Advertisment

ପୁଣି ଆଳୁ ଅଟକାଇଲେ ମମତା, ବିଜେଡି-ବିଜେପି ଦୋଷ ଲଦାଲଦି

ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ପରସ୍ପର ଉପରେ ଦୋଷ ଲଦିଲେ ବିଜେଡି-ବିଜେପି।

author-image
Debadatta Aryashrestha
undefined

Patato loaded Truck (File Photo)

ପୁଣି ଆଳୁ ଗେମ୍ ଖେଳିଲେ ମମତା। ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ବର୍ଡର ଡେଇଁ ଆଳୁ ଯେପରି ଓଡ଼ିଶାକୁ ନଯାଏ, ସେଥିପାଇଁ ଦିଦିଙ୍କ ନିର୍ଦ୍ଦେଶରେ ଚାଲିଛି କଡ଼ା ପାଟ୍ରୋଲିଂ। ରାଜ୍ୟକୁ ଆଳୁ ଟ୍ରକ୍ ଆସିବା କମିବାରୁ ଦର ବି ଉପରମୁହାଁ ହେଲାଣି। ଯାହାକୁ ନେଇ ଚିନ୍ତାରେ ଖାଉଟୀ ଓ ବ୍ୟବସାୟୀ। ଏସବୁ ଭିତରେ ଭାଇ-ଭଉଣୀ ସଂପର୍କ ପ୍ରସଙ୍ଗ ଉଠାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି ଯୋଗାଣ ମନ୍ତ୍ରୀ।

Advertisment

ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସବୁ ନାକା ଯାଞ୍ଚ କରାଯାଉଥିବାବେଳେ ଶତାଧିକ ଆଳୁ ଭର୍ତ୍ତି ଟ୍ରକ୍ ବେଲଦା, ଦାନ୍ତୁନ, ସୋନାକୋଣିଆ ନାକାରେ ଅଟକି ରହିଛି। ଯାହାର ସିଧା ପ୍ରଭାବ ପଡ଼ିଛି, ଆମ ରାଜ୍ୟର ହାଟ ବଜାରରେ। ରାଜ୍ୟର ବୃହତ ପରିବା ମଣ୍ଡି କୁହାଯାଉଥିବା କଟକ ଛତ୍ରବଜାରରେ ଦରବୃଦ୍ଧିର ଆଶଙ୍କାରେ ଆଳୁ ଦୋକାନ ଆଗରେ ଆଜି ଜମିଥିଲା ପ୍ରବଳ ଭିଡ଼। କାରଣ ଦିନକ ଭିତରେ ୮ ଟଙ୍କା ବଢ଼ି କିଲୋ ୩୫ରେ ପହଞ୍ଚିଲାଣି ଆଳୁ।

ସୂଚନା ଅନୁସାରେ ବୁଧବାର ପଶ୍ଚିମବଙ୍ଗର ସଚିବାଳୟ-ନବାନ୍ନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଳୁ ସହ ପିଆଜର ଦର ବୃଦ୍ଧି ଉପରେ ଲଗାମ୍ କସିବାକୁ ପ୍ରଶାସନିକ ଅଧିକାରୀଙ୍କୁ ଦେଇଥିଲେ କଡ଼ା ଚେତାବନୀ। କହିଥିଲେ, ପ୍ରଥମେ ଆମ ଆବଶ୍ୟକତା ପୂରଣ ହେଉ, ତା’ପରେ ବ୍ୟବସାୟୀ ବିକ୍ରି କରନ୍ତୁ, କୌଣସି ଆପତ୍ତି ନାହିଁ। ସେପଟେ ଆଳୁ ଯୋଗାଣ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ଆଭିମୁଖ୍ୟ ପରେ ବ୍ୟବସାୟୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଦାବି କରିଛି।

Advertisment

ଅନ୍ୟପଟେ ପଡ଼ୋଶୀ ପଶ୍ଚିମବଙ୍ଗର ଆଳୁ ରପ୍ତାନୀ ବନ୍ଦ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଡ଼କୁ ଦୋଷ ଠେଲିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ନବୀନ-ମମତାଙ୍କ ଭାଇଭଉଣୀ ସଂପର୍କର ଅବତାରଣା କରି ମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମବଙ୍ଗ କାହିଁକି ବାରମ୍ବାର ଏଭଳି କରୁଛି ମୁଁ ଜାଣିନି। ଭାଇ କହିଥିବେ ନଚେତ୍ ଚିଠି ଲେଖିଥିବାରୁ ଭଉଣୀ ଆଳୁ ଦେଉନାହାନ୍ତି। କ’ଣ ପାଇଁ ବନ୍ଦ କରାଯାଇଛି ଅନୁଧ୍ୟାନ କରାଯିବ। ସେପଟେ ତୁରନ୍ତ ଏହାର ଜବାବ ରଖିଛି ବିଜେଡି। ବିଜେଡି ବିଧାୟକ ଶାରଦା ଜେନା ଏହାକୁ ସରକାରଙ୍କ ଅପାରଗତା କହିଛନ୍ତି। ସେ କହିଛନ୍ତି  ନିଜ ଅପାରଗତାକୁ ଲୁଚେଇବା ପାଇଁ ସେମାନେ ଅନ୍ୟ ଉପରେ ଦୋଷ ଲଦୁଛନ୍ତି।

West Bengal Potato Price Hike Potato Crisis Potato Truck Stranded