Puri
ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତିରୁ ନୂଆ ରତ୍ନ ପଲଙ୍କରେ ଶୟନ କରିବେ ମହାପ୍ରଭୁ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ। ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି, ମହାପ୍ରଭୁଙ୍କ ରତ୍ନ ପଲଙ୍କ ଗୁଡ଼ିକ ବହୁଦିନ ତଳେ ନିର୍ମାଣ ହୋଇଥିଲା। ତେଣୁ ସେହି ପଲଙ୍କ ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଆସନ୍ତାକାଲି(ଶୁକ୍ରବାର)ଠାରୁ ମହାପ୍ରଭୁଙ୍କ ରତ୍ନ ପଲଙ୍କ ମରାମତି କାମ ଆରମ୍ଭ ହେବ। ୩ଟି ପଲଙ୍କ ନିର୍ମାଣ ପାଇଁ ବର୍ମା ଟିକ୍ କାଠ ବ୍ୟବହାର ହେବ। ସେଥିପାଇଁ ଆବଶ୍ୟକ କାଠ ରହିଛି। ପଲଙ୍କରେ ବ୍ୟବହାର ହେବାକୁ ଥିବା ରୁପା ଜଣେ ଡୋନର ଦେଇଛନ୍ତି। ବର୍ତ୍ତମାନ ରୁପା ଆମ ପାଖରେ ରହିଛି। ହାତୀ ଦାନ୍ତ ମିଳିବାରେ ସମସ୍ୟା ଦେଖାଦେଉଛି। ତେଣୁ ପୁରୁଣା ପଲଙ୍କରେ ଲାଗିଥିବା ହାତୀ ଦାନ୍ତକୁ ଆଉଥରେ ବ୍ୟବହାର କରାଯିବ। ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି ପୂର୍ବରୁ ୩ଟି ପଲଙ୍କ ନିର୍ମାଣ କାର୍ଯ୍ୟ ଶେଷ ହେବ। ଅର୍ଥାତ ଓଡ଼ିଆ ନବବର୍ଷରେ ମହାପ୍ରଭୁ ନୂଆ ପଲଙ୍କରେ ଶୟନ କରିବେ। ନାରାୟଣ, ମଦନ ମହନ, ଭୁଦେବୀ, ଶ୍ରୀଦେବୀ, ମାଧବ, ଅମାବାସ୍ୟା ଠାକୁର ଓ ଶୟନ ଠାକୁରଙ୍କ ପ୍ରଭା ମରାମତି କରାଯିବ। ସେ କାମ ମଧ୍ୟ କାଲିଠାରୁ ଆରମ୍ଭ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।
ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି, ଆସନ୍ତାକାଲି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି। ଗରୁଡ଼ ସ୍ତମ୍ଭଠାରୁ ପ୍ରଥମେ ଆରମ୍ଭ ହେବ ମରାମତି କାମ। ମରାମତି କାମ ପାଇଁ ପ୍ରଥମେ ତିଆରି ହେବ ୱାର୍କିଂ ପ୍ଲାଟଫର୍ମ। ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ କାମ କରାଯିବ। ମରାମତି କାମ ବେଳେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ। ନୀତିକାନ୍ତି ବ୍ୟାଘାତ ନହେଲା ଭଳି ଦେଖି ମରାମତି କାମ ଚାଲିବ। ଯେତେବେଳେ ନୀତିକାନ୍ତି ନଥିବ, ସେହି ସମୟରେ କାମ କରାଯିବ। କାର୍ତ୍ତିକ ମାସ ସରିଲେ, ପୂର୍ଣ୍ଣ ସମୟ ଦେଇ କାମ କରାଯିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି।
ସେ ଆହୁରି କହିଛନ୍ତି, ବର୍ତ୍ତମାନ ୩୦ରୁ ୪୦ ଜଣ ଦିବ୍ୟାଙ୍ଗ ଶ୍ରୀମନ୍ଦିର ଆସୁଛନ୍ତି। ସେଥିପାଇଁ ଶ୍ରୀମନ୍ଦିର ପାର୍ଶ୍ୱରେ ଗୋଟିଏ ରେଜିଷ୍ଟ୍ରେସନ୍ ସେଣ୍ଟର ଖୋଲା ଯାଇଛି। ସେଠାରେ ରେଜିଷ୍ଟ୍ରେସନ୍ ସରିବା ପରେ ଦିବ୍ୟାଙ୍ଗମାନଙ୍କୁ ହ୍ୱିଲ୍ ଚେୟାରେ ବସାଇ ସ୍ୱଚ୍ଛାସେବୀମାନେ ଉତ୍ତର ଦ୍ୱାର ପର୍ଯ୍ୟନ୍ତ ନେବେ। ତା’ପରେ ସେଠାରୁ ଶ୍ରୀମନ୍ଦିର ଭିତରକୁ ନିଆଯିବେ। ସେମାନଙ୍କୁ ଦୁଇଟି ପର୍ଯ୍ୟାୟରେ ଶ୍ରୀମନ୍ଦିର ଭିତରକୁ ନିଆଯିବ। ସକାଳେ ଯେଉଁମାନେ ରେଜିଷ୍ଟ୍ରେସନ୍ କରିଥିବେ, ସେମାନଙ୍କୁ ୧୦ରୁ ୧୧ଟା ଭିତରେ ନିଆଯିବ। ଆଉ ଯେଉଁମାନେ ମଧ୍ୟାହ୍ନ ୧୨ଟା ପରେ ଆସିବେ, ସେମାନଙ୍କୁ ସାଢ଼େ ୩ଟାରୁ ୪ଟା ଭିତରେ ଶ୍ରୀମନ୍ଦିର ଭିତରକୁ ନେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Puri_1699804122.jpg)