Advertisment

ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼, ତଦନ୍ତ କରିବ କି ସିବିଆଇ?

ନବଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛୁ ବୋଲି ଦାବି କରିଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନାରେ ସିବିଆଇ ତଦନ୍ତ ସମ୍ପର୍କରେ ଉଲ୍ଲେଖ ନଥିବାରୁ କିଏ ସତ କହୁଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

author-image
Ordigital Desk
Deepali

Deepali

ଦୀର୍ଘ ପ୍ରାୟ ଦୁଇବର୍ଷ ପରେ ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ନୂଆମୋଡ଼ ନେଇଛି । କ୍ରାଇମବ୍ରାଂଚ ତଦନ୍ତରେ ସନ୍ତୁଷ୍ଟ ନହୋଇ ନବଙ୍କ ପରିବାର ସଦସ୍ୟମାନେ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ହତ୍ୟାକାଣ୍ଡ ଘଟଣାର ସାନି ତଦନ୍ତ ହେବା ଏକରକମ ସ୍ପଷ୍ଟ ହୋଇଯାଇଛି । କ୍ରାଇମବ୍ରାଂଚର ଅଧିକାରୀମାନେ ଝାରସୁଗୁଡ଼ା ଯାଇ ପୁଣିଥରେ ଏହି ମାମଲାରେ ବିଭିନ୍ନ ବ୍ୟକ୍ତିମାନଙ୍କ ବୟାନ ରେକର୍ଡ କରିବା ପରେ ରାଜ୍ୟ ସରକାର ମାମଲାକୁ ସିବିଆଇ କିମ୍ବା ଅନ୍ୟ କୌଣସି ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Advertisment

ଯଦିଓ ନବଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛୁ ବୋଲି ଦାବି କରିଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନାରେ ସିବିଆଇ ତଦନ୍ତ ସମ୍ପର୍କରେ ଉଲ୍ଲେଖ ନଥିବାରୁ କିଏ ସତ କହୁଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ନବଙ୍କ ହତ୍ୟା ମାମଲାର ସାନି ତଦନ୍ତ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ପାଇଁ ଅଡ଼ୁଆ ବଢ଼ାଇ ଦେଇଛି । ବିଜେଡି ସରକାର ସମୟରେ ନବ ଦାସଙ୍କ ହତ୍ୟା ମାମଲା ସହ ଜଡ଼ିତ ବିଭିନ୍ନ ଦିଗକୁ ଚପାଇ ଦିଆଯାଇଥିଲା । ଏପରି କି ପୁଲିସ ଅଫିସର ଗୋପାଳ ଦାସ କେଉଁ କାରଣରୁ ନବଙ୍କୁ ହତ୍ୟା କରିଛି ସେସମ୍ପର୍କରେ କ୍ରାଇମବ୍ରାଂଚ ନିଜର ଚାର୍ଜସିଟରେ କିଛିବି ତଥ୍ୟ ଉଜାଗର କରିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇନଥିବାରୁ ମାମଲା ତଦନ୍ତ ନୂଆମୋଡ଼ ନେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ନବଙ୍କ ପତ୍ନୀ ମିନତୀ ଦାସ ତାଙ୍କ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସଙ୍କ ସହ ଲୋକସେବା ଭବନ ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି । ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଯେଉଁଭଳି ଭାବେ ଏହି ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ । ଏହି ଘଟଣାରେ ସରକାର ସବୁଦିଗକୁ ପୁଣିଥରେ ତନ୍ନତନ୍ନ କରି ପରୀକ୍ଷା କରିବେ ଓ ପ୍ରକୃତ ଦୋଷୀଙ୍କୁ ଖୋଜି ବାହାର କରିବେ ।

Advertisment

ଆଇନର ମର୍ଯ୍ୟାଦା ମଧ୍ୟରେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସେମାନଙ୍କୁ ଭରସା ଦେଇଛନ୍ତି । ପ୍ରକୃତ ଦୋଷୀଙ୍କୁ ଆଇନ ଅନୁସାରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ ବୋଲି କହିଛନ୍ତି । ଏହାସହିତ ତଦନ୍ତକାରୀ ସଂସ୍ଥାକୁ ସବୁପ୍ରକାରର ସହଯୋଗ କରିବାକୁ ମଧ୍ୟ ସେ ନବଙ୍କ ପରବାର ସଦସ୍ୟଙ୍କୁ ପରାମର୍ଶ ଦେଇଛନ୍ତି। ତାଙ୍କ ସରକାର ନ୍ୟାୟ ସପକ୍ଷରେ ଅଛନ୍ତି ଓ ବ୍ୟକ୍ତିଗତ ଭାବେ ଯେକୌଣସି ସମୟରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଇ ପାରିବେ ବୋଲି ଶ୍ରୀ ମାଝୀ କହିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ଏହି ସାକ୍ଷାତକାର ପରେ ଦୀପାଳି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଜି ସପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲୁ । ପରିବାର ପକ୍ଷରୁ ସିବିଆଇ ତଦନ୍ତ ନିମନ୍ତେ ଦାବି କଲୁ । ଆମର ଆଶା ଓ ବିଶ୍ୱାସ ମୁଖ୍ୟମନ୍ତ୍ରୀ ନିରପେକ୍ଷ ତଦନ୍ତ କରିବେ । ମୁଖ୍ୟମନ୍ତ୍ରୀ ମଧ୍ୟ ଆମକୁ ସେଭଳି ବିଶ୍ୱାସ ଦେଇଛନ୍ତି । ଆଉ ଆମ ପରିବରର ସୁରକ୍ଷା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛୁ । ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇଥିବା ଦୀପାଳି କହିଛନ୍ତି । ଆଜିର ଏହି ଆଲୋଚନାବେଳେ ପୁଲିସ ଡିଜି ୱାଇବି ଖୁରାନିଆ ଓ କ୍ରାଇମବ୍ରାଂଚ ଡିଜି ବିନୟତୋଷ ମିଶ୍ର ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ କ୍ରାଇମବ୍ରାଂଚର ଦୁଇଜଣ ଡିଏସପି ବିଜୟ ମଲ୍ଲିକ ଓ ଦୀପ୍ତିମୟୀ ମଲ୍ଲିକ ମଙ୍ଗଳବାରଠୁ ଝାରସୁଗୁଡ଼ାରେ ଡେରା ପକାଇ ଏହି ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ପୁଣିଥରେ ଯାଂଚ କରୁଛନ୍ତି । ସେମାନେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଥିବାବେଳେ ବୁଧବାର ଝାରସୁଗୁଡ଼ା ହସ୍ପିଟାଲ ଓ ବିମାନବନ୍ଦର ଯାଇ ଆବଶ୍ୟକ ଛାନଭିନ୍ କରିଛନ୍ତି ।

କ୍ରାଇମବ୍ରାଂଚ ଏହି ସାନି ତଦନ୍ତ ମାଧ୍ୟମରେ ମାମଲାକୁ ସିବିଆଇକୁ ହସ୍ତାନ୍ତର  ନିମନ୍ତେ ମାର୍ଗ ପ୍ରଶସ୍ତ କରୁଥିବା ଚର୍ଚ୍ଚା ହେଉଛି ।

Odisha CBI Naba Das Naba Das Murder Deepali Das Mohan Majhi