ରାଜଧାନୀ ଭୁବନେଶ୍ୱରରେ ୧୦ ଏକର ଜମିର ମୂଲ୍ୟ ମାତ୍ର ୨୫ ଲକ୍ଷ ଟଙ୍କା। ବିଶ୍ୱାସ ନ ହେଲେ ମଧ୍ୟ ସତ। ଏମିତି ଶାଗ ମାଛ ଦରରେ ରାଜଧାନୀର ମୂଲ୍ୟବାନ ଜମିକୁ କିସ୍ ହାତକୁ ଟେକି ଦେଇଛନ୍ତି ତତ୍କାଳୀନ ବିଜେଡି ସରକାର। ସର୍ତ୍ତ ସବୁ ପୂରଣ ହୋଇନଥିଲେ ମଧ୍ୟ ରେଗୁଲାରାଇଜେସନ୍ ପ୍ରକ୍ରିୟାକୁ ସାରି ଦେଇଥିଲେ। ଏହି ପ୍ରକ୍ରିୟା ଉପରେ ଏବେ ରୋକ ଲଗାଇଛନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ। ତେବେ ଏଠି ପ୍ରଶ୍ନ ଉଠୁଛି, କାହିଁକି ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା ଏହି ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିଲେ ବିଜେଡି ସରକାର ଓ ଅଧିକାରୀ?
ତେବେ ନଜର ପକାନ୍ତୁ ଜମି ବାବଦକୁ କେତେ ଟଙ୍କା ଦେଇଛି କିସ୍ ସଂସ୍ଥା? ୧୦ ଏକର ଜମି ପାଇଁ ନେଟ୍ ପ୍ରପଟି ଭାଲ୍ୟୁ ୨୫ ଲକ୍ଷ ୨୪ ହଜାର ୩୨ ଟଙ୍କା ଦେଇଛି। ଯେହେତୁ ସେହି ଜମିକୁ ପୂର୍ବରୁ ଜବର ଦଖଲ କରାଯାଇଛି, ତେଣୁ ଫାଇନ୍ ବାବଦକୁ ପ୍ରପଟି ଭାଲ୍ୟୁର ପାଞ୍ଚ ଗୁଣା ଅର୍ଥାତ ୧ କୋଟି ୨୬ ଲକ୍ଷ ଟଙ୍କା ୨୦୨୧ରେ ଦେଇଛି କିସ୍। ସେପଟେ ଦେଖିବାକୁ ଗଲେ ୨୦୨୧ ମସିହାର ପଥର ଗାଡିଆ ମୌଜାର ବେଞ୍ଚ ମାର୍କ ଭାଲ୍ୟୁ ଏକର ପିଛା ୩ କୋଟି ୩୦ ଲକ୍ଷ ଥିଲା। ସେହି ହିସାବରେ ଦେଖିବାକୁ ଗଲେ ୧୦ ଏକର ଜମିର ମୂଲ୍ୟ ପ୍ରାୟ ୩୩ କୋଟି ଟଙ୍କା ହେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ସରକାରୀ ବେଞ୍ଚ ମାର୍କ ଦର ଏତ ଉଚ୍ଚା ଥିବା ବେଳେ ନେଟ୍ ପ୍ରପଟି ଭାଲ୍ୟୁ କମିଲା କେମିତି? ଅନ୍ୟପଟେ ଭୁବନେଶ୍ୱରରେ ଦାମୀ ଜମି ବଦଳରେ କୋରାପୁଟରେ ୧୦ ଏକର ଜମି ବନ ବିଭାଗକୁ ଦେଇଛି କିସ୍। ଆଗାମୀ ଦିନରେ ବନାଞ୍ଚଳ ସୃଷ୍ଟି କରାଯିବ ବୋଲି କହିଛନ୍ତି କୋରାପୁଟ ଡିଏଫଓ।
ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ରେଗୁଲାରାଇଜେସନ ପ୍ରକ୍ରିୟା ଉପରେ ଆପତ୍ତି ଉଠାଇଛନ୍ତି ମନ୍ତ୍ରୀ ଜୁଏଲ ଓରାମ? ୨୦୨୪ ମସିହା ଫେବ୍ରୁଆରୀ ୨୧ ତାରିଖରେ ରେଗୁଲାରାଇଜେସନ୍ ପ୍ରକ୍ରିୟାକୁ ଅନୁମତି ଦେବା ସହ ୫ ସର୍ତ୍ତ ଅର୍ଥାତ ପାଞ୍ଚଟି ଦିଗରେ ଯାଞ୍ଚ କରି ଜମି ହସ୍ତାନ୍ତର ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗକୁ ଲେଖିଥିଲେ କେନ୍ଦ୍ର ସରକାର। ପ୍ରଥମଟି ଥିଲା ଜଙ୍ଗଲ ଅଧିକାର ଅଧିନିୟମ ୨୦୦୬ ମସିହାର ଅନୁପାଳନ। ଜଙ୍ଗଳ ଅଧିକାର ଆଇନ୍ କହୁଛି, ପଲ୍ଲୀ ସଭାରେ ୫୦ ପ୍ରତିଶତରୁ ଅଧିକ ଲୋକଙ୍କ ହସ୍ତାକ୍ଷର ଆବଶ୍ୟକ ରହିଛି। ହେଲେ କିସ୍ କ୍ଷେତ୍ରରେ ତା’ର ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି। କେବଳ ସରପଞ୍ଚ, ଜଙ୍ଗଳ ଅଧିକାର କମିଟି, ୱାର୍ଡ ମେମ୍ବରଙ୍କ ଦସ୍ତଖତ ଥିବା ଏକ ବିବରଣୀକୁ ପଲ୍ଲୀସଭାର ନିଷ୍ପତ୍ତି ବୋଲି ଦର୍ଶାଯାଇଛି।
ଆହୁରି ଗୁରୁତର କଥା ହେଉଛି ଉକ୍ତ ୧୦ ଏକର ଜମି ଉପରେ କାହାର ମାଲିକାନା ରହିଛି କି ନାହିଁ ସେଥିପାଇଁ ମଧ୍ୟ ଆବେଦନ ମଗାଯାଇ ନଥିଲା। ଏମିତି କି ଉକ୍ତ ଜମି ଯଦି ନିକଟସ୍ଥ ଗାଁ କାମରେ ଲାଗୁ ଥାଏ, ତା’ହେଲେ ଗ୍ରାମବାସୀମାନେ କମ୍ୟୁନିଟି କ୍ଲେମ୍ କରିପାରିଥାନ୍ତେ। ହେଲେ ତାହା ମଧ୍ୟ ହୋଇ ନଥିବା କହିଛନ୍ତି ଆଇନଜୀବୀ। ଏସବୁ ଦିଗରେ କିସ୍ ପକ୍ଷରୁ ଅନୁପାଳନ ରିପୋର୍ଟ ଦେଇନଥିଲେ ମଧ୍ୟ ରାଜ୍ୟ ସରକାର ଜମି ହସ୍ତାନ୍ତର କରିଦେଇଥିଲେ ଓ ଜମି ରେଗୁଲାରାଇଜ ହୋଇଥିବା କହି କିସ୍ ପକ୍ଷରୁ ମଧ୍ୟ ବିଜ୍ଞାପନ ଦିଆଯାଇଥିଲା।
ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ଏସବୁ ଦିଗକୁ ଆଖି ବୁଜି ଦେଇଥିଲେ ସରକାରୀ ଅଧିକାରୀ? ଅଚ୍ୟୁତ ସାମନ୍ତ ସେତେବେଳେ ବିଜେଡି ସାଂସଦ ଥିବାରୁ ତାଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇଥିଲେ ସରକାର। କିଏ ସେହି ଅଧିକାରୀ ଆଉ ତାଙ୍କ ଉପରେ କ’ଣ ହେବ କାର୍ଯ୍ୟାନୁଷ୍ଠାନ? ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି, ଜଙ୍ଗଲ ଜମି କିସମ ପରିବର୍ତ୍ତନ ନିୟମର ପାଳନ ହୋଇଛି କି ନାହିଁ, ତାର ତର୍ଜମା ହେବ।
ତେବେ ଏହି ମାମଲାରେ କିସ୍ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।