Hirakud Dam
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମହାନଦୀ ଜଳବିବାଦର ଆପୋଷ ସମାଧାନ ପାଇଁ ବାଟ ଫିଟିଛି । ପ୍ରଥମଥର ପାଇଁ ଏହି ଜଳବିବାଦର ଆପୋଷ ସମାଧାନ ନିମନ୍ତେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ସହମତି ଜଣାଇଛନ୍ତି । ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ମଧ୍ୟ ଆଜି ଦୁଇ ରାଜ୍ୟର ଓକିଲ ହାଜର ହୋଇ ବିବାଦର ‘ଆପୋଷ ସମାଧାନ’କୁ ନେଇ ସକରାତ୍ମକ ମତ ରଖିବାପରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ବି.ଏମ. ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଓ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୬ତାରିଖକୁ ନିର୍ଦ୍ଧାରଣ କରିଛନ୍ତି । ଏହି ଶୁଣାଣିବେଳେ ଦୁଇ ରାଜ୍ୟର ସଚିବ ଉପସ୍ଥିତ ରହି ଆପୋଷ ସମାଧାନର ଅଗ୍ରଗତି ସମ୍ପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆପୋଷ ସମାଧାନ: ଓଡ଼ିଶାର ପ୍ରସ୍ତାବକୁ ଛତିଶଗଡ଼ର ସ୍ୱାଗତ
କେନ୍ଦ୍ରରେ ଓ ଛତିଶଗଡ଼ରେ ନିଜ ଦଳର ସରକାରରେ ଥିବାରୁ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ରାଜ୍ୟର ମୋହନ ମାଝୀ ସରକାର ଗୁରୁତ୍ୱ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ଗତ ସପ୍ତାହରେ ଏକ ଉଚ୍ଚସ୍ତରୀୟ ବୈଠକରେ ମହାନଦୀ ଜଳ ବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱ ଦେବା ସହ ଜୁଲାଇ ୨୫ତାରିଖରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ଚିଠି ଲେଖି ମହାନଦୀ ଜଳବିବାଦର ଆପୋଷ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ସରକାରଙ୍କ ସହାୟତାରେ ଦୁଇ ରାଜ୍ୟ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାର ସମ୍ଭାବନା ଉପରେ ଗୁରୁତ୍ୱ ଦେଇଥିଲେ । ଯାହାର ଉତ୍ତର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ୨୦୨୫ ଅଗଷ୍ଟ ୧(ଗତକାଲି) ତାରିଖରେ ଦେଇଛନ୍ତି । ଯେଉଁଥିରେ ସେ ଦୁଇରାଜ୍ୟ ମଧ୍ୟରେ ଥିବା ଜଳବିବାଦର ଆପୋଷ ସମାଧାନ ପାଇଁ ଓଡ଼ିଶା ଦେଇଥିବା ପ୍ରସ୍ତାବ ଏବେ ତାଙ୍କ ସରକାରର ‘ବିଚାରାଧୀନ’ ଥିବା ସ୍ପଷ୍ଟ କରିଛନ୍ତି । ଆଜି ଟ୍ରିବ୍ୟୁନାଲଙ୍କ ପାଖରେ ରାଜ୍ୟ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମଧ୍ୟ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଏବଂ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଦାନପ୍ରଦାନ ହୋଇଥିବା ଚିଠିକୁ ଉପସ୍ଥାପନ କରଇଥିଲେ । ଛତିଶଗଡ଼ ସରକାରଙ୍କ ବରିଷ୍ଠ ଓକିଲ୍ ମଧ୍ୟ ଏହି ଜଳବିବାଦର ‘ଆପୋଷ ସମାଧାନ ପ୍ରସ୍ତାବ’ ଏବେ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସକ୍ରିୟ ବିଚାରାଧୀନ ରହିଥିବା ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଥିଲେ ।
ଟ୍ରିବ୍ୟୁନାଲ ଦେଲେ ଅଧିକ ସମୟ, ଆପୋଷ ସମାଧାନକୁ ସ୍ୱାଗତ
