Advertisment

ଏବେ ହେବ ଜମି କିସମର ମ୍ୟାପିଂ!

ପ୍ରାୟ ୮ ହଜାର କିସମର ଜମି ବିଭ୍ରାନ୍ତି ସୃଷ୍ଟି କରୁଥିଲା। ରାଜସ୍ୱ ଜମି ପରିଚାଳନା କଷ୍ଟକର ହେଉଥିଲା। ଜମି ଉପରେ କର ଧାର୍ଯ୍ୟରେ ବି ସମସ୍ୟା ହେଉଥିଲା।

ଅଦ୍ୟତନ ହୋଇଛି
Odisha

Odisha

Advertisment

ଜମି କାରବାରରେ ଥିବା ହଜାର ପ୍ରକାର କିସମ ଓ ସ୍ବତ୍ବ ଝାମେଲାରୁ ଏଣିକି ମୁକ୍ତି ମିଳିବ। ବର୍ତ୍ତମାନ ରାଜ୍ୟରେ 7,797ରୁ ଅଧିକ କିସମର ଜମି ଥିବାବେଳେ ଏହା ମାତ୍ର 22ଟି କିସମ ବା ବର୍ଗକୁ ଖସିଆସିବ। ସେହିଭଳି ବର୍ତ୍ତମାନ ଜମିରେ 750ରୁ ଅଧିକ ସ୍ବତ୍ତ୍ବ ବା ମାଲିକାନା ରହିଛି, ତାହାକୁ ମାତ୍ର 4ଟି ବର୍ଗରେ ସୀମିତ ରଖାଯିବ। ପ୍ରାୟ 5 ବର୍ଷ ଧରି ଏ ନେଇ ବିଚାରବିମର୍ଶ ପରେ ଏବେ ରାଜସ୍ବ ବିଭାଗ ଜୁନ୍ 21 ତାରିଖରେ ଏ ନେଇ ଏକ ସଂକଳ୍ପକୁ ଗେଜେଟରେ ବିଜ୍ଞପ୍ତି କରିଛି।

Advertisment

ଜମିଜମାର ରେକର୍ଡ ପୂର୍ବରୁ ଡିଜିଟାଲାଇଜ୍ ହୋଇଥିଲା। ତେବେ ଅନେକ ସମସ୍ୟାକୁ ନଜରରେ ରଖି ଏହି କିସମ ଓ ସ୍ବତ୍ବ ସଂଖ୍ୟାକୁ ଅଳ୍ପ କିଛି ବର୍ଗରେ ସୀମିତ ରଖିବାର ଢ଼େର ଆବଶ୍ୟକତା ଦେଖାଦେଇଥିଲା। କାରଣ ଅନେକ ସମୟରେ ଗୋଟିଏ ପ୍ରକାର ଜମିର କିସମକୁ ସ୍ଥାନୀୟ ଭାଷାରେ ଗୋଟିଏ ନାଁରେ ରେକର୍ଡ କରାଯାଉଥିବାବେଳେ ଅନ୍ୟ ଅଂଚଳରେ ଏହାର ନାଁ ବଦଳିଯାଉଥିଲା।

ପ୍ରାୟ 8 ହଜାର କିସମର ଜମି ବିଭ୍ରାନ୍ତି ସୃଷ୍ଟି କରୁଥିଲା। ରାଜସ୍ବ ଜମି ପରିଚାଳନା କଷ୍ଟକର ହେଉଥିଲା। ଜମି ଉପରେ କର ଧାର୍ଯ୍ୟରେ ବି ସମସ୍ୟା ହେଉଥିଲା। ଏଭଳି ସରଳୀକରଣ ଦ୍ବାରା ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ ହୋଇପାରିବ ଓ ଧାର୍ଯ୍ୟ କ୍ଷତିପୂରଣ ବି ଶୀଘ୍ର ମିଳିପାରିବ। ଫସଲ ନଷ୍ଟ ହେଲେ ଜମିର କିସମକୁ ଦେଖି ସରକାର ତୁରନ୍ତ କ୍ଷତିପୂରଣ ବା ଇନପୁଟ ସବସିଡି ଦେଇପାରିବେ। ଜମିର ବେଂଚ୍ ମାର୍କ ଭାଲ୍ୟୁ ବି ତୁରନ୍ତ ଧାର୍ଯ୍ୟ କରାଯାଇପାରିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Advertisment

