Advertisment

ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର କମଳା ପୂଜାରୀଙ୍କର ପରଲୋକ ହୋଇଥିଲା।

Fire

Fire

Advertisment

ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ଆଜି ଜନ୍ମମାଟି ପାତ୍ରପୁଟ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। କମଳାଙ୍କ ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଥିଲେ। କମଳାଙ୍କ ଶେଷକୃତ୍ୟ ସଂପନ୍ନ ବେଳେ କୋରାପୁଟ ଜିଲ୍ଲାପାଳ ଭି. କିର୍ତ୍ତୀଭାସନ୍, ଏସପି ଅଭିନବ ସୋନାକର, ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା, ଏସଡିପିଓ ଅଙ୍କିତ ବର୍ମା, ବିଡିଓ ଶକ୍ତିପ୍ରସାଦ ମହାପାତ୍ରଙ୍କ ସହିତ ଅନେକ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ଥିଲେ।

Advertisment

କମଳା ପୂଜାରୀଙ୍କ ପାର୍ଥିବ ଶରୀର ଗତକାଲି ମଧ୍ୟରାତ୍ରରେ କଟକ ଏସସିବିରୁ ଆସି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା। ସେଠାରେ କୋରାପୁଟ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଆଜି ସକାଳେ ଏକ ବିରାଟ ଶୋଭାଯାତ୍ରାରେ କମଳା ପୂଜାରୀଙ୍କ ପାର୍ଥିବ ଶରୀରକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ତାଙ୍କ ଗାଁ ପାତ୍ରପୁଟକୁ ନିଆଯାଇଥିଲା। ଜନ୍ମମାଟିରେ କମଳାଙ୍କ ମର ଶରୀର ପହଞ୍ଚିବା ପରେ ବିଭିନ୍ନ ରୀତିନୀତି ସଂପନ୍ନ କରାଯାଇଥିଲା। ତା’ପରେ ଶୋଭାଯାତ୍ରାରେ ତାଙ୍କ ମର ଶରୀରକୁ ଗାଁ ଶ୍ମଶାନ ପର୍ଯ୍ୟନ୍ତ ନିଆଯାଇଥିଲା ଓ ପରେ ଅନ୍ତିମ ସଂସ୍କାର କରାଯାଇଥିଲା।

Advertisment

କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି କମଳା ପୂଜାରୀଙ୍କର ଦେହାନ୍ତ ହୋଇଥିଲା। କିଡନୀ ଜନିତ ସମସ୍ୟା ଯୋଗୁ ଅସୁସ୍ଥ ହୋଇ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଗତକାଲି ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା। ଶତାଧିକ ଲୁପ୍ତପ୍ରାୟ ଅନେକ ଦେଶୀ ଧାନ କିସମକୁ ସଂଗ୍ରହ କରି ପୁନର୍ଜନ୍ମ ଦେଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ। ଲୁପ୍ତପ୍ରାୟ ଦେଶୀ ଧାନ କିସମର ସଂରକ୍ଷଣ ହେଉ, କି ଜୈବିକ କୃଷିର ପ୍ରଚାର ପ୍ରସାର, ଦାରିଦ୍ର୍ୟ ଓ ବୟସକୁ ଖାତିର ନକରି ହାତଗୋଡ଼ ଚାଲିଥିବା ପର୍ଯ୍ୟନ୍ତ ଅଭିଯାନ ଜାରି ରଖିଥିଲେ କମଳା ପୂଜାରୀ। ତାଙ୍କ ପ୍ରେରଣାରେ ପାତ୍ରପୁଟର ଆଖପାଖ ଗାଁରେ ବନ୍ଦ ହୋଇଯାଇଥିଲା ରାସାୟନିକ ସାରର ବ୍ୟବହାର।

୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ଇକ୍ୱେଟର୍ ଇନିସିଏଟିଭ୍ ଆୱାର୍ଡ ପାଇବା ପରେ ଅଖ୍ୟାତ ପଲ୍ଲୀର ବିଖ୍ୟାତ ଚେହେରା ପାଲଟିଯାଇଥିଲେ କମଳା ପୂଜାରୀ। ୨୦୦୩ରେ ଭାରତ ସରକାରଙ୍କ ପକ୍ଷରୁ ଜାତୀୟ କୃଷି ବିଶାରଦ ସମ୍ମାନ ଏବଂ ୨୦୦୪ରେ ରାଜ୍ୟର ଶ୍ରେଷ୍ଠ ମହିଳା କୃଷକ ପୁରସ୍କାର ପାଇଥିଲେ କମଳା। ୨୦୧୭ରେ ତାଙ୍କ ନାଁରେ ନାମିତ ହୋଇଥିଲା ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ- OUATର ଲେଡିଜ୍ ହଷ୍ଟେଲ। ରାଜ୍ୟ ଯୋଜନା ବୋର୍ଡର ପ୍ରଥମ ଆଦିବାସୀ ମହିଳା ସଦସ୍ୟ ଭାବେ ସେ ୨୦୧୮ରୁ ୨୦୨୩ ଯାଏଁ ଦାୟିତ୍ୱ ନିର୍ବାହ କରିଥିଲେ।। କୃଷି ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ତଥା ଉତ୍ସର୍ଗୀକୃତ ମନୋଭାବକୁ ଦେଖି ୨୦୧୯ରେ କେନ୍ଦ୍ର ସରକାର ତାଙ୍କୁ ପ୍ରଦାନ କରିଥିଲେ ‘ପଦ୍ମଶ୍ରୀ’ ପୁରସ୍କାର।

Padma Shri Kamala Pujari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe