ମାଡ଼ ମାରିଥିବା ଦୁଇ ଡାକ୍ତରୀ ଛାତ୍ରୀଙ୍କୁ ଦୁଇ ମାସ କ୍ୟାମ୍ପସ ମନା

ଏମ୍‌କେସିଜି ମେଡ଼ିକାଲ୍‌ କଲେଜରେ ରାଗିଂ ନେଇ ଖବର ପ୍ରକାଶ ପାଇଥିଲା। ଏହା ପରେ ତତ୍ପର ହୋଇଥିଲେ ମେଡ଼ିକାଲ୍‌ କଲେଜ କର୍ତ୍ତୃପକ୍ଷ।

MKCG ମେଡ଼ିକାଲ୍‌ କଲେଜର ପ୍ରବେଶ ପଥ

  • Published: Saturday, 17 February 2024
  • , Updated: 17 February 2024, 05:29 PM IST

ମାଡ଼ ମାରିବା ମହଙ୍ଗା ପଡ଼ିଲା। ରାଗିଂ ନାଁରେ ମାଡ଼ ମାରିଥିବା ଦୁଇ ଡାକ୍ତରୀ ଛାତ୍ରୀଙ୍କୁ କରାଯାଇଛି ବ୍ୟାନ୍‌। ଦୁଇ ମାସ ପର୍ଯ୍ୟନ୍ତ ସେମାନେ କ୍ଲାସ୍‌ କରିପାରିବେନି କି ହଷ୍ଟେଲରେ ରହିପାରିବେ ନାହିଁ। ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ର ଇନ୍‌ଚାର୍ଜ ଅଧ୍ୟକ୍ଷ ପ୍ରଫେସର ଦୁର୍ଗା ପ୍ରସାଦ ଶତପଥୀ।

ବାଲେଶ୍ୱର ଟାଉନ୍‌ର ଜଣେ ଛାତ୍ର ଏମ୍‌କେସିଜି ମେଡ଼ିକାଲ କଲେଜରେ ଜଣେ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ଗତ ଶୁକ୍ରବାର ରାତିରେ କ୍ୟାମ୍ପସ୍‌ ଭିତରେ ହେଉଥିଲା ବ୍ୟାଣ୍ଡପାର୍ଟି ଅଭ୍ୟାସ୍‌। ସେଥିରେ ଛାତ୍ର ଜଣକ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ସରିବା ପରେ ସେ ନିଜ ଗାଡ଼ିରେ ହଷ୍ଟେଲ୍‌ ଫେରୁଥିଲେ। ରାସ୍ତାରେ ତାଙ୍କୁ ଦୁଇ ଜଣ ସିନିୟର ଛାତ୍ର ଅଟକାଇଥିଲେ। ହଷ୍ଟେଲ୍‌ରେ ଛାଡ଼ିବାକୁ ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷା ସେ ଦୁଇ ଛାତ୍ରଙ୍କୁ କ୍ୟାମ୍ପସ ଭିତରେ ଥିବା ସେମାନଙ୍କ ହଷ୍ଟେଲ୍‌ରେ ଛାଡ଼ିବାକୁ ଯାଇଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ଏମ୍‌ବିବିଏସ୍‌ ୪ର୍ଥ ବର୍ଷର ସିନିୟର ଛାତ୍ର ତାଙ୍କୁ ମାଡ ମାରିଥିଲେ। ଯାହାଫଳରେ ଛାତ୍ରଙ୍କ ବେକ ଓ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ଛାତ୍ରଙ୍କ ବାପା ଏନେଇ ମେଡ଼ିକାଲ୍‌ ଅଧ୍ୟକ୍ଷ ଓ ବୈଦନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାଛଡ଼ା ଏମ୍‌କେସିଜି ମେଡ଼ିକାଲ୍‌ କଲେଜରେ ରାଗିଂ ନେଇ ଖବର ପ୍ରକାଶ ପାଇଥିଲା। ଏହା ପରେ ତତ୍ପର ହୋଇଥିଲେ ମେଡ଼ିକାଲ୍‌ କଲେଜ କର୍ତ୍ତୃପକ୍ଷ। ଘଟଣାର ତଦନ୍ତ ପାଇଁ ମେଡ଼ିକାଲ୍‌ ଆଣ୍ଟି ରାଗିଂ ସେଲ୍‌କୁ ଦାୟିତ୍ୱ ଦିଆଯାଇଥିଲା। ମାଡ଼ ଖାଇଥିବା ଛାତ୍ର, ମାଡ଼ ମାରିଥିବା ଛାତ୍ର ଓ ରାସ୍ତାରେ ଲିଫ୍‌ଟ ନେଇଥିବା ଦୁଇ ଛାତ୍ରଙ୍କୁ ଡାକି ଆଲୋଚନା କରିଥିଲେ ଆଣ୍ଟି ରାଗିଂ ସେଲ୍‌ର କର୍ମକର୍ତ୍ତା।

ମେଡ଼ିକାଲ୍‌ ଆଣ୍ଟି ରାଗିଂ ସେଲ୍‌ ନିଷ୍ପତ୍ତି ଅନୁସାରେ ମାଡ଼ ମାରିଥିବା ଦୁଇ ସିନିୟର ଛାତ୍ରଙ୍କୁ ଦୁଇ ମାସ ପାଇଁ ବ୍ୟାନ୍‌ କରାଯାଇଛି। ସେମାନେ ମେଡିକାଲ କ୍ୟାମ୍ପସ୍‌ ଆସିପାରିବେ ନାହିଁ। ସେମାନେ କ୍ଲାସ ମଧ୍ୟ କରିପାରିବେ ନାହିଁ। କିମ୍ବା ନିଜ ହଷ୍ଟେଲରେ ରହିପାରିବେ ନାହିଁ। ସେପଟେ ଲିଫ୍‌ଟ ନେଇଥିବା ଦୁଇ ଛାତ୍ରଙ୍କୁ ମଧ୍ୟ ବ୍ୟାନ୍‌ କରାଯାଇଛି। ଦୁଇ ଛାତ୍ର ଏକ ସପ୍ତାହ ପାଇଁ ମେଡିକାଲ କମ୍ପାସ ଯାଇପାରିବେ ନାହିଁ। ଏ ନେଇ ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଦାୟିତ୍ୱରେ ଥିବା ପ୍ରଫେସର ଦୁର୍ଗା ପ୍ରସାଦ ଶତପଥୀ। ଆଗକୁ ଯେଭଳି ଏମିତି କୌଣସି ଘଟଣା ନଘଟିବ, ସେଥିପ୍ରତି ଦୃଷ୍ଟି ଦିଆଯାଇଥିବା ସେ କହିଛନ୍ତି।

ରିପୋର୍ଟ- ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା

Related story