ଆଜି ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦର ଶୁଣାଣି ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ବି.ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଉଭୟ ରାଜ୍ୟର ଓକିଲ ଉପସ୍ଥିତ ରହି ‘ଆପୋଷ ସମାଧାନ’ ଦିଗରେ ଦୁଇ ରାଜ୍ୟଙ୍କ ସକରାତ୍ମକ ପଦକ୍ଷେପ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଥିଲେ । ଟ୍ରିବ୍ୟୁନାଲ ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ପରବର୍ତ୍ତରୀ ଶୁଣାଣି ସେପ୍ଟେମ୍ବର ୬ତାରିଖରେ ହେବ ଏବଂ ଉଭୟ ରାଜ୍ୟର ବିଭାଗୀୟ ସଚିବ ଉପସ୍ଥିତ ରହି ସମାଧାନର ଅଗ୍ରଗତି ସମ୍ପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ, ଦୁଇ ରାଜ୍ୟର ମୁଖ୍ୟ ସଚିବ ଓ ରାଜନୈତିକ ନେତୃତ୍ୱ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସକାରାତ୍ମକ ମନୋଭାବ ରଖି ଆଲୋଚନା କଲେ ନିଶ୍ଚିତ ସଫଳତା ମିଳିବ । ବିଗତ ୬ ବର୍ଷ ମଧ୍ୟରେ ଟ୍ରିବ୍ୟୁନାଲ ମାଧ୍ୟମରେ କୌଣସି ଗୁରୁତ୍ୱପୂର୍ଣ୍ଣ ସମାଧାନ ହାସଲ ହୋଇପାରିନାହିଁ ଏବଂ ରାଜନୈତିକ ସ୍ତରରେ ଆଲୋଚନା ହିଁ ଏହି ବିବାଦର ସମାଧାନର ସର୍ବୋତ୍ତମ ଉପାୟ ବୋଲି ଶ୍ରୀ ଆଚାର୍ଯ୍ୟ ମତ ରଖିଥିଲେ ବୋଲି ଜାତୀୟ ସମ୍ବାଦ ସରବରାହ ସଂସ୍ଥା ‘ପିଟିଆଇ’ ସୂଚନା ଦେଇଛି ।
କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛି ଓଡ଼ିଶା
ରାଜ୍ୟ ଆଡଭୋକେଟ୍ ଜେନେରାଲ ଶ୍ରୀ ଆଚାର୍ଯ୍ୟ ‘ପିଟିଆଇ’କୁ ସୂଚନା ଦେଇ କହିଛନ୍ତି ଯେ, ମହାନଦୀ ଜଳବିବାଦ ମାମଲାରେ ବିଗତ ୬ ବର୍ଷ ମଧ୍ୟରେ କେବଳ ଜଣେ ସାକ୍ଷୀଙ୍କୁ ପରୀକ୍ଷା କରାଯାଇଛି ଏବଂ ଅନେକ ସାକ୍ଷୀ ଏପର୍ଯ୍ୟନ୍ତ ଉପସ୍ଥାପିତ ହୋଇନାହାଁନ୍ତି । ଟ୍ରିବ୍ୟୁନାଲ ଆହୁରି ୧୦ ବର୍ଷ ଚାଲିଲେ ମଧ୍ୟ ଏହାର ସମାଧାନ ସମ୍ଭବ ନୁହେଁ । ଦେଶରେ କୌଣସି ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ ଟ୍ରିବ୍ୟୁନାଲ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇପାରିନାହିଁ । ବିବାଦର ଆପୋଷ ସମାଧାନ ପାଇଁ କେନ୍ଦ୍ର ସରକାର ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହାୟତା ଓଡ଼ିଶା ସରକାର ଲୋଡ଼ିଛନ୍ତି । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି । ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର କ୍ଷମତାରେ ଥିବାରୁ ଏହି ଆଲୋଚନାରେ କେନ୍ଦ୍ରର ହସ୍ତକ୍ଷେପ ଏକ ସମାଧାନର ପଥ ପ୍ରଶସ୍ତ କରିପାରିବ ତଥା ଏହି ବିବାଦ ଶୀଘ୍ର ଆପୋଷ ସମାଧାନ ହେବ ବୋଲି ଆମେ ଆଶାବାଦୀ ଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଓଡ଼ିଶାରେ ରାଜନୀତିକ ବୟାନବାଜି
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମହାନଦୀ ଜଳବିବାଦର ଆପୋଷ ସମାଧାନ ସଂକ୍ରାନ୍ତ ଚିଠି ଉପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିବା ପରେ ଓଡ଼ିଶାରେ ରାଜନୀତିକ ବୟାନବାଜି ଜୋର ଧରିଛି । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ “କେଉଁ ଆଧାରରେ ଓ ଓଡ଼ିଶାର କେଉଁ ସ୍ୱାର୍ଥ ପରିପ୍ରେକ୍ଷୀରେ ଆପୋଷ ସମାଧାନ ପାଇଁ ଓଡ଼ିଶା ସରକାର ନିଜର ଆଭିମୁଖ୍ୟ ଜଣାଇଛନ୍ତି, ତାହା ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟ କରିବା ଉଚିତ୍ । ମୁଖ୍ୟମନ୍ତ୍ରୀ ଚିଠି ଲେଖିବାପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏହାକୁ ବିଚାର କରିବେ ବୋଲି କହିଛନ୍ତି । ଏପର୍ଯ୍ୟନ୍ତ ଆପୋଷ ସମାଧାନ କଥା ସେ କେଉଁଠି କହିନାହାନ୍ତି । ଟ୍ରିବ୍ୟୁନାଲରେ ମାମଲା ଚାଲିଥିବାବେଳେ ଆପୋଷ ଆଲୋଚନା କେଉଁ ଆଧାରରେ ଓଡ଼ିଶା ସରକାର ଚାହୁଁଛନ୍ତି ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୨୪ତାରିଖରେ ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ପରେ ୨୫ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମଶଝୀ ଚିଠି ଲେଖିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଯେ “ କେବଳ ଚିଠି ଲେଖାଲେଖି କରିଦେଲେ ମହାନଦୀ ଜଳବିବାଦର ସମାଧାନ ହେବ ନାହିଁ । ପ୍ରଧାନମନ୍ତ୍ରୀଙ୍କ ମଧ୍ୟସ୍ଥତାରେ ଏହାର ସମାଧାନ ସମ୍ଭବ ହେବ ବୋଲି ସେ ମତ ଦେଇଛନ୍ତି । ରାଜ୍ୟରେ ବିଜେପି ସରକାର ଆସିବା ପରେ ମଧ୍ୟ ମହାନଦୀ ବିବାଦର ଭାଗ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ସେ ଅଭିଯୋଗ କରିବା ସହ କେନ୍ଦ୍ର ସରକାରଙ୍କ ସକ୍ରିୟ ହସ୍ତକ୍ଷେପ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ “ ମହାନଦୀ ବିବାଦର ସମାଧାନ ଟ୍ରିବ୍ୟୁନାଲ ପରିବର୍ତ୍ତେ ଆପୋଷ ଆଲୋଚନା ଜରିଆରେ ହେବ । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତାମାନଙ୍କ ସହ ଆଲୋଚନା କରୁଥିବାରୁ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଶଂସା କରିଛନ୍ତି ।ଏହି ଜଳବିବାଦକୁ ପୂର୍ବ ବିଜେଡି ସରକାର ରାଜନୀତିକରଣ କରିଥିଲେ । ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆପୋଷ ଆଲୋଚନା ଜରିଆରେ ଏହାର ଏକ ସମାଧାନ ବାହାରିବ ବୋଲି ସେ ଆଶାବାଦୀ ଅଛନ୍ତି ।”
ମହାନଦୀ ଜଳ ବିବାଦ
ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ମହାନଦୀ ଜଳ ବିବାଦ ଚାଲିଆସୁଛି । ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ଓ ଡ୍ୟାମ ନିର୍ମାଣ କରିବା ଦ୍ୱାରା ଓଡ଼ିଶାର ନିମ୍ନ ଅବବାହିକାରେ ଜଳ ପ୍ରବାହ ହ୍ରାସ ପାଇଥିଲା । ଯାହା ଓଡ଼ିଶା କୃଷି,ପାନୀୟ ଜଳ ଓ ପରିବେଶ ସନ୍ତୁଳନ ଉପରେ ଗଭୀର ପ୍ରଭାବ ପକାଇଥିଲା । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପରେ ସମାଧାନର ମାର୍ଗ ନବାହାରିବା ପରେ ୨୦୧୬ ନଭେମ୍ବର ମାସରେ ସୁପ୍ରିମକୋର୍ଟଙ୍କ ନିକଟରେ ଟ୍ରିବୁନାଲ ଗଠନ ପାଇ ଓଡ଼ିଶାର ତତକାଳୀନ ବିଜେଡି ସରକାର ଆବେଦନ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୮ ମାର୍ଚ୍ଚ ମାସରେ ମହାନଦୀ ଜଳ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ପ୍ରଥମେ ଜଷ୍ଟିସ୍ ଏ.ଏମ. ଖାନୱାଲିକର ଓ ଏବେ ଜଷ୍ଟିସ୍ ବିଏମ୍ ତ୍ରିବେଦୀ ଏହି ଟ୍ରିବ୍ୟୁନାଲର ମୁଖ୍ୟ ଅଛନ୍ତି । ୨୦୧୮ ରୁ ୨୦୨୩ ମସିହା ମଧ୍ୟରେ ଟ୍ରିବ୍ୟୁନାଲରେ ଉଭୟ ରାଜ୍ୟରୁ ଜଳ ପ୍ରବାହ, ବ୍ୟବହାର ଓ ଆବଶ୍ୟକତା ସଂପର୍କିତ ତଥ୍ୟ ସଂଗ୍ରହ, ଯୁକ୍ତିତର୍କ ଓ ନିରୀକ୍ଷଣ କରାଯାଇଛି । ୨୦୨୬ ଏପ୍ରିଲ ୧୩ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଟ୍ରିବ୍ୟୁନାଲଙ୍କୁ କୁହାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
