କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ସପ୍ତାହେ ପୁରିବ । କିନ୍ତୁ ଏପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସ୍ଥିତାବସ୍ଥା ଫେରୁନି କି ବିତାଡ଼ିତ ନେପାଳୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଫେରିବା ପାଇଁ ଆବଶ୍ୟକ ମାହୋଲ ମଧ୍ୟ ପ୍ରସ୍ତୁତ ହୋଇପାରିନି । ରାଜ୍ୟ ସରକାର ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବାର ୪ଦିନ ପରେ ମଧ୍ୟ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇନାହାନ୍ତି।
ଇତିମଧ୍ୟରେ ନେପାଳ ବିଦେଶ ମନ୍ତ୍ରୀ ଡଃ ଆରଜୁ ରାଣା ଦେଉବା ଘଟଣା ସହ ଜଡ଼ିତ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ ଭାବେ ଚାକିରିରୁ ହଟାଇବାକୁ ଦାବି କରିଛନ୍ତି । ଶନିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଆଲୋଚନାବେଳେ ନେପାଳ ବିଦେଶ ମନ୍ତ୍ରୀ ଏଭଳି ଦାବି ରଖିଥିବା ନେପାଳ ଗଣମାଧ୍ୟମରୁ ଜଣାପଡ଼ିଛି । ନେପାଳର ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ସମ୍ବେଦନଶୀଳ ଘଟଣାରେ ଉଭୟ ରାଜ୍ୟ ସରକାର ଓ କିଟ୍ କର୍ତ୍ତୃପକ୍ଷ କାହିଁକି ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନେପାଳ ପଳାଇଥିବା ଛାତ୍ରଛାତ୍ରୀମାନଙ୍କୁ ଫେରାଇ ଆଣିବା ପାଇଁ ଆବଶ୍ୟକ ମାହୋଲ ଓ ବିଶ୍ୱାସ ସୃଷ୍ଟି କରାଇବାକୁ ପଦକ୍ଷେପ ନେଉନାହାନ୍ତି ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ପାଲଟିଛି ।
ବିଳମ୍ବ ହେଉଛି ସରକାରଙ୍କ କାର୍ଯ୍ୟାନୁଷ୍ଠାନ
ରାଜ୍ୟ ସରକାର କିଟ୍ ବିଶ୍ୱବିଦ୍ୟାଳୟ ଘଟଣାର ତଦନ୍ତ ପାଇଁ ଗଢ଼ିଥିବା ୩ଜଣିଆ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ନିଜର ତଦନ୍ତ କେବେସୁଦ୍ଧା ସାରିବ ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ଏପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ କମିଟିର ନିର୍ଯ୍ୟାସ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବାରମ୍ବାର ଦୋହରାଇବାରେ ଲାଗିଛନ୍ତି । ଏହି କମିଟି ମାତ୍ର ୪ଟି ଦିଗ ଉପରେ ତଦନ୍ତ କରିବ ବୋଲି ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ବିଧାନସଭାରେ ସ୍ପଷ୍ଟ କରିସାରିଛନ୍ତି । କିନ୍ତୁ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ଘଟଣା ପରଦିନ ହଷ୍ଟେଲରୁ ବଳପୂର୍ବକ ବିଦା କରିବାବେଳେ ପୁଲିସର ଭୂମିକା କ’ଣ ରହିଥିଲା ତା’ର ତଦନ୍ତ କିଏ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । କାରଣ ପୀଡ଼ିତା ଛାତ୍ରଛାତ୍ରୀମାନେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିସାରିଛନ୍ତି ଯେ, ସେମାନଙ୍କୁ ପୁଲିସ, କିଟ୍ ସୁରକ୍ଷାକର୍ମୀ ଓ ସ୍ଥାନୀୟ ଗୁଣ୍ଡାମାନେ ମିଳିତ ଭାବେ ହଷ୍ଟେଲରୁ ବିଦା କରିଥିଲେ । ତେଣୁ ସେହି ପୁଲିସ କର୍ମଚାରୀ ଓ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରିବାର ଆବଶ୍ୟକତା ରହିଛି ।
ତା’ଛଡ଼ା ଭିଡିଓରେ ଯେଉଁ ଦୁଇଜଣ ମହିଳା ଅଧିକାରୀ ମଞ୍ଜୁଳା ପାଣ୍ଡେ ଓ ଜୟନ୍ତୀ ରଥ ଦେଶ-ଦେଶ ଭିତରେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଛନ୍ତି ସେମାନଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ କିମ୍ବା ପୁଲିସ ନିଜଆଡ଼ୁ ସେସବୁ ପ୍ରକ୍ରିୟା ଆରମ୍ଭ କରିନାହିଁ । ଏପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟର କୌଣସି ବରିଷ୍ଠ ପଦାଧିକାରୀ କିମ୍ବା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇନି । ଯେଉଁ ୩ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଥିଲା ସେମାନେ ମାତ୍ର ୨ଘଣ୍ଟା ମଧ୍ୟରେ ଜାମିନରେ ମୁକୁଳି ସାରିଛନ୍ତି । ଅନ୍ୟ ଯେଉଁମାନଙ୍କୁ ଗିରଫ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ଗୁଣ୍ଡାଶ୍ରେଣୀୟ ବ୍ୟକ୍ତି ଓ ବିଶ୍ୱବିଦ୍ୟାଳୟର ସୁରକ୍ଷାକର୍ମୀ ।
ତେଣୁ ଉଚ୍ଚସ୍ତରୀୟ କମିଟି ତଦନ୍ତ ନାଁରେ ସମୟ ଗଡ଼ାଇବା ପାଇଁ ଯେଉଁ ପ୍ରୟାସ ଚାଲିଛି ତାକୁ ନେଇ ମଧ୍ୟ ନେପାଳୀ ପିଲାମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । କେବଳ ନେପାଳୀ ଛାତ୍ରଛାତ୍ରୀ ନୁହଁନ୍ତି, ରାଜ୍ୟର ବୁଦ୍ଧିଜୀବୀ ଓ ବିଭିନ୍ନ ରାଜନୀତିକ ଦଳ ମଧ୍ୟ ଏହି ତଦନ୍ତର ନିର୍ଯ୍ୟାସକୁ ନେଇ ଶଙ୍କା ବ୍ୟକ୍ତ କରିବାରେ ଲାଗିଲେଣି । ଏସବୁ କାରଣରୁ ନିରପେକ୍ଷ ତଦନ୍ତ ନିମନ୍ତେ ବିଚାରବିଭାଗୀୟ ତଦନ୍ତ କିମ୍ବା ଏସଆଇଟି ତଦନ୍ତ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଲେ ନେପାଳୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହୋଇପାରନ୍ତା । ମୋଟାମୋଟି କହିବାକୁ ଗଲେ, ରାଜ୍ୟ ସରକାର କେବଳ ଘଟଣାର ତଦନ୍ତ ପାଇଁ ୩ଜଣ ସଚିବଙ୍କୁ ନେଇ ଏକ କମିଟି ଗଢ଼ିଛନ୍ତି କିନ୍ତୁ ନେପାଳୀ ଛାତ୍ରଛାତ୍ରୀଙ୍କୁ ତ୍ୱରିତ୍ ନ୍ୟାୟ ପ୍ରଦାନ ଓ ବିଶ୍ୱାସ ସୃଷ୍ଟି ଦିଗରେ ତତ୍କାଳ ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି । କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଯେତେ ବିଳମ୍ବ ହେବ, ଅବିଶ୍ୱାସ ଓ ସନ୍ଦେହର ବାତାବରଣ ସେତେ ବଳିଷ୍ଠ ହେବ ବୋଲି ଚର୍ଚ୍ଚା ।
