Advertisment

ବସ୍‌ରେ ଏକାକୀ ଯାଉଥିଲେ ମହିଳା, ହେଲା ପ୍ରସବ ଯନ୍ତ୍ରଣା

ଚଳନ୍ତା ବସ୍‌ରେ ଆରମ୍ଭ ହେଲା ପ୍ରସବ ଯନ୍ତ୍ରଣା। ଛଟପଟ ହେଲେ ମହିଳା। ଏପରି ସମୟରେ ସହାୟ ହେଲେ ଉକ୍ତ ବସ୍‌ରେ ଯାଉଥିବା ଦୁଇ ଡାକ୍ତର।

author-image
Niharika Rout
Bus In Medical

Bus In Medical

ଚଳନ୍ତା ବସ୍‌ରେ ଆରମ୍ଭ ହେଲା ପ୍ରସବ ଯନ୍ତ୍ରଣା। ଛଟପଟ ହେଲେ ମହିଳା। ଏପରି ସମୟରେ ସହାୟ ହେଲେ ଉକ୍ତ ବସ୍‌ରେ ଯାଉଥିବା ଦୁଇ ଡାକ୍ତର। ଫଳରେ ମହିଳାଙ୍କ ସୁରକ୍ଷିତ ପ୍ରସବ ହେଲା। ଏବେ ମା’ ଓ ଛୁଆ ସୁସ୍ଥ ଥିବା ଜଣାଯାଇଛି। ଏପରି ଏକ ଘଟଣା ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଘଟିଛି।

Advertisment

ପାରଳାଖେମୁଣ୍ଡିରୁ ନବରଙ୍ଗପୁର ଯାଉଥିବା ‘ଶ୍ରୀଜଗନ୍ନାଥ’ ନାମକ ଘରୋଇ ବସ୍‌ରେ ଗର୍ଭବତୀଜଣକ ଗୁଣପୁର ଅଭିମୁଖେ ଏକାକୀ ଯାତ୍ରା କରୁଥିଲେ। ବସ୍‌ଟି ଗଜପତି ଜିଲ୍ଲା କାଶୀନଗରଠାରେ ହୋଇଥିବା ବେଳେ ମହିଳାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା। ମାତ୍ର ମେଡିକାଲ ଦୂରରେ ଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀଜଣକ ।

ସୌଭାଗ୍ୟବଶଃତ ଉକ୍ତ ବସ୍‌ରେ ଦୁଇ ଡାକ୍ତର ଅରୁଣ ନାୟକ ଓ ସୁନୀତୀ ମଲିକ ବି ଯାତ୍ରା କରୁଥିଲେ। ସେମାନେ ତୁରନ୍ତ ମହିଳାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। କିଛି ସମୟ ପରେ ସୁରକ୍ଷିତ ଭାବେ ମହିଳାଙ୍କ ପ୍ରସବ ହୋଇଥିଲା। ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

Advertisment

ମହିଳାଙ୍କ ସୁରକ୍ଷିତ ପ୍ରସବ ନିମନ୍ତେ ଡାକ୍ତରଦ୍ୱୟ ଆପ୍ରାଣ ଉଦ୍ୟମ କରିଥିବା ବେଳେ ବସ୍‌ର କର୍ମଚାରୀ ତଥା ଯାତ୍ରୀ ବି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହାପରେ ଡ୍ରାଇଭର ବସ୍‌ଟିକୁ ନେଇ ଗୁଣପୁର ମେଡିକାଲରେ ପହଞ୍ଚିଥିଲେ। ସେଠାରେ ତୁରନ୍ତ ପ୍ରସୂତୀ ଓ ନବଜାତଙ୍କୁ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି। ଉଭୟ ସୁସ୍ଥ ଥିବା ଜଣାଯାଇଛି। ପ୍ରସୂତୀଙ୍କ ନିକଟରେ ତାଙ୍କର କୌଣସି ପରିଚିତ ଲୋକ ନଥିବା ବେଳେ ପ୍ରସୂତି ଜଣକ କିଏ ସେନେଇ କିଛି ସୂଚନା ମିଳିପାରି ନାହିଁ ।

Rayagada