ଓଡ଼ିଶାର ଲାଇଫଲାଇନ୍ ‘ମହାନଦୀ ଜଳବିବାଦ’ର ଭାଗ୍ୟ ଏବେ ଅନିଶ୍ଚିତତାରେ। ପଡ଼ୋଶୀ ଛତିଶଗଡ଼ ସହ ମହାନଦୀ ଜଳବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଗଢ଼ିଥିବା ‘ମହାନଦୀ ଟ୍ରିବ୍ୟୁନାଲ’ ଏବେ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଟ୍ରିବ୍ୟୁନାଲରେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ କୌଣସି ଶୁଣାଣି ମଧ୍ୟ ସମ୍ଭବପର ହୋଇପାରୁନଥିବା ଜଣାପଡ଼ିଛି। ତତକାଳୀନ ବିଜେଡି ସରକାରର ଅବହେଳାରୁ ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ଏକାଧିକ ପ୍ରକଳ୍ପ କରି ମହାନଦୀ ଜଳକୁ ନିଜ କବଜାରେ ରଖିବାରେ ସମ୍ଭବପର ହୋଇଛନ୍ତି।
ସୂଚନା ଅନୁସାରେ, ଆନ୍ତଃରାଜ୍ୟ ନଦୀ ଜଳବିବାଦ ଆଇନ-୧୯୫୬ ଆଧାରରେ କେନ୍ଦ୍ର ସରକାର ଗଢ଼ିଥିବା ‘ମହାନଦୀ ଟ୍ରିବ୍ୟୁନାଲ’ ଏବେ ଏକପ୍ରକାର ଅଚଳ ହୋଇପଡ଼ିଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦରୁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.ଏମ.ଖାନୱାଲିକର ଗତ ମାର୍ଚ୍ଚ ୧୨ତାରିଖରୁ ଇସ୍ତଫା ଦେଇସାରିଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ତାଙ୍କର ଇସ୍ତଫାକୁ ଅନୁମୋଦନ କରିବାପରେ ସେ ଭାରତ ସରକାରଙ୍କ ଲୋକପାଳ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ତେବେ ତାଙ୍କ ସ୍ଥାନରେ ଏପର୍ଯ୍ୟନ୍ତ କାହାରିକୁ ମହାନଦୀ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିନଥିବାରୁ ଶୁଣାଣି ପ୍ରକ୍ରିୟା ଠପ୍ ହୋଇରହିଛି। ଶେଷଥର ପାଇଁ ଟ୍ରିବ୍ୟୁନାଲରେ ଶୁଣାଣି ୨୦୨୪ ଫେବୃୟାରୀ ୨୨ତାରିଖରେ ହୋଇଥିଲା। ଟ୍ରିବ୍ୟୁନାଲର ଏହି ୪୩ତମ ବୈଠକ ପରେ ମାର୍ଚ୍ଚ ୧୧ତାରିଖରେ ପ୍ରସ୍ତାବିତ ଶୁଣାଣି ହୋଇପାରିନଥିଲା ଓ ଯାହା ମାର୍ଚ୍ଚ ୨୭ତାରିଖକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହି ଅବଧି ମଧ୍ୟରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ଖାନୱାଲିକର ଇସ୍ତଫା ଦେଇସାରିଥିବାରୁ ଆଉ ଶୁଣାଣି ସମ୍ଭବପର ହୋଇପାରିନାହିଁ।
ରାଜ୍ୟ ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଟ୍ରିବ୍ୟୁନାଲର ଅନ୍ୟ ଦୁଇ ସଦସ୍ୟ ଅଛନ୍ତି କିନ୍ତୁ ଅଧ୍ୟକ୍ଷ ନଥିବାରୁ ଶୁଣାଣି ସମ୍ଭବପର ହୋଇପାରୁନି। ଟ୍ରିବ୍ୟୁନାଲରେ ଦୁଇ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରବିରଞ୍ଜନ ଓ ଜଷ୍ଟିସ ଇନ୍ଦରମିତ୍ କୌର କୋଚର ଆରମ୍ଭରୁ ସଦସ୍ୟ ଅଛନ୍ତି। ମହାନଦୀ ଟ୍ରିବ୍ୟୁନାଲର ଅବଧିକୁ କେନ୍ଦ୍ର ସରକାର ମଧ୍ୟ ୨୦୨୬ ଏପ୍ରିଲ ୧୩ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରିସାରିଛନ୍ତି। ଟେକିନିକାଲ ଦୃଷ୍ଟିରୁ ଟ୍ରିବ୍ୟୁନାଲରେ ୩ଜଣ ସଦସ୍ୟ ରହିବା ଜରୁରୀ। ତେଣୁ ମହାନଦୀ ଜଳବିବାଦ ଉପରେ କୌଣସି ଶୁଣାଣି ଗତ ମାର୍ଚ୍ଚ ମାସଠୁ ସମ୍ଭବପର ହୋଇପାରିନି ବୋଲି ଜଳସମ୍ପଦ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ରାଜ୍ୟରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଛତିଶଗଡ଼ ପ୍ରତିପକ୍ଷଙ୍କ ସହ ମହାନଦୀ ଜଳବିବାଦର ଆପୋଷ ସମାଧାନ ପାଇଁ ଅଣଆନୁଷ୍ଠାନିକ ଭାବେ ପ୍ରାରମ୍ଭିକ ଆଲୋଚନା କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ବିଗତ ୩ବର୍ଷରେ ମହାନଦୀର ହୀରାକୁଦଠାରେ ପ୍ରବାହିତ ଜଳର ପରିମାଣ ୨୦୨୧-୨୨ରେ ୧୯.୮ ନିୟୁତ ଏକର ଫୁଟ, ୨୦୨୨-୨୩ରେ ୨୭.୭ନିୟୁତ ଏକର ଫୁଟ ଓ ୨୦୨୩-୨୪ରେ ୨୫.୪ ନିୟୁତ ଏକର ଫୁଟ ରହିଥିଲା।
ମହାନଦୀର ଜଳସ୍ତର ହ୍ରାସ ପାଇବା ପରେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ଦେଖାଦେଇଥିଲା। ତତକାଳୀନ ବିଜେଡି ସରକାର ନିଜ ଭୁଲ୍ ଲୁଚାଇବା ପାଇଁ ଏହାକୁ ରାଜନୀତିକ ରଙ୍ଗ ଦେଇଥିଲେ। ପରେ ରାଜ୍ୟ ସରକାରଙ୍କ ଦାବିକୁ ଗ୍ରହଣ କରି ଛତିଶଗଡ଼ ସହ ଜଳବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ତାରିଖରେ ଜଷ୍ଟିସ ଖାନୱାଲିକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।