ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ନିମନ୍ତେ ନୂଆ ଯୋଜନା ‘ଲକ୍ଷପତି ଦିଦି ସହାୟିକା ଯୋଜନା’ ଘୋଷଣା କରିଛନ୍ତି । ଏହାସହିତ ସେମାନଙ୍କର ବକେୟା ଥିବା ୧୦ମାସର ଦରମା ମଧ୍ୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି । ପ୍ରାୟ ୬୨ହଜାରରୁ ଅଧିକ ସିଆରପି,ଏମବିକେ, ପ୍ରାଣୀ ମିତ୍ର ଓ ବ୍ୟାଙ୍କ ମିତ୍ରଙ୍କ ଭଳି କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ୨୦୨୪ ଏପ୍ରିଲମାସଠୁ ନିଜର ବକେୟା ଦରମା ପାଇବା ଅପେକ୍ଷାରେ ରହିଛନ୍ତି ।
ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଘୋଷଣା କରି କହିଛନ୍ତି ଯେ, ରାଜ୍ୟରେ ୨୦୧୨ ଏପ୍ରିଲ ୧ରୁ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟକାରୀ ହେଉଛି । ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ଗ୍ରାମୀଣ ପରିବାରଗୁଡ଼ିକର ଜୀବନଜୀବିକାରେ ଉନ୍ନତି ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ପରିବାରର ମହିଳାମାନଙ୍କୁ ସାମିଲ କରାଯାଉଛି । ଏହି ସ୍ୱୟଂ ସହାୟକ ଗୋଷ୍ଠୀ, ସେମାନଙ୍କର ଆଂଚଳିକ ମଂଚ ଓ ପଂଚାୟତ ସଂଘଗୁଡ଼ିକୁ ସୁଦୃଢ଼ କରିବା ନିମନ୍ତେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କୁ ପଂଚାୟତ ସଂଘ ଦ୍ୱାରା ନିଯୁକ୍ତି ଦିଆଯାଇଥିଲା । ରାଜ୍ୟରେ ମୋଟ ୬୨ହଜାର ୩୪୧ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଇଥିଲା ।
ତେବେ ବିଗତ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ପଂଚାୟତସ୍ତରର ସଂଘଗୁଡ଼ିକ ସ୍ୱଂୟ ସମ୍ପୂର୍ଣ୍ଣ ହୋଇପାରିନାହାନ୍ତି । ତେଣୁ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ଦଶମାସର ପାରିଶ୍ରମିକ ପାଇପାରିନାହାନ୍ତି । ଯଦିଓ ୨୦୧୯ ଫେବୃୟାରୀ ୨୫ତାରିଖରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ନିଜର ପାରିଶ୍ରମିକ ବାବଦ ଅର୍ଥ ପଂଚାୟତସ୍ତରୀୟ ସଂଘଠାରୁ ୨୦୧୯ ଏପ୍ରିଲ ୧ରୁ ୫ବର୍ଷ ପର୍ଯ୍ୟନ୍ତ ପାଇବେ । ସେଥିପାଇଁ ସରକାର ମଧ୍ୟ ବିଭିନ୍ନ ହାରରେ ପାଣ୍ଠି ପ୍ରଦାନ କରିବାର ବ୍ୟବସ୍ଥା କରିଥିଲେ । ନିଯୁକ୍ତିର ପ୍ରଥମ ୩ବର୍ଷ ୧୦୦ ପ୍ରତିଶତ, ଚତୁର୍ଥ ବର୍ଷରେ ୭୫ ପ୍ରତିଶତ ଓ ପଂଚମ ବର୍ଷରେ ୫୦ ପ୍ରତିଶତ ହିସାବରେ ପାଣ୍ଠି ପ୍ରଦାନ କରିବାର ବ୍ୟବସ୍ଥା ଥିଲା । ଏହି ଅନୁଦାନ ସହ ୫ବର୍ଷ ଭିତରେ ପଂଚାୟତସ୍ତର ସଂଘକୁ ସ୍ୱୟଂସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ବିଗତ ସରକାରଙ୍କ ଇଚ୍ଛାଶକ୍ତି ଅଭାବରୁ ଏବେ ସମସ୍ୟା ସୃଷ୍ଟି ହୋଇଛି । ବିଜେପି ସରକାର ମା’ମାନଙ୍କର ଏହି ସମସ୍ୟା ପ୍ରତି ସମ୍ବେଦନଶୀଳ ଅଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ‘ଲକ୍ଷପତି ଦିଦି ଯୋଜନା’ କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ଅଧିକରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କାର ରୋଜଗାରକ୍ଷମ କରାଇବକୁ ପ୍ରୟାସ ହେଉଛି । ରାଜ୍ୟ ସରକାର ୨୦୨୭ ମସିହା ସୁଦ୍ଧା ୨୫ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଏହାବ୍ୟତୀତ କମ୍ୟୁନିଟି ସପୋର୍ଟ ଷ୍ଟାଫ ଭାବେ କାର୍ଯ୍ୟ କରୁଥିବା ମହିଳାମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ‘ଲକ୍ଷପତି ଦିଦି ସହାୟିକା ଯୋଜନା’ ନାମକ ଏକ ନୂଆ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି । ଏହି ଯୋଜନା ମାଧ୍ୟମରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ପାରିଶ୍ରମିକ ବାବଦ ଅର୍ଥ ଏବେ ସରକାର ବହନ କରିବେ । ଏଥିପାଇଁ ପଂଚାୟତସ୍ତରୀୟ ସଂଘକୁ ଅନୁଦାନ ପ୍ରଦାନ କରାଯିବ । ଏହି ନିଷ୍ପତ୍ତି ଦ୍ୱାରା ୬୨ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ ଉପକୃତ ହେବେ । ସେମାନେ ନିଜର ବକେୟା ପାରିଶ୍ରମିକ ୨୦୨୪ ଏପ୍ରିଲ ମାସରୁ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି ।