Advertisment

ପ୍ରେମ ବିବାହ କରିଥିଲେ ବୋଲି ହୋଇଥିଲେ ବାସନ୍ଦ, ୨୦ ବର୍ଷ ପରେ ନିଜ ଭିଟାମାଟିକୁ ଫେରିଲେ

ଜର୍ଜ ପାଇକଙ୍କର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୨୦୦୪ରେ ସେହି ଗାଁର ଅନିତା ନାୟକକୁ ପ୍ରେମ ବିବାହ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
mohana

mohana

ନିଜ ଗାଁର ଝିଅକୁ ପ୍ରେମ କରି ବିବାହ କରିଥିଲେ ବୋଲି ବାସନ୍ଦ କରି ଦେଇଥିଲେ ଗ୍ରାମବାସୀ । ସେଥିପାଇଁ ଗାଁ ଛାଡ଼ି ଅନ୍ୟ ଏକ ଗାଁରେ ନିଜ ପରିବାର ସହ ରହୁଥିଲେ। ୨୦ବର୍ଷ ବାସନ୍ଦ ଜୀବନ ବିତାଇବା ପରେ ହସ୍ତକ୍ଷେପ କରିଥିଲା ଜିଲ୍ଲା ପ୍ରଶାସନ। ଗତକାଲି ନିଜ ଭିଟାମାଟିକୁ ଫେରିଛନ୍ତି ଗଜପତି ଜିଲ୍ଲା ମୋହନା ଥାନା କିର୍ତିଙ୍ଗ ଗାଁର ଜର୍ଜ ପାଇକ ଓ ତାଙ୍କ ପରିବାର।

Advertisment

ଘଟଣା ଥିଲା ଏମିତି। ଜର୍ଜ ପାଇକଙ୍କର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୨୦୦୪ରେ ସେହି ଗାଁର ଅନିତା ନାୟକକୁ ପ୍ରେମ ବିବାହ କରିଥିଲେ।
ହେଲେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ।  ଉଭୟଙ୍କୁ ମାଡ଼ ମାରିବା ସହ ଗାଁରୁ ବାସନ୍ଦ କରିଦେଇଥିଲେ। ଫଳରେ ସେମାନେ ସେବେଠାରୁ ନିକଟସ୍ଥ ବାଗଡଙ୍ଗର ଗାଁରେ ରହୁଥିଲେ। ଗତ ମାସେ ତଳେ ଜର୍ଜ ଉତ୍କଳ ପାଣ ଖ୍ରୀଷ୍ଟିଆନ ସମାଜ ନିକଟରେ ଘଟଣା ସମ୍ପର୍କରେ କହିଥିଲେ।  ଏହାସହ ଜର୍ଜ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ପରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା।  

ଗଜପତି ଏସପି  ଘଟଣାର ଅନୁଧ୍ୟାନ କରି ସମାଧାନ ପାଇଁ ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତ ୨୮ତାରିଖରେ ଏସଡିପିଓ ଗ୍ରାମବାସୀ ଓ ଜର୍ଜ ପାଇକଙ୍କୁ ଥାନାକୁ ଡକାଇ ଘଟଣା ସମ୍ପର୍କରେ ବୁଝିଥିଲେ। ପରେ ଗ୍ରାମବାସୀଙ୍କୁ ବୁଝାଇଥିଲେ। ପୁଲିସ ପ୍ରଶାସନର ଉପସ୍ଥିତିରେ ଘଟଣାର ସମାଧାନ ହୋଇଥିଲା। ଗତକାଲି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଓ ପୁଲିସ ଟିମ୍ ସହ ଜର୍ଜ ଓ ତାଙ୍କ ପରିବାରକୁ ନେଇ ଗାଁରେ ଛାଡ଼ିଥିଲେ। ଆଗକୁ ସମସ୍ତେ କିଭଳି ମିଳିମିଶି ରହିବେ, ସେଥିପାଇଁ ଗ୍ରାମବାସୀଙ୍କୁ ଡକାଇ ପରାମର୍ଶ ଦେଇଥିଲେ।

Advertisment

ଥାନା ଅଧିକାରୀ ମୋ ସରକାର ତରଫରୁ ପୀଡ଼ିତ ପରିବାରକୁ ୨ ହଜାର ଟଙ୍କା ଦେଇଥିବା ବେଳେ ଗାଁରେ ଘର କରି ରହିବାକୁ ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ଘର ମଧ୍ୟ ମଞ୍ଜୁର କରାଯାଇଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନେଇଥିବାରୁ ଜର୍ଜ ପରିବାର ଖୁସି ବ୍ୟକ୍ତ କରିବା ସହ ପ୍ରଶାସନ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଜର୍ଜ ପାଇକ କହିଛନ୍ତି, ଦୀର୍ଘ ୨୦ ବର୍ଷ ପରେ ମୁଁ ମୋ ଗାଁକୁ ଫେରିଛି। ଜିଲ୍ଲା ପ୍ରଶାସନ ଓ ଗଣମାଧ୍ୟମରେ ସହାୟତାରେ ମୁଁ ଗାଁକୁ ଫେରିଛି। ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।

ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ କହିଛନ୍ତି ଯେ, ନିଜ ଗାଁରେ ଝିଅକୁ ପ୍ରେମ କରି ବିବାହ କରିଥିଲେ ବୋଲି ଜର୍ଜଅ ପାଇକଙ୍କ ସହ ଗାଁ ଲୋକଙ୍କର ମନୋମାଳିନ୍ୟ ହୋଇଥିଲା ପରେ ତାଙ୍କୁ ଗାଁରୁ ବାସନ୍ଦ କରିଥିଲେ।  ଘଟଣାର ନଜରକୁ ଆସିବା ପରେ ତଦନ୍ତ କରିବାକୁ ଗଜପତି ଏସିପି ନିର୍ଦ୍ଦେଶ ଦେଇଥିଲେ। ପରେ ଏସଡିପିଓଙ୍କ ସହାୟତା କ୍ରମେ ଗ୍ରାମବାସୀ ଓ ଜର୍ଜଙ୍କ ବସାଇ ଘଟଣାର ସମାଧାନ କରାଯାଇଥିଲା।

Gajpati Odisha