Advertisment

ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ

। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
prasant-jagadev

prasant-jagadev

ଖୋର୍ଦ୍ଧା ବିଧାନସଭାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ନିୟମିତ ଜାମିନ ପ୍ରଦାନ କରିଛନ୍ତି।

Advertisment

ପୋଲିଂ ବୁଥ୍ରେ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୂର୍ବରୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିଥିଲା ।  ଏବେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ୍ ମଞ୍ଜୁର କରିଛନ୍ତି ହାଇକୋର୍ଟ। ପ୍ରଶାନ୍ତଙ୍କ ଜାମିନ ଉପରେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ।

ଚଳିତ ନିର୍ବାଚନରେ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ବିଧାନସଭାରୁ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ଦିନ ସେ ବୋଲଗଡ ବ୍ଲକ୍‌ କାଉଁରିପାଟଣା ୧୧୪ ନମ୍ୱର ବୁଥ୍‌କୁ ଭୋଟ୍‌ ଦେବା ପାଇଁ ଯାଇଥିଲେ। ସେଠାରେ ସେ ଇଭିଏମ୍‌ ଭଙ୍ଗିଥିବା ଅଭିଯୋଗ ହୋଇଥିଲା। ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗ କ୍ରମେ ଗତ ମେ’ ୨୫ ତାରିଖ ବିଳମ୍ବିତ ରାତିରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ପୁଲିସ୍‌ ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା। କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଖୋର୍ଦ୍ଧା ଜେଲ୍‌କୁ ପଠାଇ ଦିଆଯାଇଥିଲା।

Advertisment

ଜେଲ୍‌ରେ ଥିବା ବେଳେ ମେ’ ୨୮ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ ପ୍ରଶାନ୍ତ ଜଗଦ୍ଦେବ। ତେଣୁ ମେ’ ୨୯ ତାରିଖ ଭୋରରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାର ମେଡିସିନ୍ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବ୍ଲଡ୍ ପ୍ରେସର ଓ ସୁଗାର ସ୍ତର ବଢ଼ି ଯାଇଥିଲା। ୧୧ ଦିନ ପରେ ଗତ ୯ ତାରିଖରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା।

ଏହାପରେ ତାଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ ତିନି ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଦୁଇ ଜଣ ଜାମିନଦାର ଓ ପଚାଶ ହଜାର ଟଙ୍କା ଲେଖାଏଁ ବେଲ ବଣ୍ଡରେ ତାଙ୍କୁ ଗତ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଜାମିନ ଦେଇଥିଲେ କୋର୍ଟ।

ଏହାପରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା। ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଇଭିଏମ୍‌ ଭଙ୍ଗାରୁଜା ଅଭିଯୋଗ ହୋଇଥିବା ବେଳେ ଭିଡିଓରେ କିନ୍ତୁ ସେ ଏଥିରେ ସାମିଲ ନ ଥିବା ଦେଖିବାକୁ ମିଳିଥିଲା। ଏହାପରେ ହାଇକୋର୍ଟ ତାଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ସେ ଜେଲ୍‌ରୁ ମୁକୁଳି ପାରନ୍ତି ବୋଲି ଆଲୋଚନା ହେଉଛି।

୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ଯଥାକ୍ରମେ ବେଗୁନିଆ ଓ ଚିଲିକାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ତେବେ ୨୦୨୪ରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ଓ ଖୋର୍ଦ୍ଧା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮,୫୯୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ପ୍ରଶାନ୍ତ ଜଗଦ୍ଦେବଙ୍କୁ ୮୦ ହଜାର ୫୬୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ରାଜେନ୍ଦ୍ରଙ୍କୁ ୭୧ ହଜାର ୯୬୬ଟି ଭୋଟ୍ ମିଳିଥିଲା।

Prashant Jagdev Odisha Highcourt Bail Granted