ନେପାଳୀ ଛାତ୍ରଛାତ୍ରୀ ଭୀତତ୍ରସ୍ତ: କିଏ ଦେବ ସୁରକ୍ଷା
ଏତେ ସବୁ ଘଟଣା ପରେ ମଧ୍ୟ ନେପାଳୀ ଛାତ୍ରଛାତ୍ରୀମାନେ ଏବେବି ଭୟଭୀତ ଅବସ୍ଥାରେ ଥିବାନେଇ ଉଚ୍ଚସ୍ତରୀୟ ତଦନ୍ତ କମିଟି ଆଗରେ ବ୍ୟକ୍ତ କରିସାରିଛନ୍ତି । ସରକାର ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅପିଲ ପରେ ଯେଉଁ ଛାତ୍ରଛାତ୍ରୀମାନେ ଫେରୁଛନ୍ତି ସେମାନଙ୍କ ନିକଟରୁ କାହିଁକି ‘ଅଣ୍ଡରଟେକିଂ’ ରଖାଯାଉଛି ତାହା ବି ପିଲାମାନଙ୍କୁ ଅଧିକ ଭୀତତ୍ରସ୍ତ କରାଉଛି। କ୍ୟାମ୍ପସରେ ପୁଲିସ ମୁତୟନ ଥିବାସତ୍ତ୍ୱେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ନେପାଳୀ ଛାତ୍ରଛାତ୍ରୀଙ୍କଠୁ ଯେଉଁ ‘ଅଣ୍ଡରଟେକିଂ’ ରଖାଯାଉଛି ତା’ପଛରେ କେଉଁ ମନ୍ଦ ଉଦ୍ଦେଶ୍ୟ ରହିଛି । ଛାତ୍ରଛାତ୍ରୀମାନଙ୍କ ଭୁଲ୍ କ’ଣ ଯେ,ସେମାନେ ଅଣ୍ଡରଟେକିଂ ଦେଇ ହଷ୍ଟେଲରେ ରହିବେ ତାହା ମଧ୍ୟ ଜଣାପଡ଼ୁନି । ଯଦିଓ ନେପାଳୀ ଛାତ୍ରଛାତ୍ରୀମାନେ ଏନେଇ ଆପତ୍ତି କରିଛନ୍ତି ତଥାପି ସରକାର କିମ୍ବା ପୁଲିସ ଏ ଦିଗରେ ସେମାନଙ୍କୁ ଆଶ୍ୱସ୍ତ କରାଉନାହାନ୍ତି କିମ୍ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏଥିରୁ ନିବୃତ୍ତ କରାଇବାରେ ସକ୍ଷମ ହୋଇନାହାନ୍ତି । କିଛି ଛାତ୍ରଛାତ୍ରୀ ତ ଏଭଳି ଅଣ୍ଡରଟେକିଂକୁ ସମ୍ପୂର୍ଣ୍ଣ ବିରୋଧ କରି ହଷ୍ଟେଲରେ ରହିବାକୁ ରାଜି ହେଉନାହାନ୍ତି ।
ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ଯେଉଁ ବର୍ବରୋଚିତ ଆକ୍ରମଣ ଓ ଅମାନବୀୟ ଘଟଣାର ଶିକାର ହେବାକୁ ପଡ଼ିଲା ତଥା ଏନେଇ ବିଶ୍ୱବିଦ୍ୟାଳୟର ଯେଉଁ ପଦାଧିକାରୀ ଓ କର୍ମଚାରୀମାନେ ପରୋକ୍ଷ-ପ୍ରତ୍ୟକ୍ଷ ଭାବେ ଦାୟୀ ସେମାନଙ୍କ ବିରୁଦ୍ଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇନି ତାହା ବି ବଡ଼ ପ୍ରଶ୍ନ । ବିଶ୍ୱବିଦ୍ୟାଳୟର ୩ଜଣ ପଦାଧିକାରୀଙ୍କୁ ନିଲମ୍ବନ ହୋଇଛି ଓ ପରବର୍ତ୍ତୀ ସମୟରେ ସେମାନଙ୍କୁ ପୁନଃଅବସ୍ଥାପିତ କରାଗଲା ପରେ ନେପାଳୀ ଛାତ୍ରଛାତ୍ରୀମାନଙ୍କ ପ୍ରତି ସେମାନେ ଆକ୍ରୋଶ ମନୋଭାବ ପୋଷଣ କରିବେ ନାହିଁ ବୋଲି କିଏ ତା’ର ଗ୍ୟାରେଣ୍ଟିଂ ଦେବ । ଯେଉଁଥିପାଇଁ ନେପାଳ ବିଦେଶ ମନ୍ତ୍ରୀ ଡଃ ଆରଜୁ ରାଣା ଦେଉବା ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କିଟ୍ ପ୍ରସଙ୍ଗରେ ଟେଲିଫୋନରେ କଥା ହେବାବେଳେ ବିଶ୍ୱବିଦ୍ୟାଳୟର ଯେଉଁ ପଦାଧିକାରୀ ଓ କର୍ମଚାରୀ ଘଟଣା ସହ ଜଡ଼ିତ ଅଛନ୍ତି ସେମାନଙ୍କୁ ତୁରନ୍ତ ସ୍ଥାୟୀ ଭାବେ ଚାକିରିରୁ ହଟାଇବାକୁ ଦାବି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମଧ୍ୟ ଘଟଣା ଉପରେ ସରକାର ତୀକ୍ଷ୍ଣ ନଜର ରଖି ପଦକ୍ଷେପ ନେଉଛନ୍ତି ତଥା ଛାତ୍ରଛାତ୍ରୀମାନଙ୍କ ଭରସା ଓ ଆତ୍ୱବିଶ୍ୱାସ ଫେରାଇ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ତାଙ୍କୁ ଆଶ୍ୱସ୍ତ କରିଛନ୍ତି ।
ପୀଡ଼ିତା ଛାତ୍ରଛାତ୍ରୀଙ୍କୁ କାଉନସେଲିଂ ଜରୁରୀ
କିଟ୍ କର୍ତ୍ତୃପକ୍ଷଙ୍କ ଅମାନବୀୟ ନିର୍ଯାତନାର ଶିକାର ହୋଇ ନିଜ ଘରକୁ ଫେରିବାକୁ ବାଧ୍ୟ ହୋଇଥିବା ନେପାଳୀ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ବ୍ୟାଘାତ ହେବାରେ ଲାଗିଛି । ସେମାନେ ନିଜର କ୍ୟାରିୟରକୁ ନେଇ ଆଶଙ୍କିତ ଅଛନ୍ତି । ପ୍ରାୟ ୨୦ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି କିଟ୍ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ଏହି ଛାତ୍ରଛାତ୍ରୀମାନେ ପୁଣିଥରେ କିଭଳି କ୍ୟାମ୍ପସକୁ ଫେରିବେ ସେଥିପାଇଁ ସେମାନଙ୍କୁ କାଉନସେଲିଂ ଜରୁରୀ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଫୋନ୍ ମାଧ୍ୟମରେ ସେମାନଙ୍କୁ ବୁଝାଇବାକୁ ଯେଉଁ ପ୍ରୟାସ ହେଉଛି ତାହା ଫଳପ୍ରଦ ହୋଇପାରୁନାହିଁ। ଯେଉଁଥିପାଇଁ ସେମାନେ ଘରକୁ ଯିବାର ୫ଦିନ ପରେ ମଧ୍ୟ ଫେରିବାର ନାଁ ଧରୁନାହାନ୍ତି । କିଟ୍ ବିଶ୍ୱବିଦ୍ୟାଳୟରେ ପ୍ରାୟ ୯୦୦-୧୦୦୦ଜଣ ନେପାଳୀ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ଏପର୍ଯ୍ୟନ୍ତ ମାତ୍ର ୨୦୦-୨୫୦ଜଣ ଛାତ୍ରଛାତ୍ରୀ କ୍ୟାମ୍ପସକୁ ଫେରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ସମେତ କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମିଳିତ ଭାବେ କାଉନସେଲିଂ କରିବାର ଆବଶ୍ୟକତା ରହିଛି ।
ନେପାଳୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଗଢ଼ନ୍ତୁ ଟିମ୍
