Advertisment

ପ୍ରଥମ ଥର ଜଗା ଦର୍ଶନ ପାଇଁ ଯାଉଥିଲେ, ମାତ୍ର ବିଧିର ବିଧାନ ଥିଲା ଅଲଗା

ଶେଷରେ ତାଙ୍କ ସ୍ୱପ୍ନ ପୂରଣ ହେଲା, ଭାବିଲେ ଏଥର ଚକା ଆଖିରେ ନିଜ ଆଖି ମିଶାଇବେ। ମନର କୋହ ସବୁ ତା’ ଆଗରେ ରଖିଦେବେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା ।

author-image
Niharika Rout
ଅଦ୍ୟତନ ହୋଇଛି
Purna Chandra Barik

Purna Chandra Barik

ଅଭାବ ଅନଟନର ସଂସାରରେ ଛନ୍ଦି ହୋଇ କଅଁଳ ବୟସରୁ ପରିଣତ ହୋଇ ସାରିଥିଲେ। ହେଲେ ନିଜ ପ୍ରିୟ କଳା ଠାକୁରକୁ ଦେଖିବାକୁ ଥରେ ବି ସୁଯୋଗ ପାଇପାରି ନ ଥିଲେ। ଶେଷରେ ତାଙ୍କ ସ୍ୱପ୍ନ ପୂରଣ ହେଲା, ଭାବିଲେ ଏଥର ଚକା ଆଖିରେ ନିଜ ଆଖି ମିଶାଇବେ। ମନର କୋହ ସବୁ ତା’ ଆଗରେ ରଖିଦେବେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଜଗା ଦର୍ଶନ ଯେ ଅଧା ବାଟରେ ରହିଯିବ ଓ ସେ ମୃତଦେହ ହୋଇ ଗାଁକୁ ଫେରିବେ ତାହା କେହି ଭାବି ନ ଥିଲେ।

Advertisment

ଏପରି ଏକ ହୃଦୟ ବିଦାରକ ଘଟଣା ବୌଦ୍ଧ ଜିଲ୍ଲା ସରସରା ଗ୍ରାମରେ ଘଟିଛି । ଏହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ ବୁଧବାର ରାତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନାର୍ଥୀ ଭାବେ ରାଜ୍ୟ ସରକାରଙ୍କ ତରଫରୁ ଚାଲୁ ହୋଇଥିବା ବସ୍‌ରେ ଯାତ୍ରୀ ଭାବେ ଉଠିଥିଲେ। ବସ୍‌ଟି ଜଟଣୀ ଅତିକ୍ରମ କରୁଥିବା ବେଳେ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡିଥିଲେ।

ତାଙ୍କୁ ପ୍ରଥମେ ଜଟଣୀ ଚିକିତ୍ସାଳୟ ଓ ପରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ସେଠାରୁ ଭୁବନେଶ୍ୱରସ୍ଥିତ ଏମ୍ସ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ଖବର ଜଣାପଡିବା ପରେ ସମଗ୍ର ବୌଦ୍ଧ ଜିଲ୍ଲାରେ ଶୋକର ଛାୟା ଖେଳାଇ ଯାଇଥିଲା।

Advertisment

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ପାଇଁ ପ୍ରଶାସନିକ ଚୟନ ତାଲିକାରେ ସ୍ଥାନ ପାଇଥିଲେ ଅଭାବୀ ପୂର୍ଣ୍ଣଚନ୍ଦ୍ର। ଜୀବନରେ ପ୍ରଥମ ଥର ଲାଗି ସ୍ୱଚକ୍ଷୁରେ ଜଗାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିବାରୁ ଖୁସିରେ ଅଧିର ହୋଇପଡିଥିଲେ। ଯାତ୍ରା ପାଇଁ ଗତ ସପ୍ତାହେ ହେଲା ସେ ଆମିଷ ଖାବା ଛାଡି ଦେଇଥିଲେ।

 ପୁରୀ ଯିବା ଦିନ ସେ ଖୁବ୍‌ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ଗାଁରେ ଘରକୁ ଘର ବୁଲି କାଳିଆ ଦର୍ଶନ କରିବାକୁ ଯାଉଛି ବୋଲି କହିଥିଲେ। ହେଲେ ଉକ୍ତ ଯାତ୍ରା ଯେ ତାଙ୍କ ଜୀବନର ଅନ୍ତିମ ଯାତ୍ରା ହେବ ତାହା ସେ କିମ୍ବା କେହି ବି ଜାଣି ନ ଥିଲେ। ତାଙ୍କର ଏପରି ଅସ୍ୱାବାଭିବ ମୃତ୍ୟୁ ଖବର ପାଇବା ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳି ଯାଇଛି।

ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହ ଗାଁକୁ ଅଣାଯାଇ ଶବ ସତ୍କାର କରାଯାଇଛି। ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ତେବେ ସରକାରୀ କାର୍ଯ୍ୟକ୍ରମରେ ଯାଇ ମୃତ୍ୟୁବରଣ କରିଥିବା ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ଅସହାୟ ପରିବାରକୁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦାର

Puri Shreemandir Lord Jagannath Boudh