/odisha-reporter/media/post_attachments/uploadimage/library/16_9/16_9_0/Mahanadi_1754896417.jpg)
Mahanadi
ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଓଡ଼ିଶା ନିଜର ପକ୍ଷ ରଖିଛି । କେନ୍ଦ୍ର ସରକାରଙ୍କ ସହଯୋଗରେ ମହାନଦୀ ଜଳବିବାଦ ଆପୋଷ ସମାଧାନ ପାଇଁ ଏବେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ଦ୍ୱାରା ନିଆଯାଇଥିବା ସକରାତ୍ମକ ପଦକ୍ଷେପ ଏବଂ ଅଗଷ୍ଟ ୨ରୁ ଆଜିସୁଦ୍ଧା ଏଦିଗରେ ହୋଇଥିବା ଅଗ୍ରଗତି ନେଇ ମଧ୍ୟ ଟ୍ରିବ୍ୟୁନାଲଙ୍କୁ ଓଡ଼ିଶା ଅବଗତ କରାଇଥିବା ସୂଚନା ମିଳିଛି ।
ଶନିବାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିବା ସହ ଏହା ଏକ ରାଜନୀତିକ ବିବାଦ ହୋଇଥିବାରୁ ଏହାର ସମାଧାନ ମଧ୍ୟ ରାଜନୀତିକସ୍ତରରେ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ । ଯାହାକୁ ଟ୍ରିବ୍ୟୁନାଲ ପ୍ରଶଂସା କରିଥିବା ସୂଚନା ମିଳିଛି ।
ଟ୍ରିବ୍ୟୁନାଲରେ ଓଡ଼ିଶାର ସକାରାତ୍ମକ ପଦକ୍ଷେପ
ସୂଚନା ଅନୁସାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଆଜି ଶୁଣାଣିବେଳେ ଏଜି ଶ୍ରୀ ଆଚାର୍ଯ୍ୟ ଅଗଷ୍ଟ ୨ତାରିଖ ପରଠୁ ଏପର୍ଯ୍ୟନ୍ତ ଏହି ବିବାଦର ସମାଧାନ ଦିଗରେ ଦୁଇ ରାଜ୍ୟ ନେଇଥିବା ପଦକ୍ଷେପ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ଦ୍ୱାରା ଏହି ବିବାଦର ସମାଧାନ ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ତାହା ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଛି । ଦୁଇ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମାଧାନ ପାଇଁ ଓଡ଼ିଶା ପ୍ରୟାସ କରୁଛି । ଗତ ସାତ ବର୍ଷ ଧରି ଏହି ମାମଲାରେ ବିଶେଷ ଅଗ୍ରଗତି ହୋଇନଥିବା ବେଳେ, ଟ୍ରିବ୍ୟୁନାଲଙ୍କ ସକରାତ୍ମକ ଆଭିମୁଖ୍ୟ ଓ କେନ୍ଦ୍ର ସରକାରଙ୍କ ସକ୍ରିୟ ହସ୍ତକ୍ଷେପ ତଥା ଦୁଇ ରାଜ୍ୟର ସହଯୋଗୀ ମନୋଭାବ ଯୋଗୁ ଏହି ବିବାଦର ସମାଧାନର ଆଶା ଉଜ୍ୱଳ ହୋଇଛି । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ବିଏମ୍ ତ୍ରିବେଦୀ ଓଡ଼ିଶାର ଏହି ସକାରାତ୍ମକ ପଦକ୍ଷେପକୁ ପ୍ରଶଂସା କରିବା ସହ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୧ ତାରିଖକୁ ଧାର୍ଯ୍ୟ କରିଛନ୍ତି ।
ରାଜନୈତିକ ଇଚ୍ଛାଶକ୍ତି ଓ ଟେକ୍ନିକାଲ ଆଲୋଚନା
ଏଜି ଶ୍ରୀ ଆଚାର୍ଯ୍ୟ ଟ୍ରିବ୍ୟୁନାଲକୁ ଅବଗତ କରାଇଥିଲେ ଯେ, ମହାନଦୀ ଜଳ ବିବାଦ ହେଉଛି ଏକ ରାଜନୈତିକ ପ୍ରସଙ୍ଗ । ଏହାର ସମାଧାନ କେବଳ ଦୁଇ ରାଜ୍ୟର ନେତୃତ୍ୱଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ଆଲୋଚନା ଓ ପାରସ୍ପରିକ ବୁଝାମଣା ମାଧ୍ୟମରେ ହିଁ ସମ୍ଭବ । ରାଜନୈତିକ ଇଚ୍ଛାଶକ୍ତି ବିନା ଆଇନଗତ କିମ୍ବା ଟେକ୍ନିକାଲ ଉଦ୍ୟମ ସଫଳ ହେବ ନାହିଁ । ପ୍ରାୟ ୪୦ଟି ମୁଖ୍ୟ ବିବାଦୀୟ ପ୍ରସଙ୍ଗ ଏବେ ମଧ୍ୟ ଅମୀମାଂସିତ ରହିଛି, ଯାହାକୁ ଦୁଇ ରାଜ୍ୟର ଟେକ୍ନିକାଲ ଟିମ୍ ନିୟମିତ ବୈଠକ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ।
କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ଓ ଉଚ୍ଚସ୍ତରୀୟ ଆଲୋଚନା
ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲାଙ୍କ ହସ୍ତକ୍ଷେପ ପରେ ମହାନଦୀ ଜଳବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ମଧ୍ୟରେ ଦୁଇଥର ଆଲୋଚନା ହୋଇସାରିଛି । ଗତ ଅଗଷ୍ଟ ୩୦ତାରିଖରେ ନୂଆଦିଲ୍ଲୀରେ ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ଜଳସମ୍ପଦ ସଚିବଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ଗତକାଲି(ସେପ୍ଟେମ୍ବର ୫ତାରିଖ) ମଧ୍ୟ ଦୁଇ ରାଜ୍ୟର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ଟେକନିକାଲ ଟିମଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ଏହି ଅଗ୍ରଗତି ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି । ଅକ୍ଟୋବର ମାସରେ ମୁଖ୍ୟ ସଚିବ ଓ ଜଳସମ୍ପଦ ସଚିବଙ୍କୁ ନେଇ ଆଉ ଏକ ଉଚ୍ଚସ୍ତରୀୟ ବୈଠକ ହେବାର ସମ୍ଭାବନା ରହିଛି । ଯଦି ଏହି ଆଲୋଚନା ଅଗ୍ରଗତି ଲାଭ କରେ, ତେବେ ଡିସେମ୍ବର ମାସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏଙ୍କ ମଧ୍ୟରେ ଏକ ବୈଠକ ହେବାର ସମ୍ଭାବନା ରହିଛି । କେନ୍ଦ୍ର ସରକାର, କେନ୍ଦ୍ରୀୟ ଜଳଆୟୋଗଙ୍କ ହସ୍ତକ୍ଷେପ ଓ ଦୁଇ ରାଜ୍ୟର ନେତୃତ୍ୱଙ୍କ ସହମତିରେ ଏହି ବିବାଦର ସମାଧାନ ସମ୍ଭବପର ହୋଇପାରିବ ବୋଲି ଶ୍ରୀ ଆଚାର୍ଯ୍ୟ ମତ ବ୍ୟକ୍ତ କରିଛନ୍ତି । ରାଜନୈତିକ ସହଯୋଗ, ଟେକ୍ନିକାଲ ଆଲୋଚନା ଓ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ଏହି ଦୀର୍ଘଦିନର ବିବାଦର ଏକ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ସମାଧାନର ପଥ ପ୍ରଶସ୍ତ କରିବ ବୋଲି ସେ କହିଛନ୍ତି ।
ମହାନଦୀ ବିବାଦର ପୃଷ୍ଠଭୂମି
ମହାନଦୀ ଓଡ଼ିଶା ଓ ଛତିଶଗଡ଼ର ଜନସାଧାରଣଙ୍କ ପାଇଁ ଜୀବନଧାରା । ଛତିଶଗଡ଼ ସରକାର ମହାନଦୀର ଉପରଭାଗରେ ବ୍ୟାରେଜ ଓ ବନ୍ଧ ନିର୍ମାଣ କରିବା ଯୋଗୁଁ ଓଡ଼ିଶାରେ ଜଳପ୍ରବାହ ହ୍ରାସ ପାଇଛି । ୨୦୧୬ ମସିହାରେ ଓଡ଼ିଶାର ତତ୍କାଳୀନ ବିଜେଡି ସରକାର ଏହାର ବିରୋଧ କରି ସୁପ୍ରିମକୋର୍ଟଙ୍କ ନିକଟରେ ଟ୍ରିବ୍ୟୁନାଲ ଗଠନ ପାଇଁ ଆବେଦନ କରିଥିଲେ । ୨୦୧୮ ମାର୍ଚ୍ଚରେ ମହାନଦୀ ଜଳ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ୨୦୧୮ରୁ ୨୦୨୩ ମଧ୍ୟରେ ଉଭୟ ରାଜ୍ୟରୁ ଜଳ ପ୍ରବାହ, ବ୍ୟବହାର ଓ ଆବଶ୍ୟକତା ସଂପର୍କିତ ତଥ୍ୟ ସଂଗ୍ରହ କରାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
