/odisha-reporter/media/post_attachments/uploadimage/library/16_9/16_9_0/Odisha_1741247804.jpg)
Odisha
ପ୍ରାୟ ୧୦ ମାସ ହେଲା ଅଚଳ ହୋଇପଡ଼ିଛି ଓଡ଼ିଶା ଲୋକାୟୁକ୍ତ। ଦୁର୍ନୀତି ନିବାରଣ ପାଇଁ ଗଢ଼ାଯାଇଥିବା ଅର୍ଦ୍ଧନ୍ୟାୟିକ ସଂସ୍ଥା- ଓଡ଼ିଶା ଲୋକାୟୁକ୍ତରେ ୨୦୨୪ ଅଗଷ୍ଟ ୭ ତାରିଖରୁ ଜଣେ ବି ସଦସ୍ୟ ନାହାନ୍ତି। ଅର୍ଥାତ୍ ୭ ମାସ ହେଲା ସଦସ୍ୟଶୂନ୍ୟ ହୋଇପଡ଼ିଛି ଓଡ଼ିଶା ଲୋକାୟୁକ୍ତ।
ତୋଷାଳୀ ପ୍ଲାଜାରେ ଥିବା ଓଡ଼ିଶା ଲୋକାୟୁକ୍ତ ଅଫିସରେ କେବଳ ବସି ବସି ଦରମା ନେଉଛନ୍ତି ପ୍ରାୟ ୫୦ କର୍ମଚାରୀ। ସୂଚନା ଅଧିକାର ଆଇନରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମାର୍ଚ୍ଚ ୪ ତାରିଖରେ ମିଳିଥିବା ଉତ୍ତର ଅନୁଯାୟୀ, ଲୋକାୟୁକ୍ତ ସଦସ୍ୟ ଚୟନ ପାଇଁ ପୂର୍ବରୁ ଗତ ବର୍ଷ ଫେବ୍ରୁଆରୀ ୧୩ ଓ ମାର୍ଚ୍ଚ ୨୮ରେ ଦୁଇଟି ବୈଠକ ବସିଥିଲା। ଏଥିରେ ଚୟନ କମିଟିର ସଦସ୍ୟ ଥିବା ମୁଖ୍ୟମନ୍ତ୍ରୀ, ବିଧାନସଭା ବାଚସ୍ପତି, ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟଜଣେ ପ୍ରଖ୍ୟାତ ଆଇନଜ୍ଞ ଯୋଗ ଦେଇଥିବାବେଳେ ସେତେବେଳର ବିରୋଧୀ ଦଳ ନେତା (ଜୟନାରାୟଣ ମିଶ୍ର) ଯୋଗ ଦେଇ ନଥିଲେ। ତେବେ ପୁଣି ଥରେ ନୂଆ ସରକାର ମନୋନୟନ କମିଟି ଗଢ଼ିବାକୁ ପଦକ୍ଷେପ ନେଉଛନ୍ତି।
ଦୁର୍ନୀତି ସଂକ୍ରାନ୍ତ ମାମଲାର ତୁରନ୍ତ ଫଏସଲା ପାଇଁ ଦେଶରେ ଗଢ଼ାଯାଇଥିଲା ଲୋକପାଳ ଆଉ ରାଜ୍ୟରେ ଲୋକାୟୁକ୍ତ। ୨୦୧୪ ମସିହାରେ ପାସ୍ ହୋଇଥିଲା ଓଡ଼ିଶା ଲୋକାୟୁକ୍ତ ଆଇନ। ଓଡ଼ିଶା ଲୋକାୟୁକ୍ତ ଆଇନରେ ଜଣେ ଅଧ୍ୟକ୍ଷଙ୍କ ସହ ୫ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଥିଲା। ମାତ୍ର ପୂର୍ବରୁ କେବଳ ୪ ଜଣରେ ଚାଲିଥିଲା ଓଡ଼ିଶା ଲୋକାୟୁକ୍ତ। ଲୋକାୟୁକ୍ତର ପ୍ରଥମ ଅଧ୍ୟକ୍ଷ ଥିଲେ ଗୌହାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଅଜିତ ସିଂହ। ସେ ୨୦୨୪ ମାର୍ଚ୍ଚ ୧୯ ତାରିଖରୁ ଅବସର ନେଲା ପରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା।
