ପାଣ୍ଡିଆନଙ୍କ ପାଇଁ ଆଇଆରଟିଏସ୍ ଚାକିରି ଛାଡ଼ିଥିଲେ ମନୋଜ ମିଶ୍ର, ଓଡ଼ିଶାରେ ବି ଚାକିରି ଗଲା

ପାଣ୍ଡିଆନଙ୍କ କଥାରେ ସର୍ବଭାରତୀୟ ଚାକିରି ଛାଡ଼ି ନିଜ ରାଜ୍ୟରେ କାର୍ଯ୍ୟ କରିବାକୁ ଚାହିଁଥିବା ଶ୍ରୀ ମିଶ୍ର ଏବେ ସବୁଆଡ଼ୁ କ୍ଷତି ସହିଛନ୍ତି । ପାଣ୍ଡିଆନ କେନ୍ଦ୍ର ସରକାରରେ ତାଙ୍କର ଚାକିରି ଛଡ଼ାଇଥିଲେ ଏବଂ ପାଣ୍ଡିଆନଙ୍କ କାର୍ଯ୍ୟ ପାଇଁ ତାଙ୍କୁ ଓଡ଼ିଶା ସରକାରରେ ବି ଚାକିରି ହରାଇବାକୁ ପଡ଼ିଲା ବୋଲି ଚର୍ଚ୍ଚା ହେଉଛି ।

ମନୋଜ କୁମାର ମିଶ୍ର

  • Published: Thursday, 06 June 2024
  • , Updated: 06 June 2024, 06:43 PM IST

ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ମିଶ୍ର ୨୦୨୨ ଡିସେମ୍ବର ୨୮ତାରିଖରେ ସର୍ବଭାରତୀୟ ରେଳବାଇ ଟ୍ରାଫିକ ସେବା(ଆଇଆରଟିଏସ) ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଓ ସେବେଠୁ ଓଡ଼ିଶା ସରକାର ତାଙ୍କୁ ପ୍ରମୁଖ ସଚିବ ପାହ୍ୟାରେ ଆଇଟି ବିଭାଗରେ ଅବସ୍ଥାପିତ କରିଥିଲେ । ଶ୍ରୀ ମିଶ୍ର ଓଡ଼ିଶାର ପ୍ରଥମ ଆଉଟସୋର୍ସିଂ ପ୍ରମୁଖ ସଚିବ । ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କ ଘନିଷ୍ଠ ବନ୍ଧୁ ଭାବେ ଶ୍ରୀ ମିଶ୍ର ପରିଚିତ । ଆଉ ପାଣ୍ଡିଆନଙ୍କ ପରାମର୍ଶ ଓ ଉଦ୍ୟମ ଯୋଗୁ ଶ୍ରୀ ମିଶ୍ର ଆଇଆରଟିଏସ୍ ଚାକିରି ଛାଡ଼ି ଓଡ଼ିଶା ସରକାରରେ ‘ଆଉଟସୋର୍ସିଂ ପ୍ରମୁଖ ସଚିବ’ ଭାବେ ଯୋଗ ଦେଇଥିଲେ ।

ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ରଙ୍କ ଇସ୍ତଫାକୁ ୪ତାରିଖ ଅପରାହ୍ନରୁ ଗ୍ରହଣ କରାଯାଇଛି । ଶ୍ରୀ ମିଶ୍ର ମଧ୍ୟ ଓକାକ୍ ଅଧ୍ୟକ୍ଷ ଏବଂ ଓଡ଼ିଶା ସ୍ପେଶ ଆପ୍ଲିକେସନ୍ ସେଂଟର(ଓରସାକ) ସିଇଓ ପଦବୀରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ୪ତାରିଖରେ ନିର୍ବାଚନୀ ଫଳାଫଳ ବିଜେପି ସପକ୍ଷରେ ଯିବାପରେ ଶ୍ରୀ ମିଶ୍ର ନିଜ ଚାକିରିରୁ ଇସ୍ତଫା ଦେଇଥିବା ଅନୁମାନ କରାଯାଉଛି ।

ତେବେ ପାଣ୍ଡିଆନଙ୍କ କଥାରେ ସର୍ବଭାରତୀୟ ଚାକିରି ଛାଡ଼ି ନିଜ ରାଜ୍ୟରେ କାର୍ଯ୍ୟ କରିବାକୁ ଚାହିଁଥିବା ଶ୍ରୀ ମିଶ୍ର ଏବେ ସବୁଆଡ଼ୁ କ୍ଷତି ସହିଛନ୍ତି । ପାଣ୍ଡିଆନ କେନ୍ଦ୍ର ସରକାରରେ ତାଙ୍କର ଚାକିରି ଛଡ଼ାଇଥିଲେ ଏବଂ ପାଣ୍ଡିଆନଙ୍କ କାର୍ଯ୍ୟ ପାଇଁ ତାଙ୍କୁ ଓଡ଼ିଶା ସରକାରରେ ବି ଚାକିରି ହରାଇବାକୁ ପଡ଼ିଲା ବୋଲି ଚର୍ଚ୍ଚା ହେଉଛି ।