କିଟ୍ ବିଶ୍ୱବିଦ୍ୟାଳୟରେ ଏଭଳି ଅମାନବୀୟ କାଣ୍ଡ ପରେ ସେଠାରେ ପାଠ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଦାୟିତ୍ୱ ଖୋଦ୍ ରାଜ୍ୟ ସରକାର ନିଅନ୍ତୁ । ନେପାଳ ସହ ଆମର ପୁରୁଣା ତଥା ଭାବଗତ ସମ୍ପର୍କକୁ ଦୃଷ୍ଟିରେ ରଖି ନେପାଳୀ ଛାତ୍ରଛାତ୍ରୀମାନେ ଯେଭଳି ନିର୍ଭୟରେ ନିଜର ଛୋଟରୁ ଛୋଟ ଅଭିଯୋଗ ପରିପ୍ରକାଶ କରିପାରିବେ ତା’ର ସ୍ଥାୟୀ ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ । ସରକାରଙ୍କ ମନ୍ତ୍ରୀ କେବଳ ଆଶ୍ୱାସନା ଦେଉଛନ୍ତି କିନ୍ତୁ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ନେପାଳୀ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ବିଶ୍ୱାସ ଓ ଭରସା ସୃଷ୍ଟି ହୋଇପାରୁନି ।
ଓଡ଼ିଶା ନିନ୍ଦିତ ହେଉଛି, ନେପାଳରେ ବିକ୍ଷୋଭ
କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀମୃତ୍ୟୁ ଓ ପରେ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ଅମାନବୀୟ ଭାବେ ମାରପିଟ୍ କରିବା ଏବଂ ସେମାନଙ୍କୁ ଜୋରଜବରଦସ୍ତି ବେସାହାରା ଭଳି ରେଳଷ୍ଟେସନରେ ଛାଡ଼ି ଦେବା ଘଟଣାକୁ ନେଇ ନେପାଳରେ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ନେପାଳର ଦୁଇଜଣ ଅଧିକାରୀ ଓଡ଼ିଶାରେ ଉପସ୍ଥିତ ରହି ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ପ୍ରୟାସ କରୁଥିଲେ ମଧ୍ୟ ଓଡ଼ିଶା ଫେରିବାକୁ ନେଇ ଆଶଙ୍କା ଲାଗି ରହିଛି । ନେପାଳ ବିଦେଶ ମନ୍ତ୍ରୀ ମାତ୍ର ୩ଦିନ ବ୍ୟବଧାନରେ ପ୍ରଥମେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିସାରିଲେଣି । କିନ୍ତୁ ନେପାଳରେ ଛାତ୍ର ସଂଗଠନଗୁଡ଼ିକର ବିକ୍ଷୋଭ ଓଡ଼ିଶାକୁ ନିନ୍ଦିତ ହେବାକୁ ପଡ଼ିଛି ।
ଏପଟେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଯୋଗୁ ସୋସିଆଲ ମିଡିଆରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଯାହା ରାଜ୍ୟ ପୁଲିସର ଭୂମିକାକୁ ମଧ୍ୟ ସନ୍ଦେହଘେରକୁ ନେଇଆସିଲାଣି । ଏସବୁ ଯୋଗୁ ରାଜ୍ୟର ସମ୍ମାନ ମଧ୍ୟ ନଷ୍ଟ ହେବାରେ ଲାଗିଛି । ନେପାଳୀ ଛାତ୍ରୀଜଣକଙ୍କର କେଉଁ ପରିସ୍ଥିତିରେ ଓ କେଉଁଠି ମୃତ୍ୟୁ ହୋଇଛି ତାକୁ ନେଇ ଅନେକ ଚାଂଚଲ୍ୟକର ତଥ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲିବାରେ ଲାଗିଛି । ତେଣୁ ଏବେ ସମସ୍ତଙ୍କ ନଜର ରାଜ୍ୟ ସରକାରଙ୍କ ଉପରେ ରହିଛି । ସରକାର ଯେତେ ଶୀଘ୍ର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବେ, ନେପାଳୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଫେରିବା ମାର୍ଗ ସେତେ ସହଜ ହୋଇପାରିବ ବୋଲି ଚର୍ଚ୍ଚା ।