ଜମିକୁ ସମୁଦାୟ 22 ପ୍ରକାର କିସମରେ ବିଭକ୍ତ କରାଯାଇଥିବାବେଳେ ପ୍ରମୁଖ କିସମଗୁଡ଼ିକ ହେଲା- ଜଳସେଚିତ ଦୋଫସଲି, ବଗାୟତ, ଘରବାରୀ, ଜଙ୍ଗଲ, ରାସ୍ତା, ଶ୍ମଶାନ, ନୟନଜୋରି, ସମୁଦ୍ର, ପାହାଡ଼, ପତିତ ଇତ୍ୟାଦି। ସେହିଭଳି ସ୍ବତ୍ବ ବା ମାଲିକାନାରେ ରହିଥିବା 4ଟି ବର୍ଗ ହେଉଛି- ରୟତ ବା ସ୍ଥିତିବାନ, ପଟ୍ଟାଦାର, ଧର୍ମାନୁଷ୍ଠାନ ଓ ଅମୃତ ମଣୋହି। ଜିଲ୍ଲାଓ୍ବାରୀ ଜମିଗୁଡ଼ିକର ମ୍ୟାପିଂ କରିବା ପାଇଁ ରାଜସ୍ବ ପର୍ଷଦ ସଚିବଙ୍କ ଅଧ୍ୟକ୍ଷତାରେ ଏକ 7-ଜଣିଆ କମିଟି ଗଢ଼ାଯାଇଛି। ସେମାନଙ୍କୁ ଏ କାମରେ ଭାରତ ସରକାରଙ୍କ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC) ବୈଷୟିକ ସହାୟତା ଯୋଗାଇ ଦେଉଛି।

ଏ ନେଇ ଭୁବନେଶ୍ବର NICର ବରିଷ୍ଠ ନିର୍ଦ୍ଦେଶକ ଡ. ପବିତ୍ରାନନ୍ଦ ପଟ୍ଟନାୟକ କହିଛନ୍ତି- ଆଗରୁ ଏନଆଇସି ଜମିଗୁଡ଼ିକର କିସମକୁ କୋଡିଂ କରି ରଖିଛି। ପ୍ରାୟ 8 ହଜାର କୋଡିଂକୁ 22 ପ୍ରକାର କୋଡରେ ମ୍ୟାପିଂ କରିଦେଲେ କାମ ସହଜ ହୋଇଯିବ। ଏହାଦ୍ବାରା ସରକାରରୁ ସରକାର ଓ ସରକାରରୁ ସାଧାରଣ ଲୋକେ ବିଭିନ୍ନ ଯୋଜନାରୁ ଶୀଘ୍ର ଲାଭ ପାଇବେ। ସରକାର ଚାହିଁଲେ କେତେ ଚାଷ ଜମି ଅଛି ତାହାକୁ ତୁରନ୍ତ ଡାଟାରୁ ରିଟ୍ରାଇଭ କରିପାରିବେ। ନିଷ୍ପତ୍ତି ନେବା ବି ସହଜ ହେବ।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏ ନେଇ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। କହିଥିଲେ, ବିଜ୍ଞପ୍ତି ଆସିବା ପରେ ଜମିଜମା କାରବାରରେ ଜଟିଳ ସମସ୍ୟା କମିବ।

ଭୁବନେଶ୍ବର ବାର୍ ଆସୋସିଏସନର ଆଡଭୋକେଟ ଅରୁଣ ମହାପାତ୍ର ଓ ଚିତ୍ରସେନ୍ ଶ୍ରୀଚନ୍ଦନ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି। ସେମାନେ କହିଛନ୍ତି- ବିଭିନ୍ନ ଅଂଚଳ ବା ସ୍ଥାନ ଭିତ୍ତିରେ ଗୋଟିଏ ସମାନ ପ୍ରକାର ଜମିର କିସମ ଅନ୍ୟ ଅଞ୍ଚଳରେ ଅଲଗା ରହୁଥିଲା। ଏଭଳି ପରିବର୍ତନ ଏକାଧିକ ନାଁରୁ ମୁକ୍ତି ଦେବ। ଆଗକୁ ଏହା ସମସ୍ତଙ୍କ ପାଇଁ ଭଲ ହେବ ବୋଲି ସେମାନେ ଆଶା କରିଛନ୍ତି।

ପ୍ରାୟ ଗୋଟିଏ ଦଶନ୍ଧି ତଳୁ ଭାରତର ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ଜମିଜମା ତଥ୍ୟର ଡିଜିଟାଲାଇଜେସନ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏବେ ଜମିର କିସମ ଓ ସ୍ବତ୍ବକୁ ଖୁବ କମ୍ ବର୍ଗରେ ରଖିବା ଦ୍ବାରା ଲୋକ ଓ ସରକାରଙ୍କ ପାଇଁ ଅନେକ ଅଯଥା ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ

Odisha Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe