଜ କରାଯାଇଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ ଚାଷୀମାନଙ୍କୁ କେବଳ ଗୋଟିଏ ସେଲ୍ଫ ଡିକ୍ଲାରେସନ୍ ଫର୍ମରେ ଦସ୍ତଖତ କରିବାକୁ ପଡ଼ିବ । ଯଦି ଜମି ରେକର୍ଡ ବାପା କିମ୍ବା ଭାଇଙ୍କ ନାମରେ ଥାଏ, ତେବେ କେବଳ ତାହା ଲିଖିତ ଭାବେ ଦାଖଲ କରିବାକୁ ହେବ । ଏଥିପାଇଁ ସରକାର ସ୍ୱତନ୍ତ୍ର ଫର୍ମ ଜାରି କରାଯାଇଛି ।ରାଜ୍ୟରେ ପଞ୍ଜିକରଣ ଜୋରସୋରରେ ଚାଲିଛି । କୌଣସି ଅସୁବିଧା ନାହିଁ । ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ୩ ଲକ୍ଷ ୩୮ ହଜାର ୭୩୫ ଜଣ ଚାଷୀ ପଞ୍ଜିକରଣ କରିସାରିଛନ୍ତି । ଗତ ବର୍ଷ ଏହି ସମୟରେ ୩ ଲକ୍ଷ ୪୮ ହଜାର ଚାଷୀ ପଞ୍ଜିକରଣ କରିଥିଲେ । ଏଥର ପଞ୍ଜିକରଣ ୪ ଦିନ ବିଳମ୍ବରେ ଆରମ୍ଭ ହୋଇଥିବା ସତ୍ତ୍ୱେ ମାତ୍ର ୧୦ ହଜାରର ବ୍ୟବଧାନ ରହିଛି । ଏହି ବ୍ୟବଧାନ ଶୀଘ୍ର ପୂରଣ ହୋଇଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।
ଧାନ ଓ ଚାଉଳ ସଂଗ୍ରହ:ସରକାର ପ୍ରସ୍ତୁତ
ଖରିଫ ଧାନ ସଂଗ୍ରହ ସଂପର୍କରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ଗତବର୍ଷ ୭୩ ଲକ୍ଷ ୪୬ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା । ଚଳିତବର୍ଷ ଆହୁରି ଅଧିକ ସଂଗ୍ରହ ହେବ । ର-କେୱାଇସି ମାଧ୍ୟମରେ ଅନେକ ଅଯୋଗ୍ୟ ଚାଷୀ ଚିହ୍ନଟ ହୋଇଛନ୍ତି, ଯାହାଫଳରେ ଚାଷୀ ସଂଖ୍ୟା କିଛି କମିପାରେ । ତଥାପି, ଯେଉଁ ଅଂଚଳରେ ପୂର୍ବରୁ ଚାଷ ହେଉନଥିଲା, ସେଠାରେ ମଧ୍ୟ ଏଥର ଚାଷ ହୋଇଛି । ଫଳରେ ଧାନ ଓ ଚାଉଳ ଉତ୍ପାଦନ ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଯେତେ ଉତ୍ପାଦନ ହେବ, ସମସ୍ତ ଗ୍ରହଣ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ।ଚାଉଳ ସଂଗ୍ରହ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଜାରି ରହିଛି । ଏ ସମ୍ପର୍କରେ ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲି । ସେ ଆଶ୍ୱାସନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟିମ୍ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ଖୁବଶୀଘ୍ର ଏହାର ସମାଧାନ ହେବ ।
ଚାଷୀଙ୍କ ଅସୁବିଧା ଦୂରୀକରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ
ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ଚାଷୀଙ୍କୁ ହଇରାଣ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ । ଇ-କେୱାଇସି ବ୍ୟବସ୍ଥା ଦଲାଲମାନଙ୍କୁ ରୋକିବା ପାଇଁ ଲାଗୁ କରାଯାଇଛି । ଆଇଆରଆଇଏସ୍ ସ୍କାନର ସମସ୍ୟାର ସମାଧାନ ହୋଇଯାଇଥିବା ସେ ଦାବି କରିଛନ୍ତି । ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ଯାହା ଦ୍ୱାରା ପଞ୍ଜିକରଣ ଓ ଧାନ ସଂଗ୍ରହ ପ୍ରକ୍ରିୟା ସୁଗମ ହେବ ବୋଲି ସେ ଚାଷୀମାନଙ୍କୁ ଆଶ୍ୱସ୍ତ କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