୨୦୦୦ ବ୍ୟାଚ୍ ଆଇଆରଟିଏସ୍ ଅଧିକାରୀ ଶ୍ରୀ ମିଶ୍ରଙ୍କୁ ଓଡ଼ିଶା ସରକାର ଡେପୁଟେସନରେ ଆଣି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ସହ ରେଳ କୋଅର୍ଡିନେସନ କମିଶନର ଭାବେ ଅବସ୍ଥାପିତ କରିଥିଲେ । ତେବେ କେନ୍ଦ୍ର ସରକାର ତାଙ୍କର ଡେପୁଟେସନ ଅବଧିକୁ ତୃତୀୟ ଥର ବୃଦ୍ଧି କରିବାକୁ ମନା କରିଦେବା ପରେ ସେ ବାଧ୍ୟ ହୋଇ ସର୍ବଭାରତୀୟ ରେଳବାଇ ଟ୍ରାଫିକ ସେବା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଆଉ ନବୀନ ପଟ୍ଟନାୟକ ସରକାର ନିଜର କ୍ଷମତାର ଉପଯୋଗ କରି କ୍ୟାବିନେଟରେ ପ୍ରସ୍ତାବ ଆଣି ଶ୍ରୀ ମିଶ୍ରଙ୍କୁ ରାଜ୍ୟର କୌଣସି ବିଭାଗର ପ୍ରଥମ ଆଉଟସୋର୍ସିଂ ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରିଥିଲେ । ଏସବୁ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ସମ୍ଭବପର ହୋଇଥିଲା ।

କେବଳ ମନୋଜ ମିଶ୍ର ନୁହଁନ୍ତି, ପାଣ୍ଡିଆନ ନିଜ କ୍ଷମତାର ଉପଯୋଗ କରି ଅବସରପ୍ରାପ୍ତ ଆଇଏଏସ୍ ଆର.ବାଲକ୍ରିଷ୍ଣନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିଲେ । ବାଲକ୍ରିଷ୍ଣନ ସରକାରୀ ଚାକିରିରୁ ଅବସର ନେବା ପରଠୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି । କିନ୍ତୁ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ କେବଳ ତାମିଲ ଭାଷା ଓ ସାହିତ୍ୟର ପ୍ରଚାରରେ ସେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ତାଙ୍କର ବିଗତ ୩ବର୍ଷର ସୋସିଆଲ ମିଡିଆ ଆକାଉଣ୍ଟରେ ଓଡ଼ିଆ ଭାଷା କିମ୍ବା ଓଡ଼ିଶା ସରକାରଙ୍କ କାର୍ଯ୍ୟର ସଫଳତାକୁ ଉଲ୍ଲେଖ କରିବାକୁ ସେ ଆଗ୍ରହ ଦେଖାଇନାହାନ୍ତି । ଯଦିଓ ଓଡ଼ିଶା ସରକାରଙ୍କଠୁ ମାସିକ ୨.୧୦ଲକ୍ଷ ଟଙ୍କା ଦରମା, ଘର,ଗାଡ଼ି, ପିଅନ ଆଦି ସମସ୍ତ ସୁବିଧା ନେଉଥିଲେ ।

ସେହିପରି ପୂର୍ବତନ ମୁଖ୍ୟସଚିବ ସୁରେଶ ମହାପାତ୍ରଙ୍କୁ ଅଚାନକ ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ର ଅଧ୍ୟକ୍ଷ ପଦରୁ ଆଣି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ଅବସ୍ଥାପିତ କରାଇଥିଲେ । ପାଣ୍ଡିଆନଙ୍କ ଉଦ୍ୟମରେ ଶ୍ରୀ ମହାପାତ୍ରଙ୍କୁ ମୁଖ୍ୟ ସଚିବ ପଦରୁ ଅବସର ପରେ ଓଇଆରସି ଅଧ୍ୟକ୍ଷ ପଦରେ ଥଇଥାନ କରାଯାଇଥିଲା । ମାତ୍ର ସେଠାରେ ଶ୍ରୀ ମହାପାତ୍ର ପ୍ରାୟ ଏକବର୍ଷ କାମ କରିବା ପରେ ନିଜ ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ମାସିକ ୨.୧୦ଲକ୍ଷ ଟଙ୍କା ଦରମା ଓ ଅନ୍ୟାନ୍ୟ ସରକାରୀ ସୁବିଧା ସହ କାର୍ଯ୍ୟ କରୁଥିଲେ ।

Related story