/odisha-reporter/media/post_attachments/uploadimage/library/16_9/16_9_0/IMAGE_1749046064.jpg)
Koraput Medical College and Hospital
କୋରାପୁଟସ୍ଥିତ ସରକାରୀ ମେଡିକାଲ କଲେଜର ଆଇସିୟୁରେ ରୋଗୀଙ୍କ ମୃତ୍ୟୁକୁ ନେଇ ବିରୋଧୀଙ୍କ ସମାଲୋଚନା ପରେ ରାଜ୍ୟ ସରକାର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ନୟାଗଡ଼ ହସ୍ପିଟାଲ ଓ ଦାରିଙ୍ଗିବାଡ଼ି ମେଡିକାଲରେ ରୋଗୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ମଧ୍ୟ କରାଯିବାକୁ ନିଷ୍ପତ୍ତି ହୋଇଛି । କୋରାପୁଟ ମେଡିକାଲ କଲେଜରେ ରୋଗୀ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ୨ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବିଶେଷଜ୍ଞ ଟିମକୁ ନିର୍ଦ୍ଦେଶ ଦିଆଯାଇଛି ।
କୋରାପୁଟ ମେଡିକାଲ କଲେଜରେ ୪ରୋଗୀଙ୍କ ମୃତ୍ୟୁ
କୋରାପୁଟ ମେଡିକାଲ କଲେଜର ଆଇସିୟୁରେ ଚାରି ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାର ସ୍ୱୀକାର କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ବରିଷ୍ଠ ବିଶେଷଜ୍ଞମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଦୁଇ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଏହି ଟିମକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ରିପୋର୍ଟ ଆସିବା ପରେ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି । ଉଲ୍ଲେଖଯୋଗ୍ୟ, ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଯୋଗୁ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି ।
ଦାରିଙ୍ଗିବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭବତୀଙ୍କ ମୃତ୍ୟୁ
କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳା ସୁନିମା ପ୍ରଧାନଙ୍କ ମୃତ୍ୟୁକୁ ନେଇ ତୁରନ୍ତ ତଦନ୍ତ ଆରମ୍ଭ ହୋଇଛି । କନ୍ଧମାଳ ମେଡିକାଲ କଲେଜ ଓ ହସ୍ପିଟାଲର ବରିଷ୍ଠ ବିଶେଷଜ୍ଞମାନଙ୍କ ଏକ ଟିମ୍ ଏହି ଘଟଣାର ତଦନ୍ତ କରୁଛନ୍ତି ଏବଂ ସେମାନଙ୍କୁ ସାତ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଚିକିତ୍ସାରେ କୌଣସି ଅବହେଳା ବରଦାସ୍ତ କରାଯିବ ନାହିଁ ଏବଂ ଦାୟୀ ଡାକ୍ତର, ନର୍ସିଂ ଅଫିସର କିମ୍ବା କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇ ଦେଇଛି ।
ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ପ୍ରସୂତୀଙ୍କ ମୃତ୍ୟୁ
ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ପ୍ରସୂତୀ ମହିଳା ମମତା ନାୟକଙ୍କ ମୃତ୍ୟୁ ଘଟଣାରେ ତୁରନ୍ତ ପଦକ୍ଷେପ ନିଆଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ପ୍ରାଥମିକ ରିପୋର୍ଟ ଆସିବା ପରେ ସମ୍ପୃକ୍ତ ଡାକ୍ତରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ୩ଜଣିଆ ବିଶେଷଜ୍ଞ ଟିମ୍ ନୟାଗଡ଼ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ସାତ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏହି ଟିମକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆଧାରରେ ଆଗକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ସ୍ପଷ୍ଟ କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