ଅଧ୍ୟକ୍ଷ ପଦରୁ ଜଷ୍ଟିସ ସିଂହ ଅବସର ନେବାର କିଛି ଦିନ ପରେ ଅର୍ଥାତ୍ ୨୦୨୪ ମାର୍ଚ୍ଚ ୩୦ ତାରିଖରେ ଅବସର ନେଇଥିଲେ ଅନ୍ୟତମ ନ୍ୟାୟିକ ସଦସ୍ୟ ଜଷ୍ଟିସ୍ ବି କେ ନାୟକ। ତା ପରେ ଅଣ-ନ୍ୟାୟିକ ସଦସ୍ୟ ତଥା ଆଇଏଫ୍ସ ଅଫିସର ଡ. ଦେବବ୍ରତ ସ୍ବାଇଁ ମଧ୍ୟ ୨୦୨୪ ଏପ୍ରିଲ ୩ ତାରିଖରେ ଅବସର ନେଇଥିଲେ। ଶେଷ ସଦସ୍ୟ ଭାବେ୨୦୨୪ ଅଗଷ୍ଟ ୭ ତାରିଖରେ ଅବସର ନେଇଥିଲେ ପୂର୍ବତନ ପୋଲିସ ଡିଜିପି ଆର ପି ଶର୍ମା।
ଆରଟିଆଇରୁ ମିଳିଥିବା ଉତ୍ତର ଲୋକାୟୁକ୍ତ ଆଇନରେ ନିୟମ ରହିଛି, ଅଧ୍ୟକ୍ଷ କିମ୍ବା କୌଣସି ସଭ୍ୟ ପଦ ଖାଲି ପଡ଼ିବାର ୩ ମାସ ପୂର୍ବରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବା କଥା। ଲୋକାୟୁକ୍ତ ଅଧ୍ୟକ୍ଷ ବା ସଦସ୍ୟଙ୍କ କାର୍ଯ୍ୟକାଳ ପ୍ରାୟତଃ ୫ ବର୍ଷ ରହିଥାଏ। ନିୟମ ଅନୁସାରେ ବିଚାର ପାଇଁ ବେଂଚ୍ ଗଠନ ହୋଇଥାଏ। ଗୋଟିଏ ବେଂଚରେ ଅତି କମରେ ଜଣେ ନ୍ୟାୟିକ ସଦସ୍ୟ ନ ରହିଲେ, ଶୁଣାଣି ହୋଇପାରିବ ନାହିଁ। ଆର ପି ଶର୍ମା କିଛି ସମୟ ଏକା ରହିବାରୁ କୋରମ ଅଭାବରୁ କୌଣସି ମାମଲାର ଶୁଣାଣି ହୋଇପାରିନଥିଲା।
ଆଇନ ଅନୁସାରେ, ଲୋକାୟୁକ୍ତରେ କିଏ ସଦସ୍ୟ ବା ଅଧ୍ୟକ୍ଷ ରହିବେ ଏ ନେଇ ଏକ ୫ ଜଣିଆ ସର୍ଚ୍ଚ କମିଟି କିଛି ପ୍ରମୁଖ ନାଁ ଖୋଜିଥାଏ। ଏହି ତାଲିକାରୁ ବାଛି ଅଧ୍ୟକ୍ଷ ବା ସଦସ୍ୟ ପଦ ପୂରଣ କରିଥାନ୍ତି ସିଲେକ୍ସନ ବା ମନୋନୟନ କମିଟି। ମନୋନୟନ କମିଟିରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ବିଧାନସଭା ବାଚସ୍ପତି, ହାଇକୋର୍ଟର ମୁଖ୍ୟ ବିଚାରପତି ବା ତାଙ୍କ ଦ୍ବାରା ମନୋନୀତ ଜଣେ ବିଚାରପତି ଓ ଅନ୍ୟ ଜଣେ ପ୍ରଖ୍ୟାତ ଆଇନଜ୍ଞ ସ୍ଥାନ ପାଇଥାନ୍ତି। ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ଯୋଗୁଁ ଦୁର୍ନୀତି ଦୂର କରିବାରେ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଛି।
ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
